ସଂସଦର ମୌସୁମୀ ଅଧିବେଶନ: ଶେଷ ଦିନରେ ରାଜ୍ୟସଭାରୁ ନିଲମ୍ବିତ ହେଲେ ରାଘବ ଚଢ଼ା
ବିଶେଷାଧିକାର ସୀମିତ ଯାଞ୍ଚ ରିପୋର୍ଟ ଆସିବା ଯାଏଁ ନିଲମ୍ବିତ

ଓଏଲ୍ ବ୍ୟୁରୋ: ଜୁଲାଇ ୨୦ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଆଜି ଶେଷ ହେବାକୁ ଯାଉଛି। ପ୍ରଥମଥର ପାଇଁ ନବନିର୍ମିତ ସଂସଦ ଭବନରେ ଅଧିବେଶନ ଅନୁଷ୍ଠିତ ହୋଇଛି। ସଂସଦ ଅଧିବେଶନରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ବିରୋଧୀ ଘେରିଥିବାବେଳେ ଶାସକଦଳ ମଧ୍ୟ ଏହାର ଜବାବ ରଖିଥିବା ଦେଖିବାକୁ ମିଳିଛି। ଏହି ଅବସରରେ ରାଜ୍ୟସଭାରୁ ଜଣେ ଆପ ନେତା ନିଲମ୍ବିତ ହୋଇଛନ୍ତି। ୫ଜଣ ସାଂସଦଙ୍କ ଦସ୍ତଖତ ଜାଲିଆତି ମାମଲାରେ ରାଘବ ଚଢ଼ା ନିଲମ୍ବିତ ହୋଇଛନ୍ତି। ବିଶେଷାଧିକାର ସୀମିତ ଯାଞ୍ଚ ରିପୋର୍ଟ ଆସିବା ଯାଏଁ ନିଲମ୍ବିତ କରାଯାଇଅଛି।
ସୂଚନା ଅନୁସାରେ, ଆଜି ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ସିଜିଏସଟି ସଂଶୋଧନ ବିଲ୍ ୨୦୨୩ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିବେ ବୋଲି ସୂଚନା ରହିଛି। ପୂର୍ବରୁ ଅନାସ୍ଥା ପ୍ରସ୍ତାବକୁ ନେଇ ଚର୍ଚ୍ଚା ହୋଇଥିବାବେଳେ ଅନାସ୍ଥା ବିତର୍କରେ ଲୋକସଭାରେ ବିଜୁ ଜନତା ଦଳର ସାଂସଦ ରାଜଶ୍ରୀ ମଲ୍ଲିକ ବିବୃତ୍ତି ରଖିଥିଲେ। ପ୍ରତ୍ୟେକ ଓଡ଼ିଶାବାସୀ ସଶକ୍ତ ଓ ସୁଦୃଢ଼ ହେଲେ ବିକାଶ ହେବ।
ମିଶନ ଶକ୍ତି ଦ୍ବାରା ୮୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳା ଆଜି ସ୍ବାବଲମ୍ବୀ। ଓଡ଼ିଶାରେ ମା’ମାନଙ୍କ ଯାତ୍ରା ଏସଏଚଜିରୁ ଏସଏମଇ ଯାଏ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ମହିଳାମାନଙ୍କୁ ପ୍ରାଧାନ୍ୟ ଦେଇଆସିଛନ୍ତି। ଅନ୍ୟ ରାଜନୈତିକ ଦଳରୁ ସମଦୂରତା ରଖିଆସିଛି। ଏହା ସହ ବିଜୁ ଜନତା ଦଳର ସାଂସଦ ରାଜଶ୍ରୀ ମଲ୍ଲିକ ପୁଣି ମହିଳା ସଂରକ୍ଷଣ ବିଲ୍ ଦାବି ଦୋହରାଇଥିଲେ।
ଏହା ସହ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମନ୍ତବ୍ୟ ରଖିଥିଲେ। ସେ କହିଥିଲେ, ଆମକୁ ବିଶ୍ୱାସ କରିଥିବାରୁ ଦେଶର କୋଟି କୋଟି ନାଗରିକଙ୍କୁ କୃତଜ୍ଞତା। ୨୦୧୮ରେ ବି ଅନାସ୍ଥା ଆଣିଥିଲେ, ତାହା ସେମାନଙ୍କ ଫ୍ଲୋରଟେଷ୍ଟ ଥିଲା। ଦେଶବାସୀ ଯେଉଁ ବିଶ୍ୱାସରେ ଏମାନଙ୍କୁ ପଠାଇଛନ୍ତି, ତାଙ୍କ ପ୍ରତି ବି ବିଶ୍ୱାସଘାତ ହେଉଛି।
ଆପଣଙ୍କ ପାଇଁ ଗରିବର ଭୋକ ନୁହେଁ, କ୍ଷମତା ଭୋକ ଘାରିଛି। ଯୁବବର୍ଗଙ୍କୁ ରୋଜଗାର ଚିନ୍ତା ନୁହେଁ, ଏମାନଙ୍କୁ ରାଜନୀତି ଚିନ୍ତା ଘାରିଛି। ଭୋଟିଂ ବେଳେ ଯେତିକି ସଦସ୍ୟ ଥିଲେ, ସେତିକି ଭୋଟ୍ ବି ପାଇଲେନି। ସବୁ ବେଳେ ବିପକ୍ଷଙ୍କ ଅବିଶ୍ବାସ ପ୍ରସ୍ତାବ ଆମ ପାଇଁ ଶୁଭ ହେଉଛି। ୨୦୨୪ରେ ଏନଡିଏ ଓ ବିଜେପି ପୂର୍ବର ସବୁ ରେକର୍ଡ ଭାଙ୍ଗିବେ।
ପୂର୍ବର ସବୁ ରେକର୍ଡ ଭାଙ୍ଗି ପୁଣି ଏନଡିଏ ଓ ବିଜେପି କ୍ଷମତାକୁ ଫେରିବେ। ବିପକ୍ଷ ଦଳ ଫିଲ୍ଡିଂ ସଜାଇଲା, କିନ୍ତୁ ଛକା, ଚୌକା ଏଇଠୁ ଲାଗିଲା। ଆପଣ ନୋ ବଲ୍ ନୋ ବଲ୍ ହେଉଥାନ୍ତୁ, ଏଠୁ ସେଞ୍ଚୁରୀ ହେଇଚାଲିଛି। ବିପକ୍ଷଙ୍କୁ କହିବି, ଆପଣମାନେ ପ୍ରସ୍ତୁତ ହୋଇ କାହିଁକି ଆସୁନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମନ୍ତବ୍ୟ ରଖିଥିଲେ।