Odisha Link
Bridging the Missing Links in Odisha

ବଳ ଗୋଟାଉଛି ବିଜେପି, ଲକ୍ଷ୍ୟ ୪୦୦

ଓଏଲ୍‌ ବ୍ୟୁରୋ: ଗଣତନନ୍ତ୍ରର ମହାନ ପର୍ବ ପାଇଁ ପ୍ରସ୍ତୁତ ହେଉଛି ଭାରତ। ଆଉ ଖାସ୍‌ ସେଇଥିପାଇଁ ନିର୍ବାଚନ ଯେତେ ପାଖଉଛି ପଲ୍ଲୀରୁ ଦିଲ୍ଲୀ ରାଜନୀତି ସରଗରମ ହେଇ ଉଠିଛି। ବିଶେଷ ଭାବେ ଏନ୍‌ଡିଏ ଓ ଇଣ୍ଡିଆକୁ ନେଇ ରାଜନୈତିକ ପାଣିପାଗ ଗରମ ରହିଛି। ଏସବୁ ମଧ୍ୟରେ ବଳ ଗୋଟାଇବାରେ ଲାଗିଛି ଭାରତୀୟ ଜନତା ପାର୍ଟି। ବିଜେପି ଅଟଳ-ଆଡଭାନୀଙ୍କ ପଥକୁ ଅନୁସରଣ କରି ପୁରୁଣା ସହଯୋଗୀ ଦଳ ଗୁଡ଼ିକୁ ଏନଡିଏରେ ସାମିଲ କରିବାରେ ଲାଗିଛି। ଏସବୁ ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଏନଡିଏ ୪ଟି ଦଳ ସହିତ ମେଣ୍ଟ କରିବାକୁ ଯାଉଛି ବୋଲି ଏବେ ସବୁଠି ଚର୍ଚ୍ଚାରେ। ବିଜେପି ଅବ୍‌ କି ବାର ୪୦୦ ପାର ନାରା ଦେଉଥିବା ବେଳେ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ଭୁବନେଶ୍ବରରୁ ଦିଲ୍ଲୀ ପର୍ଯ୍ୟନ୍ତ ଘନଘନ ଆଲୋଚନା ଚାଲିଛି।

ଗତକାଲି ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଏବଂ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଯାଇଥିଲେ। ହେଲେ ଆଜି ପୂର୍ବାହ୍ନ ୧୧ଟାରେ ଓଭୟେ ଓଡ଼ିଶା ଫେରି ଆସିଛନ୍ତି। ହେଲେ ମେଣ୍ଟକୁ ନେଇ କିଛି ବି କହିନାହାନ୍ତି। ଅନ୍ୟପଟେ ଚର୍ଚ୍ଚା ହେଉଛି ଯେ, ମାର୍ଚ୍ଚ ୧୨ ତାରିଖ ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିବେ ଏବଂ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ମେଣ୍ଟ ଘୋଷଣା କରିପାରନ୍ତି।

ଆଉ ଏକ ସୂତ୍ରରୁ ଜଣାପଡ଼ିଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯିବେ। ସେଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ମେଣ୍ଟ ନେଇ ଘୋଷଣା ହେବ। ହେେଲେ ଏବେ ସୁଦ୍ଧା କୌଣସି ଖବରରେ ସ୍ପଷ୍ଟତା ଆସିନାହିଁ। ଏବେ ଆନ୍ଧ୍ରରେ ଟିଡିପି, ପଞ୍ଜାବରେ ଅକାଳୀ ଦଳ ସହ ମେଣ୍ଟ ନେଇ ବିଜେପିର ଶୀର୍ଷ ନେତୃତ୍ବଙ୍କ ଆଲୋଚନା ଚାଲିଥିବାରୁ ଗୋଟିଏ ଦିନରେ ନୂଆଦିଲ୍ଲୀରେ ତିନି ଦଳଙ୍କ ସହ ମେଣ୍ଟ ହେବା ନେଇ ଘୋଷଣା ହୋଇପାରେ ବୋଲି ବି କୁହାଯାଉଛି। ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ମେଣ୍ଟ ଓ ଆସନ ବୁଝାମଣା ଚୂଡ଼ାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଅନ୍ୟପଟେ ଆଜି ଗଣମାଧ୍ୟମକୁ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଏହି ବିଷୟରେ କୌଣସି ଆଲୋଚନା ହୋଇନାହିଁ। ଆମେ ଏକାକି ଲଢ଼ିଲେ ଭଲ କରିବୁ ବୋଲି ରାଜ୍ୟ ସଭାପତି ଓ ପ୍ରମୁଖ ନେତୃବୃନ୍ଦ କେନ୍ଦ୍ରୀୟ ନେତୃତ୍ୱ ଆଗରେ କହିଛନ୍ତି। ସଭାପତି ଯାହା ଜଣାଇଛନ୍ତି, ଭାରତୀୟ ଜନତା ପାର୍ଟି ସେଥିରେ ବିଶ୍ୱାସ କରେ। ଯାହା କେନ୍ଦ୍ରୀୟ ନିଷ୍ପତ୍ତି ଆସିବ, ସେ ଅନୁସାରେ ଆମେ ଚାଲିବୁ।

Leave A Reply

Your email address will not be published.