Odisha Link
Bridging the Missing Links in Odisha

ରାଜ୍ୟରେ ମୌସୁମୀ ସକ୍ରିୟ, ଗତ ୨୪ ଘଣ୍ଟାରେ ୬୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ!

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା। ତେବେ ତାହା ଆଜି ସାମାନ୍ୟ ଦୁର୍ବଳ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଥିବାବେଳେ ଜଡିତ ଘୂର୍ଣ୍ଣିବଳୟ ଆଜି ମଧ୍ୟ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳରେ ୭.୬ କିମି ଯାଏଁ ସକ୍ରିୟ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ସହ ହାରାହାରି ୧୭.୪ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୦.୯ ମିମି ତୁଳନାରେ ୬୦ ପ୍ରତିଶତ ଅଧିକ ରହିଛି।

ଲଘୁଚାପ ପ୍ରଭାବରେ ଗତ ୨୪ଘଣ୍ଟାରେ ରାଜ୍ୟରେ ବିସ୍ତୃତି ବର୍ଷା ରେକର୍ଡ କରାଯାଇଛି। ବାଲେଶ୍ୱର ସହରରେ ସର୍ବାଧିକ ୧୧୭.୧ ମିମି ବର୍ଷା ରେକର୍ଡ କରାଯାଇଛି। ତଥା ୧୩ ସହରରେ ପ୍ରବଳ ବର୍ଷା ରେକର୍ଡ କରଯାଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଗତକାଲିର ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା କାରଣରୁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି।