Odisha Link
Bridging the Missing Links in Odisha

ସଫଳତା ଅଭିମୁଖେ ଇସ୍ରୋ, ଆସନ୍ତା ୨୧ ତାରିଖରେ ଉତ୍‌କ୍ଷେପଣ ହେବ ‘ଗଗନଯାନ’

ଓଏଲ୍‌ ବ୍ୟୁରୋ: ଚନ୍ଦ୍ରଯାନ-୩ ଓ ଆଦିତ୍ୟ ଏଲ୍-୧ର ସଫଳତା ପରେ ଏବେ ଇସ୍ରୋର ସବୁଠୁ ବଡ଼ ପ୍ରକଳ୍ପ ହେଉଛି ଗଗନଯାନ। ଚଳିତ ମାସ ୨୧ ତାରିଖରେ ‘ଗଗନଯାନ’ର ପରୀକ୍ଷଣ ମହାକାଶ ଉଡାଣ ଅର୍ଥାତ୍ ‘ଗଗନଯାନ’ ପରୀକ୍ଷଣ ଯାନ ବିକାଶ ଉଡାଣ (ଟିଭି – ଡି୧)ର ଉତ୍‌କ୍ଷେପଣ ଅନୁଷ୍ଠିତ ହେବ। ଚନ୍ଦ୍ରଯାନ ଅଭିଯାନ ସହ ଜଡିତ ଇସ୍ରୋ ବୈଜ୍ଞାନିକ ମାନଙ୍କର ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ମହାକାଶ ରାଷ୍ଟ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଏହା କହିଛନ୍ତି।

ଇସ୍ରୋ ‘ଗଗନଯାନ’ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କ୍ରୁ ଏସ୍କେପ୍ ସିଷ୍ଟମ (ଜରୁରୀକାଳୀନ ପଳାୟନ ବ୍ୟବସ୍ଥା)ର ଫଳପ୍ରଦ ପରୀକ୍ଷା କରିବ, ଯାହା ଫଳରେ ୨୦୨୪ ସୁଦ୍ଧା ବାହ୍ୟ ମହାକାଶକୁ ମାନବରହିତ ଏବଂ ମାନବଯୁକ୍ତ ଅଭିଯାନ ଆରମ୍ଭ ହେବ। ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରେ ଏହି ପରୀକ୍ଷଣ କରାଯିବ। ‘ଗଗନଯାନ’ ଅଭିଯାନ ସମୟରେ ମହାକାଶଚାରୀ ମାନଙ୍କ କ୍ରୁ ମଡ୍ୟୁଲ୍ ମହାକାଶକୁ ନେଇଯିବ।

ଏହି ପରୀକ୍ଷଣରେ ବାହ୍ୟ ମହାକାଶକୁ ଏକ କ୍ରୁ ମଡ୍ୟୁଲ୍ ଉତକ୍ଷେପଣ କରିବା ଏବଂ ଏହାକୁ ପୃଥିବୀକୁ ଫେରାଇ ଆଣିବା ଏବଂ ବଙ୍ଗୋପସାଗରରେ ଏହା ସ୍ପର୍ଶ କରିବା ପରେ ଏହାକୁ ପୁନରୁଦ୍ଧାର କରିବା ଅନ୍ତର୍ଭୁକ୍ତ। ଭାରତୀୟ ନୌସେନାର ଯବାନମାନେ ମଡ୍ୟୁଲକୁ ଉଦ୍ଧାର କରିବା ପାଇଁ ମକ୍ ଅପରେସନ ଆରମ୍ଭ କରି ସାରିଛନ୍ତି।

ଏହି ପରୀକ୍ଷଣର ସଫଳତା ପ୍ରଥମ ମାନବବିହୀନ ‘ଗଗନଯାନ’ ଅଭିଯାନ ଏବଂ ଶେଷରେ ପୃଥିବୀର ନିମ୍ନ କକ୍ଷ ପଥରେ ମହାକାଶକୁ ମାନବଯୁକ୍ତ ଅଭିଯାନ ପାଇଁ ମଞ୍ଚ ପ୍ରସ୍ତୁତ କରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଚୂଡ଼ାନ୍ତ ମାନବଯୁକ୍ତ ‘ଗଗନାୟନ’ ଅଭିଯାନ ପୂର୍ବରୁ ଆସନ୍ତା ବର୍ଷ ଏକ ପରୀକ୍ଷାମୂଳକ ଉଡ଼ାଣ ହେବ, ଯେଉଁଥିରେ ମହିଳା ରୋବଟ୍ ମହାକାଶଚାରୀ ‘ବ୍ୟୋମମିତ୍ର’ ରହିବେ।

‘ଗଗନଯାନ’ ପ୍ରକଳ୍ପରେ ମାନବ ଦଳଙ୍କୁ ୪୦୦ କିଲୋମିଟର କକ୍ଷପଥକୁ ଉତକ୍ଷେପଣ କରି ଏବଂ ଭାରତୀୟ ସମୁଦ୍ର ଜଳରେ ଅବତରଣ କରାଇ ସେମାନଙ୍କୁ ସୁରକ୍ଷିତ ଭାବେ ପୃଥିବୀକୁ ଫେରାଇ ଆଣି ମାନବ ମହାକାଶ ଯାତ୍ରା କ୍ଷମତା ପ୍ରଦର୍ଶନ କରାଯିବ ବୋଲି ପରିକଳ୍ପନା କରାଯାଇଛି। ଚଳିତ ମାସ ୨୩ ତାରିଖ ସୁଦ୍ଧା ସମସ୍ତ ଯନ୍ତ୍ରାଂଶ ନିର୍ମାଣ ଶେଷ କରି ଇସ୍ରୋକୁ ପଠାଇବା ପାଇଁ ଡେଡଲାଇନ ଥିବାବେଳେ ପ୍ରାୟ ସମସ୍ତ ଯନ୍ତ୍ରାଂଶ ନିର୍ମାଣ କାମ ଶେଷ ହୋଇଥିବା ସିଟିଟିସି ଜେନେରାଲ ମ୍ୟାନେଜର କହିଛନ୍ତି।

Leave A Reply

Your email address will not be published.