Odisha Link
Bridging the Missing Links in Odisha

ଦିଲ୍ଲୀରେ ଚିନ୍ତା ବଢ଼ାଉଛି ପ୍ରଦୂଷିତ ବାୟୁ, ଜାଣନ୍ତୁ କେମିତି ହୁଏ କୃତ୍ରିମ ବର୍ଷା…..

ଓଏଲ୍‌ ବ୍ୟୁରୋ: ଆଉ ୨ ଦିନ ପରେ ଆଲୋକର ପର୍ବ ଦୀପାବଳୀ। ଏହା ପୂର୍ବରୁ ଦିଲ୍ଲୀରେ ପ୍ରଦୂଷିତ ବାୟୁ ଚିନ୍ତାର ବିଷୟ ପାଲଟିଛି। ପ୍ରଦୂଷଣ ରୋକିବା ପାଇଁ କୃତ୍ରିମ ବର୍ଷା କରିବାକୁ ଯୋଜନା କରୁଛନ୍ତି ଦିଲ୍ଲୀ ସରକାର। ବାୟୁର ମାନକ ବଢ଼ାଇବା ପାଇଁ କେଜ୍ରିୱାଲ ସରକାର ଆଇଆଇଟି କାନପୁରର ସହ ଆଲୋଚନା ଜାରି ରଖିଛନ୍ତି। ଦୀପାବଳି ପରେ ୨୦ କିମ୍ବା ୨୧ତାରିଖରେ କୃତ୍ରିମ ବର୍ଷା କରାଇବାକୁ ଯୋଜନା କରାଯାଉଛି।

ଜାଣନ୍ତୁ କୃତ୍ରିମ ବର୍ଷା କ’ଣ?

ଆକାଶରେ କଳା ବାଦଲ ଆସିଲେ ଏବଂ ବିଜୁଳି ଘଡ଼ଘଡ଼ି ହେଲେ ହିଁ ବର୍ଷା ହୋଇଥାଏ। କିନ୍ତୁ କ୍ଲାଉଡ ସିଡିଙ୍ଗ ଦ୍ୱାରା ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ବର୍ଷା କରାଯାଇ ପାରିବ। ଏହା ଦ୍ୱାରା ବର୍ତ୍ତମାନ ମରୁଡ଼ି ଏବଂ ପ୍ରଦୂଷଣ ଭଳି ସମସ୍ୟାର ସମାଧାନ ହୋଇ ପାରିବ। ତେବେ କ୍ଲାଉଡ ସିଡିଙ୍ଗ ସମୟରେ, ଏକ ବିମାନରୁ ଅନେକ କ୍ଲାଉଡ ସିଡ୍‌ ବାଦଲରେ ବିଛା ଯାଏ, ଏହା ପରେ ହିଁ ଆକାଶରେ ବାଦଲ ଭରିଯାଏ ଏବଂ କିଛି ସମୟ ପରେ ବର୍ଷା ହୋଇଥାଏ। କିନ୍ତୁ ଏହି ପ୍ରକ୍ରିୟା ବହୁତ କଠିନ ହୋଇଥାଏ।

ବାଦଳରେ ବିଛା ଯାଉଥିବା ଏହି କ୍ଲାଉଡ ସିଡ୍‌ କିପରି ପ୍ରସ୍ତୁତ ହୋଇଥାଏ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଠୁଥିବ। ଏହି କ୍ଲାଉଡ ସିଡ୍‌ କୁ ସାଇଣ୍ଟଫିକ ଉପାୟରେ ଲ୍ୟାବରେ ପ୍ରସ୍ତୁତ କରାଯାଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ଶୁଖିଲା ବରଫ, ଲୁଣ, ସିଲଭର୍‌ ଆୟୋଡାଇଡ ସହିତ ଅନେକ ରାସାୟନିକ ପଦାର୍ଥ ଏଥିରେ ମିଶା ଯାଇଥାଏ। ଏହାକୁ ପ୍ରସ୍ତୁତ କରିବା ପରେ ଏୟାରକ୍ରାଫ୍ଟ ଦ୍ୱାରା ଆକାଶରେ ଏହାକୁ ବୁଣା ଯାଏ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଏକ ପ୍ରକାର ଚାଷ ପରି କରାଯାଇଥାଏ, ସେଥିପାଇଁ ଏହାକୁ କ୍ଲାଉଡ ସିଡିଙ୍ଗ କୁହାଯାଇଥାଏ। ତେବେ ଭାରତ ପୂର୍ବରୁ ୟୁଏଇ ଏବଂ ଚୀନରେ ଏହି ପରୀକ୍ଷଣ କରାଯାଇଛି।

କିପରି ହୋଇଥାଏ କୃତ୍ରିମ ବର୍ଷା!

ଦିଲ୍ଲୀରେ ପ୍ରଦୂଷିତ ବାୟୁକୁ ନେଇ ଚିନ୍ତା ବଢୁଥିବାବେଳେ ଏହାକୁ ରୋକିବା ପାଇଁ କୃତ୍ରିମ ବର୍ଷା କରାଇବାକୁ ଯୋଜନା କରାଯାଉଛି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। କୃତ୍ରିମ ବର୍ଷାକୁ ନେଇ ଆବଶ୍ୟକୀୟ ପରିବେଶ ସୃଷ୍ଟି କରିବା ପାଇଁ ଆଇଆଇଟି କାନପୁର ଦୀର୍ଘ ୫ବର୍ଷ ହେଲା ଗବେଷଣା ଜାରି ରଖିଛି। ଗତ ଜୁଲାଇ ମାସରେ ଏହାର ସଫଳ ପରୀକ୍ଷଣ ମଧ୍ୟ କରାଯାଇଛି। ଏବେ ଦିଲ୍ଲୀ ପ୍ରଦୂଷଣର ମୁକାବିଲା ପାଇଁ ଆଇଆଇଟି କାନପୁର ବାଟ ବାହାର କରିଛି।

କୃତ୍ରିମ ବର୍ଷା କରାଗଲେ ପ୍ରାୟ ଥରକ ପାଇଁ ବାୟୁ ପ୍ରଦୂଷଣରୁ ମୁକ୍ତି ମିଳିବ। କ୍ଲାଉଡ ସିଡିଂ ଜରିଆରେ ଏହି କୃତ୍ରିମ ବର୍ଷା କରିବାକୁ ଯୋଜନା କରାଯାଉଛି। ଯଦି ନଭେମ୍ବର ୨୦-୨୧ ତାରିଖ ଦିଲ୍ଲୀ ଆକାଶରେ ମେଘ ଥାଏ ଏବଂ କୃତ୍ରିମ ବର୍ଷା ଅନୁମୋଦନକୁ ମଞ୍ଜୁରୀ ମିଳିଯାଏ ତେବେ ବର୍ଷା କରାଯିବ। ଆଉ ଏହା ହେବ ଦେଶରେ ପ୍ରଥମ ବୈଜ୍ଞାନିକ ପଦ୍ଧତି ଅନୁସାରେ କୃତ୍ରିମ ବର୍ଷା। ତେବେ ଭାରତ ପୂର୍ବରୁ ୟୁଏଇ ଏବଂ ଚୀନରେ ଏହି ପରୀକ୍ଷଣ କରାଯାଇଛି। ତେବେ ପ୍ରଦୂଷଣ ରୋକିବା ପାଇଁ ଏହା ଏକ ପ୍ରକାର ସାହାଯ୍ୟ କରିବ।

Leave A Reply

Your email address will not be published.