ଅଭିବୃଦ୍ଧି ପଥରେ ଓଡ଼ିଶା, ରାଜସ୍ବ ବଳକା ରାଜ୍ୟ ଭାବେ ସାରା ଦେଶରେ ଓଡ଼ିଶା ନମ୍ବର ୱାନ୍
ଓଏଲ୍ ବ୍ୟୁରୋ: ରାଜ୍ୟ ଅଭିବୃଦ୍ଧି ପଥରେ ଆଗେଇ ଚାଲିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ବିଭିନ୍ନ ରାଜ୍ୟର ଆର୍ଥିକ ସ୍ଥିତିର ଏକ ତୁଳନାତ୍ମକ ଚିତ୍ର ସାମ୍ନାକୁ ଆସିଛି। କେବଳ ରାଜସ୍ବ ବଳକା ରାଜ୍ୟ ଭାବେ ନୁହେଁ ଅର୍ଥନୈତିକ ଦୃଷ୍ଟିକୋଣରୁ ଏକ ମଜଭୁତ ରାଜ୍ୟ ଭାବେ ଓଡିଶା ସାରା ଦେଶରେ ପରିଗଣିତ ହେଉଛି।
ଭାରତର ଲେଖା ନିୟନ୍ତ୍ରକ ତଥା ମହଲେଖା ପରୀକ୍ଷକ (ସିଏଜି)ଙ୍କ ରିପୋର୍ଟ ଅନୁସାରେ, ୨୦୨୧-୨୨ ଆର୍ଥିକବର୍ଷରେ ଓଡ଼ିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍ଡିପି) ସାମ୍ପ୍ରତିକ ମୂଲ୍ୟରେ ୬,୩୮,୩୪୨ କୋଟି ଟଙ୍କା ରହିଥିଲା। ସ୍ଥିର ମୂଲ୍ୟରେ ଏହା ୪,୨୭,୫୯୨ କୋଟି ଟଙ୍କା ରହିଛି। ତେବେ ପୂର୍ବ ବର୍ଷ ତୁଳନାରେ ଜିଏସ୍ଡିପିରେ ୧୭.୫୮ ଅଭିବୃଦ୍ଧି ଘଟିଛି। ୨୦୨୧-୨୨ରେ ଜିଏସ୍ଡିପିକୁ ସେବା କ୍ଷେତ୍ରର ଯୋଗଦାନ ସର୍ବାଧିକ ୩୪.୬୭ ପ୍ରତିଶତ ରହିଥିଲା।
ଏହା ପଛକୁ ଶିଳ୍ପ କ୍ଷେତ୍ରର ଯୋଗଦାନ ୩୪.୩୫ ପ୍ରତିଶତ ରହିଛି। ଏସବୁ ସଫଳତା ପାଇଁ ଓଡ଼ିଶା ରାଜସ୍ୱ ଓ ଆର୍ଥିକ ଦୃଷ୍ଟିରୁ ଏକ ବଳକା ରାଜ୍ୟରେ ପରିଣତ ହୋଇଛି। ଅଦିନିଆ ବର୍ଷାରେ ଫସଲହାନୀ ସତ୍ତ୍ବେ ରାଜ୍ୟର କୃଷି କ୍ଷେତ୍ରରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଥିବା ଭାରତର ଲେଖା ନିୟନ୍ତ୍ରକ ତଥା ମହଲେଖା ପରୀକ୍ଷକ (ସିଏଜି)ଙ୍କ ରିପୋର୍ଟରୁ ଜଣାପଡିଛି।