ମନେ ପଡ଼ନ୍ତି ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ, ଆଜି ଅକ୍ଷୟ ମହାନ୍ତିଙ୍କ ଜନ୍ମ ଜୟନ୍ତୀ

ଓଏଲ୍ ବ୍ୟୁରୋ: ଓଡ଼ିଆ ସଙ୍ଗୀତ ବେତାଜ ବାଦଶାହାଙ୍କର ଆଜି ଜନ୍ମ ଜୟନ୍ତୀ। ଓଡ଼ିଶାର ପ୍ରସିଦ୍ଧ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଏବଂ ସୁଲେଖକ ଅକ୍ଷୟ ମହାନ୍ତିଙ୍କ ଆଜି ଜନ୍ମ ଦିବସ। ଅକ୍ଟୋବର ମାସ ୧୨ ତାରିଖ ଦିନ କଟକରେ ସେ ଜନ୍ମ ଗ୍ରହଣ କରିଥିଲେ। ଖୋକା ଭାଇ ନାମରେ ସେ ବେଶ୍ ଜଣାଶୁଣା। ଓଡିଆ ସଂଗୀତ ଜଗତ ପ୍ରତି ଅକ୍ଷୟ ମହାନ୍ତିଙ୍କ ଅବଦାନ ଆତୁଳନୀୟ। ସଙ୍ଗୀତ ଶିକ୍ଷା ନନେଇ ବି ସୃଷ୍ଟି କରିଥିଲେ ବିରଳ ଦୃଷ୍ଟାନ୍ତ।
ଓଡ଼ିଆ ସଂଗୀତର କିମ୍ବଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତି ଗୋଟେ ନାଁ ନୁହେଁ, ଗୋଟେ ଆବେଗ, ଗୋଟେ ଆକର୍ଷଣ, ହୃଦୟର ଶୂନ୍ୟତାରୁ ଆପେଆପେ ଶୁଭୁଥିବା ଗୋଟେ ସୁମଧୁର ସଙ୍ଗୀତ। ଆଖି ବୁଜିଲେ ଅକ୍ଷୟ, ଆଖି ଖୋଲିଲେ ଅକ୍ଷୟ… ଅକ୍ଷୟ କେବଳ ଅକ୍ଷୟ… ଅ’ରୁ ଆରମ୍ଭ ହେଲେ ନାହିଁ ତାଙ୍କ ଅନ୍ତ… କାରଣ ସେ ଆମ ଅନ୍ତରରେ, ଆମ ଆତ୍ମାରେ, ଓଡିଶାବାସୀଙ୍କ ହୃଦୟରେ ଏକ ଅଭୁଲା ସ୍ମୃତି…
ଓଡିଆ ସଙ୍ଗୀତ ଜଗତର ସେ ହେଉଛନ୍ତି ବେତାଜ ବାଦଶାହ, ସଂଗାତ ସାମ୍ରାଜ୍ୟର ଅଜାତଶତ୍ରୁ। ଆମ ଓଡିଶାର ଗୀତ, ଓଡିଆଙ୍କ ଚାଲିଚଳଣି, ଲୋକକଥା, ହାବଭାବ, ଗାଁ ମାଟିର ମହକକୁ ନେଇ ତାଙ୍କ ଗୀତକବିତା। ସେଇଥି ପାଇଁ ତ ସଙ୍ଗୀତ ଓ ସାହିତ୍ୟର ସେ ହେଉଛନ୍ତି କିମ୍ବଦନ୍ତୀ ପୁରୁଷ।
ଆଜି ଏହି କିମ୍ବଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତିଙ୍କ ଜନ୍ମ ବାର୍ଷିକୀ। ଖୋକା ଭାଇ ନାଁରେ ସଭିଁଙ୍କ ପ୍ରିୟ ଅକ୍ଷୟ ମହାନ୍ତି ଓଡିଆ ସଙ୍ଗୀତର ମଖମଲ ଚେହେରାରେ ନୂଆ ରଙ୍ଗ ମାଖିଥିଲେ, ନୂଆ ଦିଗ ଦେଖାଇଥିଲେ। ବୋଧେ ଅକ୍ଷୟ ହିଁ ସଙ୍ଗୀତକୁ ଗୋଟେ ସ୍ତରକୁ ନେଇଥିଲେ ଯେଉଁଠି ଲୋକଙ୍କ ରୁଚିକୁ ସେ ବୁଝିଥିଲେ ଆଉ ଭେଟି ଦେଇଥିଲେ ଅନେକ ମନ ଛୁଆଁ ଗୀତ। ସଙ୍ଗୀତର ଶବ୍ଦ ସଂଯୋଜନାରେ ସେ ଥିଲେ ସିଦ୍ଧହସ୍ତ।
ଚାବାଲାର ଭାଷା, ରିକ୍ସାବାଲାର ଭାବ, ଛକରେ ସୁନ୍ଦରୀ ଅପେକ୍ଷାରେ ଥିବା କଲେଜ ପଢୁଆ ପିଲାଙ୍କ ମନକୁ ପାଇଲା ପରି ଅତି ଚତୁରତାର ସହ ସେ ସଙ୍ଗୀତ କରୁଥିଲେ। ଗୀତ ରଚନା ହେଉ କି କଣ୍ଠଦାନ ସବୁଥିରେ ସେ ଥିଲେ ପାରଙ୍ଗମ। ୭୫ରୁ ଅଧିକ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ଅକ୍ଷୟ ଅଧିକାଂଶ ସିନେମାରେ ନିଜ କଣ୍ଠର ଯାଦୁଗରୀ ମଧ୍ୟ ଦେଖାଇଛନ୍ତି।
ଯାଯାବର, ଯାରେ ମେଘ ଭାସି ଯା, ହେ ଫଗୁଣ ତୁମେ ଗଲା ପରେ ପରେ, ପୁଣ୍ୟର ନଦୀ ତିରେ, ସ୍ମୃତି ତୁମେ ପାଉଁଶ ତଳର ନିଆଁ, ବୟସର କୃଷ୍ଣଚୂଡା, ନଦୀର ନାମ ଅଳସ କନ୍ୟା ଆଦି ଅନେକ ଗୀତର ସେ ହେଉଛନ୍ତି ସ୍ରଷ୍ଠା। ଯାହା ଆଜି ବି ଶ୍ରୋତାଙ୍କ ମନକୁ ଛୁଇଁ ପାରୁଛି। ଅକ୍ଷୟ ମହାନ୍ତି ସିନା ଆମ ଗହଣରେ ନାହାନ୍ତି ହେଲେ ତାଙ୍କ ସଙ୍ଗୀତର ଛାପ ସମସ୍ତଙ୍କ ହୃଦୟରେ ଛାଡିଯାଇଛନ୍ତି।