Odisha Link
Bridging the Missing Links in Odisha

ଚର୍ଚ୍ଚାରେ ବିଧାୟକ ବିଜୟ, ବିବାହ ଆବେଦନ ପରେ ବଢ଼ିଲା ଅଡ଼ୁଆ!

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ। ଏଥର ସେ ବିବାହ କରିବା ନେଇ ଆବେଦନ କରିବା ପରେ ଚର୍ଚ୍ଚାଳି ଆସିଛନ୍ତି। କଟକ ବିବାହ ପଞ୍ଜୀକରଣ କାର୍ଯ୍ୟାଳୟରେ ଗତ ୨୧ ତାରିଖରେ ଆବେଦନ କରିଥିବା ନେଇ ଖବର ମିଳିଛି। ଯାହାକୁ ନେଇ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ବଢିପାରେ ବୋଲି ଏକ ପ୍ରକାର କୁହାଯାଉଛି। ତେବେ କାହାକୁ ବାହା ହେବା ପାଇଁ ଆବେଦନ କରିଛନ୍ତି ସେ ସମ୍ପର୍କରେ ଜଣାପଡ଼ିନାହିଁ।

ସୂଚନା ଅନୁସାରେ, ବାନ୍ଧବୀ ସୋମାଲିକାଙ୍କ ସହ ସମ୍ପର୍କକୁ ନେଇ ସେ ବେଶ୍ କିଛି ଦିନ ଧରି ଚର୍ଚ୍ଚାରେ ଥିଲେ ବିଜୟଶଙ୍କର। ନିଜ ସମ୍ପର୍କକୁ ନେଇ ବିବାଦରେ ଛନ୍ଦି ହେବା ପରେ ଥାନାରେ ସୋମାଲିକା ଏତଲା ବି ଦେଇଥିଲେ। ଲମ୍ବା ସମୟ ଧରି ଥାନାରେ ଉଭୟ ଆଲୋଚନା ବି କରିଥିଲେ। ବର୍ତ୍ତମାନ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖବର ପରେ ପ୍ରେମିକା ସୋମାଲିକା କଡ଼ା ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି, ପାୱାର ପାଇଁ ବିଜୟ ଏଭଳି କରୁଛନ୍ତି ଏବଂ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ପାର୍ଟି ସୁରକ୍ଷା ଦେଉଛି। ଜଗତସିଂହପୁର ପୁଲିସ ମୋର ବୟାନ ରେକର୍ଡ କରିସାରିଛି। ବାରମ୍ବାର ଡାକି ମୋତେ ପଚାରୁଛି, କିନ୍ତୁ ବିଜୟଙ୍କୁ ଥରେ ବି ଡାକିନି। ପାର୍ଟି ପାୱାର ଯୋଗୁଁ ବିଜୟଙ୍କୁ ପୁଲିସ ଡାକୁନି କି ପଚାରୁନି। ପୁଲିସ ତଦନ୍ତ କଲା, କିନ୍ତୁ ରେଜଲ୍ଟ କୁଆଡ଼େ ଗଲା। ପଦବୀ, ପାୱାର ପାଇଁ ହିଁ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେଉନି।

ବାନ୍ଧବୀ ସୋମାଲିକା ବିଜୟଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, କଟକ ବିବାହ ପଂଜୀକରଣ ଅଧିକାରୀଙ୍କଠାରେ ଅଭିଯୋଗ କରିବି। ନିଶ୍ଚିତ କଂପ୍ଲେନ କରିବି, ମୋର କଣ କିଛି ଇଜ୍ଜତ ନାହିଁ। ସେ ଯେତେବେଳେ ଯାହାକୁ ଚାହଁବେ ତାଙ୍କ ଜୀବନ ନଷ୍ଟ କରିବେ। ଝିଅ ବୋଲି କଣ ମୋତେ ଏମିତି ହଇରାଣ କରାଯିବ ନା କଣ। ୩୦ ଦିନ ଭିତରେ ନିଶ୍ଚିତ କଂପ୍ଲେନ କରିବି ବୋଲି ସୋମାଲିକା କହିଛନ୍ତି।

ଅନ୍ୟପଟେ, ବିବାହ ପଞ୍ଜୀକରଣ ଆବେଦନକୁ ନେଇ ପଞ୍ଜୀକରଣ ଅଧିକାରୀ କହିଛନ୍ତି ଯେ, ସେପ୍‌ଟେମ୍ବର ୨୧ ତାରିଖରେ ପଞ୍ଜୀକରଣ ଆବେଦନ କରାଯାଇଛି। ଆବେଦନର ମାସକ ପରେ ଓ ୩ ମାସ ପୂର୍ବରୁ ହାଜର ହେବାକୁ ପଡ଼ିବ। ୩ ଜଣ ସାକ୍ଷୀଙ୍କ ସହ ଉଭୟ ବର ଏବଂ କନ୍ୟା ହାଜର ହେବେ। ଯଦି କିଛି ଅଭିଯୋଗ ଆସେ, ତେବେ ତାର ଶୁଣାଣି କରାଯିବ। ଏଯାଏଁ କିଛି ଅଭିଯୋଗ ଆସିନି, ଆସିଲେ ଶୁଣାଣି କରାଯିବ ବୋଲି କଟକ ପଞ୍ଜୀକରଣ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.