Odisha Link
Bridging the Missing Links in Odisha

ଶୁକ୍ରବାରଠାରୁ ପରିବା ବିକ୍ରି ବନ୍ଦ, ଡେଙ୍ଗୁରା ପିଟି ନିଶ୍ଚିତ କଲା ମହାସଂଘ

ଓଏଲ୍‌ ବ୍ୟୁରୋ: ପାର୍ବଣ ଋତୁରେ ସମସ୍ତେ ମସଗୁଲ। ଆଗକୁ ଛୁଟି ଥିବାରୁ ଭୋଜି ଭାତର ଆୟୋଜନ ମଧ୍ୟ ବହୁ ଲୋକ କରିସାରିଥିବେ ନିଶ୍ଚୟ। ତେବେ ଏହାପୂର୍ବରୁ ରାଜଧାନୀବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କାରଣ ଆସନ୍ତା ୨୦ ତାରିଖ ତଥା ଶୁକ୍ରବାରଠୁ ଭୁବନେଶ୍ବରରେ ପରିବା ବିକ୍ରି ବନ୍ଦ ରହିବ ବୋଲି ଚେତାବନୀ ଦେଇଛି ରାଜଧାନୀ କଞ୍ଚା ପରିବା ମହାସଂଘ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ୟବସାୟ ବନ୍ଦ ହେବାକୁ ଚେତାବନୀ ଦିଆଯାଇଥିବାରୁ ଛୋଟ ଛୋଟ ବ୍ୟବସାୟୀଙ୍କ ସମେତ ଗ୍ରାହକ ଚିନ୍ତାରେ ପଡ଼ିଛନ୍ତି।

ମିଳିଥିବା ସୂଚନା ମୁତାବକ, ୟୁନିଟ୍‌-୧ ହାଟ ସମ୍ପୂର୍ଣ୍ଣ ବନ୍ଦ ରହିବାକୁ ଯାଉଥିବାରୁ ରାଜଧାନୀରେ ଥିବା ୨୦ରୁ ଊର୍ଦ୍ଧ୍ବ ହାଟରେ ପରିବା ଉପଲବ୍ଧ ହେବନାହିଁ। ଆଳୁ ପିଆଜ କିଛି ଦିନ ରହିବା ଆଶା ଥିଲେ ମଧ୍ୟ କଞ୍ଚା(ସବୁଜ) ପରିବା ଉପଲବ୍ଧ ହେବାର କୌଣସି ସମ୍ଭାବନା ନାହିଁ। ଦୁଇଦିନ ତଳୁ ବିଏମ୍‌ସି ଓ କମିସନରେଟ୍‌ ପୁଲିସକୁ ଅବଗତ କରାଯାଇଥି‌ଲେ ମଧ୍ୟ କେହି ହସ୍ତକ୍ଷେପ କରିନଥିବାରୁ ବ୍ୟବସାୟ ବନ୍ଦ ରଖିବା ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି। ସୋମବାର ପୂର୍ବାହ୍ନ ଓ ଅପରାହ୍‌ଣରେ ୧ ନଂ ହାଟ ପରିସରରେ ମହାସଂଘ ପକ୍ଷରୁ ଡେଙ୍ଗୁରା ପିଟାଯାଇ ୨୦ ତାରିଖରୁ ଆନ୍ଦୋଳନ ବାବଦରେ ସୂଚନା ଦିଆଯାଇଛି।

କ’ଣ ରହିଛି ମହାସଂଘର ଅଭିଯୋଗ ?
କ୍ୟାପିଟାଲ୍‌ ଥାନା କଡ଼ରେ ଥିବା ହାଟ ପ୍ରବେଶ ପଥରେ ଦୁର୍ଗାପୂଜା ପାଇଁ ତୋରଣ ହୋଇଛି। ରାସ୍ତାର ଉଭୟପାର୍ଶ୍ବରେ ବାଉଁଶ ପୋତା ଯାଇଥିବାରୁ ରାସ୍ତା ସଙ୍କୁଚିତ ହୋଇଛି। ଉପରେ ଲିଚୁ ଲାଇଟ୍‌ ମାଳ ଝୁଲୁଛି। ଏଣୁ ଟ୍ରକ୍‌ ପଶି ପାରୁନାହିଁ। ଦିନକୁ ଏହି ହାଟକୁ ୧୦୦ରୁ ଅଧିକ ବଡ଼ ଟ୍ରକ୍‌ ଓ ୩୦୦ରୁ ଅଧିକ ଛୋଟଗାଡ଼ି ଯିବା ଆସିବା କରୁଛି। ସଙ୍କୁଚିତ ରାସ୍ତା ପାଇଁ ଗାଡ଼ି ପଶି ପାରୁନାହିଁ। ଗୋଟିଏ ଗାଡ଼ି ପଶିଲେ ଆଉ ଗୋଟିଏ ଗାଡ଼ି ବାହାରି ପାରୁନାହିଁ। ଣେ ମହିଳା କର୍ପୋରେଟରଙ୍କ ସ୍ବାମୀ ଏହି ଅବରୋଧ ସପକ୍ଷରେ ଥିବାରୁ ବିଏମ୍‌ସି ଓ ପୁଲିସ ଉଭୟ ନିରବ ଥିବା କୁହାଯାଉଛି। ତେବେ ଆଲୋଚନା ମାଧ୍ୟମରେ ଏହି ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି କମିସନର ବିଜୟ ଅମୃତା କୁଲାଙ୍ଗେ।

ହାଟ ବନ୍ଦ ହେଲେ କ’ଣ ପଡ଼ିବ ପ୍ରଭାବ?
୧ ନମ୍ବର ହାଟ ବନ୍ଦହେଲେ ଏହି ସବୁ ଜାଗାରେ ପରିବା ନମିଳିବା ନିଶ୍ଚିତ। ପ୍ରତ୍ୟେକ ଦିନ ୨୫୦୦ ଟନ୍‌ ପରିବା ଆବଶ୍ୟକ ହୋଇଥାଏ। ବିଶେଷକରି ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ରାଞ୍ଚି, ଛତିଶଗଡ଼, ଦିଲ୍ଲୀ ପ୍ରଭୃତି ଜାଗାରୁ ପରିବା ଏହି ବଜାରକୁ ଆସିଥାଏ। ଏହା ଛଡ଼ା ବାଇଗଣ, କାଙ୍କଣ, ପୋଟଳ ଓ ଅମୃତଭଣ୍ଡା ପାଇଁ କେବଳ କୋଲକାତା ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଦୁଇଦିନ ପୂର୍ବରୁ ଏହିସବୁ ରାଜ୍ୟର ବ୍ୟବସାୟୀମାନଙ୍କୁ ଅର୍ଡର ଦେବାକୁ ପଡ଼ିଥାଏ। ସେଥିପାଇଁ ଏହି ବ୍ୟବସାୟୀମାନଙ୍କ ସହ ଆଲେଚାନା କରାଯାଇଛି ବୋଲି କହିଛନ୍ତି କଞ୍ଚା ପରିବା ମହାସଂଘ ସଭାପତି କବିରାଜ ସ୍ବାଇଁ କହିଛନ୍ତି।