Odisha Link
Bridging the Missing Links in Odisha

ମେଣ୍ଟ: ଦଳ ରାଜି, ନେତା ଅରାଜି

ଓଏଲ୍‌ ବ୍ୟୁରୋ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇନି ସତ କିନ୍ତୁ ଦେଶର ସବୁଠି ଅନୁଭୂତ ହେଲାଣି ନିର୍ବାଚନୀ ତାତି। ଏଥର ସଂସଦରେ ୪୦୦ ଆସନର ଲକ୍ଷ୍ୟ ରଖିଥିବା ଏନ୍‌ଡିଏ ଏକ ଦୃଢ଼ ମେଣ୍ଟ ସରକାର ଗଠନ କରିବାକୁ କରୁଛି ଜୋରଦାର ପ୍ରସ୍ତୁତି। ଏସବୁ ମଧ୍ୟରେ ସାରା ଦେଶରେ ବର୍ତ୍ତମାନ ଓଡ଼ିଶା ରାଜନୀତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ୧୫ ବର୍ଷ ପରେ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ଭୁବନେଶ୍ବରରୁ ଦିଲ୍ଲୀ ପର୍ଯ୍ୟନ୍ତ ଘନଘନ ଆଲୋଚନା ଚାଲିଛି।

ଓଡ଼ିଶା ବିଜେପିର ଶୀର୍ଷ ନେତୃତ୍ୱ ଦିଲ୍ଲୀରେ ଥିଲା ବେଳେ ଗତକାଲି ବିଜେଡିର ତୁଙ୍ଗ ନେତା କାର୍ତ୍ତିକ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଗସ୍ତ କରିଥିଲେ। ଉଭୟ ଦଳ ମଧ୍ୟରେ ମେଣ୍ଟ ଆଲୋଚନା ହୋଇଥିବା ନେଇ ଜାତୀୟଠୁ ରାଜ୍ୟ ଗଣମାଧ୍ୟମ ଯାଏଁ ସବୁଠି ଖବର ପରିବେଷଣ ହେଉଛି। ଏସବୁ ମଧ୍ୟରେ ପାଣ୍ଡିଆନ ଓ ପ୍ରଣବ ଭୁବନେଶ୍ୱର ଫେରି ଆସିଛନ୍ତି। ହେଲେ ଏଯାଏଁ ମେଣ୍ଟକୁ ନେଇ କୌଣସି ଦଳ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇନାହିଁ।

ଯଦି ମେଣ୍ଟ ହୁଏ ବିଜେପି ହିଁ ଅଧିକ ଲାଭବାନ ହେବ। ଏସହୁ ସତ୍ତ୍ୱେ ଓଡ଼ିଶାର ନେତା ମେଣ୍ଟ ପାଇଁ ପ୍ରସ୍ତୁତ ନାହାଁନ୍ତି। ବିଜେପି ଶୀର୍ଷ ନେତୃତ୍ୱ ଓଡ଼ିଶାରେ ବିଜେଡି ସହିତ ମେଣ୍ଟ କରିବାକୁ ଚାହୁଁଥିବା ବେଳେ ଓଡ଼ିଶା ବିଜେପି ନେତୃତ୍ବ କିନ୍ତୁ ମେଣ୍ଟ ପାଇଁ ଅରାଜି ହେଉଥିବା ବିଶେଷ ସୂତ୍ରରୁ ସୂଚନା ରହିଛି। ସେପରି ବିଜେଡିର ଶୀର୍ଷ ନେତୃତ୍ବ ମେଣ୍ଟ ପାଇଁ ରାଜି ହେଉଥିବା ବେଳେ ନେତା ଓ କର୍ମୀ ଅରାଜି ହେଉଥିବା ସୂଚନା ରହିଛି।

ମେଣ୍ଟ ହେଲେ ଉଭୟ ଦଳର ବହୁ ନେତା ଟିକେଟ୍ ପାଇବାରୁ ବଞ୍ଚିତ ହେବା ନେଇ ଛାନିଆ ହେଲେଣି। ବିଶେଷ କରି ଗ୍ରାମାଞ୍ଚଳରେ ଅହିନକୁଳ ସମ୍ପର୍କରେ ଥିବା ବିଜେପି-ବିଜେଡି କର୍ମୀ ମେଣ୍ଟ ହେଲେ କିଭଳି ମିତ୍ରତା କରିବେ ସେ ନେଇ ଦ୍ୱନ୍ଦ୍ୱରେ। ଉଭୟ ଦଳରେ ଏବେ ଟିକେଟ୍ ଆଶାୟୀ ଏତେ ଯେ ଏକାକୀ ଲଢ଼େଇ କଲେ ମଧ୍ୟ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ସମ୍ଭବ ନୁହେଁ। ଏଭଳି ସ୍ଥିତିରେ ମେଣ୍ଟ ହେଲେ ଉଭୟ ଦଳର ବହୁ ନେତା ଓ କର୍ମୀ ଦଳ ଛାଡ଼ି କଂଗ୍ରେସମୁହାଁ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ମେଣ୍ଟ ଘୋଷଣା ନେଇ ଏଯାଏଁ କୌଣସି ବିଦ୍ଧିବଦ୍ଧ ସୂଚନା ମିଳିନଥିଲେ ହେଁ ରାଜ୍ୟ ବିଜେପି ଓ ବିଜେଡି ଶିବିରରେ ନିରବତା ଏକ ସମ୍ଭାବ୍ୟ ଝଡ଼ର ସୂଚନା ଦେଉଛି।

Leave A Reply

Your email address will not be published.