ବିଜେପି ବିଧାୟକ ଦଳର ଦିଲ୍ଲୀ ଗସ୍ତ ଚର୍ଚ୍ଚାକୁ କଂଗ୍ରେସର ଟାର୍ଗେଟ

ଓଏଲ୍ ବ୍ୟୁରୋ: ଦିଲ୍ଲୀ ଯିବେ ଓଡ଼ିଶାର ୨୨ ଜଣିଆ ବିଜେପି ବିଧାୟକ ଦଳ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନେତୃତ୍ୱରେ ବିଜେପି ବିଧାୟକ ଦଳ ଯିବେ। ତାରିଖ ସ୍ଥିର ହୋଇ ନଥିବା ବେଳେ ଖୁବଶୀଘ୍ର ଯିବା ନେଇ ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ବଢିଛି। ବିଜେପି ବିଧାୟକ ଦଳର ଦିଲ୍ଲୀ ଗସ୍ତ ଚର୍ଚ୍ଚା ନେଇ କଂଗ୍ରେସ ଟାର୍ଗେଟ କରିଛି। ପିସିସି ସଭାପତି ଶରତ ପଟ୍ଟନାୟକ ସମାଲୋଚନା କରିଛନ୍ତି। ବିଜେପି ଓ ବିଜେଡି ଏକ୍; ଯେତେ ଦିଲ୍ଲୀ ଗଲେ ବି କେନ୍ଦ୍ର ଶୁଣିବନି। ନା ଇଡି ଆସିବ ନା ସିବିଆଇ, ଏମାନେ ଦୁଇ ଜଣ ଭାଇଭାଇ। ଉପରେ ବୁଝାମଣା ହୋଇଛି, ଓଡ଼ିଶାବାସୀ ଜାଣି ସାରିଲେଣି। ଲୋକଙ୍କୁ ଭୁଆଁ ବୁଲାଇବାକୁ ଦିଲ୍ଲୀ ଯାଉଛନ୍ତି ବୋଲି ଶରତ ପଟ୍ଟନାୟକ ସମାଲୋଚନା କରିଛନ୍ତି।
ସୂଚନା ଅନୁସାରେ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ସେମାନେ ଓଡିଶାର ଶାସନ ବ୍ୟବସ୍ଥା ବିଷୟରେ ନିର୍ବାଚନ କମିଶନଙ୍କୁ ଜଣାଇବେ। ଓଡିଶାରେ ସମ୍ବିଧାନ ହିସାବରେ ସରକାର ଚାଲୁନଥିବା ଅଭିଯୋଗ କରିବେ। ରାଷ୍ଟ୍ରପତିଙ୍କୁ ଭେଟି ଅବ୍ୟବସ୍ଥା ସମ୍ପର୍କରେ ଜଣାଇବେ। ପ୍ରଧାନମନ୍ତ୍ରୀଙ୍କ ସହ ଓଡିଶାର ସମ୍ପୂର୍ଣ୍ଣ ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା କରିବେ। ଓଡିଶାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ କରିବେ। ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଓଡିଶାର ଆଇନଶୃଙ୍ଖଳା ପରିସ୍ଥିତି, ବିଜେପି କର୍ମୀଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ଅବଗତ କରିବେ। ଜୟନାରାୟଣଙ୍କ ବୟାନ ରାଜନୀତିକୁ ସରଗରମ କରିଛି।