Odisha Link
Bridging the Missing Links in Odisha

କମୁନି ଡେଙ୍ଗୁ ରୋଗ, ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର୍

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ଡେଙ୍ଗୁ ଥମିବା ନାଁ ଧରୁନି। ରାଜଧାନୀ ଭୁବନେଶ୍ବରରେ ଘରେ ଘରେ ଡେଙ୍ଗୁ ସଂକ୍ରମଣ ମାଡିବାର ଖବର ସାମ୍ନାକୁ ଆସିଛି। ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୫୫ ରୋଗୀ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ତାହା ବୃଦ୍ଧିପାଇଛି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ୱାର୍ଡ ଭିତର ଖଟରେ ଯେତିକି ଡେଙ୍ଗୁ ଆକ୍ରାନ୍ତ ଅଛନ୍ତି, ବାରଣ୍ଡାରେ ମଧ୍ୟ ସେତିକି ଶୋଇଛନ୍ତି।

ଡେଙ୍ଗୁ ନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ଷା ଲାଗି ରହିଥିବାରୁ ଡେଙ୍ଗୁ କେତେଦିନ ରହିବ ଆକଳନ କଷ୍ଟକର। ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ଲାଗି ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି। ରାଜଧାନୀର ଅନ୍ୟ ୨ଟି ସ୍ଥାନରେ ଡେଙ୍ଗୁ ଟେଷ୍ଟ ଲାଗି ବ୍ୟବସ୍ଥା କରାଯାଇଛି। ଆଇଆରସି ଭିଲେଜ ସ୍ଥିତ ଅର୍ବାନ ପିଏଚସି ଓ ପଟିଆ ସିଏଚସିରେ ଡେଙ୍ଗୁ ଟେଷ୍ଟ ହେବ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ୩୦୦୦ ପାର ହେଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ ବର୍ଷ ଡେଙ୍ଗୁ ରୋଗୀ ସଂଖ୍ୟା ୧ ହଜାର ୪୪୧ ଥିଲା। ବାଲେଶ୍ୱରରେ ୧୭୯, ପୁରୀରେ ୧୫୦, କଟକରେ ୧୨୫, ଜଗତସିଂହପୁରରେ ୧୦୧ ରୋଗୀ ଚିହ୍ନଟ କରାଯାଇଛି। ଯାହା ଏବେ ଚିନ୍ତାର ବିଷୟ ପାଲଟିଛି। ଡେଙ୍ଗୁ ସଂକ୍ରମଣକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି।

Leave A Reply

Your email address will not be published.