Odisha Link
Bridging the Missing Links in Odisha

ବବି ଦାସଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ? ବିଜେପି ଆଣିଲା ବଡ଼ ଅଭିଯୋଗ, ବିଜେଡି ରଖିଲା ଉତ୍ତର

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ସରଗରମ ହେବାରେ ଲାଗିଛି ଓଡ଼ିଶା ରାଜନୀତି। ଗଣତନ୍ତ୍ରର ମହାପର୍ବରେ ଓଡ଼ିଶାବାସୀ ସମ୍ବଲପୁରରେ ଦେଖିବେ ହାଇଭୋଲଟେଜ ଲଢ଼େଇ। ଓଡ଼ିଶା ବିଜେପିର ପୋଷ୍ଟର ବୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ଶାସକ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିର୍ବାଚନ ଲଢ଼ୁଛନ୍ତି। ଊଭୟ ମହାମୁକାବିଲା ପାଇଁ ନାମାଙ୍କନ ପତ୍ର ଦାଖଲ କରି ସାରିଥିବା ବେଳେ ଓଡ଼ିଶା ବିଜେପି ପ୍ରଣବ ଦାସଙ୍କ ନାମରେ ଆଣିଛି ବଡ଼ ଅଭିଯୋଗ। ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ବବି ଦାସଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ବିଜେପିର ବରିଷ୍ଠ ନେତା ତଥା ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସାମ୍ବାଦିକ ସମ୍ମିଳନୀରେ ବବି ଦାସଙ୍କ ବିରୋଧରେ ଆଣିଛନ୍ତି ବଡ଼ ଅଭିଯୋଗ। ସେ କହିଛନ୍ତି, ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଶିକ୍ଷାଗତା ଯୋଗ୍ୟତା କ’ଣ ? କାରଣ ଦୁଇଟି ନିର୍ବାଚନରେ ସେ ଭିନ୍ନଭିନ୍ନ ସତ୍ୟପାଠ ଦାଖଲ କରିଛନ୍ତି। ୨୦୦୯ ନିର୍ବାଚନ ସମୟରେ ପ୍ରଣବ ପ୍ରକାଶ ଦାସ ନିଜର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ କଳା ପାସ କରିଥିବା ସତ୍ୟପାଠରେ ଲେଖିଥିଲେ। ୨୦୨୪ରେ ସେ ନିଜକୁ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ବୋଲି ଲେଖିଛନ୍ତି। ଅର୍ଥାତ୍ ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ଯୁକ୍ତ ଦୁଇ ପାସ୍‌। ଯାହା ହାସ୍ୟସ୍ପଦ ବୋଲି ସେ କହିଛନ୍ତି।

ଏଥିସହିତ, ବବି ଦାସ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି। ଅନେକ ତଥ୍ୟ ଲୁଚାଇଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ସୂଚନାଥାଉକି, ପ୍ରଣବ ପ୍ରକାଶ ଦାସ ୨୦୦୯ ମସିହା ନିର୍ବାଚନରେ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ କଳା ପାସ୍‌ ଉଲ୍ଲେଖ ରଖିଥିବା ବେଳେ ୨୦୧୪, ୨୦୧୯ ଓ ୨୦୨୪ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବିଜ୍ଞାନ ପାସ୍‌ ଉଲ୍ଲେଖ ରହିଛି।

ଅନ୍ୟପଟେ ଏହି ପ୍ରସଙ୍ଗରେ ବିଜୁ ଜନତା ଦଳର ମୁଖପାତ୍ର ଲେନିନ୍‌ ମହାନ୍ତି ରଖିଛନ୍ତି ପ୍ରତିକ୍ରିୟା। ସେ କହିଛନ୍ତି, ବନ୍ଧୁ ପୀତାମ୍ବର ଆଚାର୍ଯ୍ୟ ମିଛ ପ୍ରଚାର କରୁଛନ୍ତି। ପ୍ରଣବ ପ୍ରକାଶ ଦାସଙ୍କ ସାର୍ଟିଫିକେଟକୁ ନେଇ ମିଛ ପ୍ରଚାର କରୁଛନ୍ତି ପୀତାମ୍ବର ବୋଲି କହିଛନ୍ତି ଲେନିନ୍‌ ମହାନ୍ତି।

Leave A Reply

Your email address will not be published.