Odisha Link
Bridging the Missing Links in Odisha

ବର୍ଷାରେ ବେହାଲ ରାଜ୍ୟର ଅନେକ ଅଞ୍ଚଳ, ମାଲକାନଗିରି-ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଆଜି ଘନୀଭୂତ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଆଗାମୀ ୨ ଦିନ ଯାଏଁ ଓଡିଶା ଏବଂ ଛତିଶଗଡ ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରିର ଏକ ପୋଲ ଉପରେ ୫ ଫୁଟ୍‌ର ପାଣି। ଏମ୍‌ଭି ୯୬ ପୋଲ ଉପରେ ୫ ଫୁଟ୍‌ର ପାଣି ପ୍ରବାହିତ ହେଉଛି। ଏହା ପ୍ରଭାବରେ ମାଲକାନଗିରି-ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଅନ୍ୟପଟେ, ପ୍ରବଳ ବର୍ଷା ଯୋଗୁଁ ଆଜି ବଲାଙ୍ଗିରରେ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ନେଇ ବଲାଙ୍ଗିର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାବେଳେ ଗତ ୨୪ ଘଣ୍ଟାରେ ବଲାଙ୍ଗିରରେ ସର୍ବାଧିକ ୨୧୫ ମିମି ବର୍ଷା ରେକର୍ଡ କରାଯାଇଛି।

ସେହିପରି କଳାହାଣ୍ଡି ଏମ୍‌. ରାମପୁରରେ ୧୯୩ ମିମି, ଥୁ.ରାମପୁରରେ ୧୫୮ ମିମି, କଣ୍ଟାମାଳରେ ୧୫୮, କେନ୍ଦ୍ରାପଡ଼ାରେ ୧୩୨.୪ ମିମି, ଝାରସୁଗୁଡ଼ାରେ ୭୬.୮, ଭୁବନେଶ୍ବରରେ ୫୫ ମିମି ବର୍ଷା ରେକର୍ଡ କରାଯାଇଛି।