Odisha Link
Bridging the Missing Links in Odisha

ମେଣ୍ଟ ହେବନି, ଓଡ଼ିଶାରେ ବିଜେପି ଏକା ଲଢ଼ିବ: ମନମୋହନ

ଓଏଲ୍‌ ବ୍ୟୁରୋ: ୨ ସପ୍ତାହ ଧରି ଲାଗି ରହିଥିବା ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ସାଧାରଣ ନିର୍ବାଚନ ପୂର୍ବରୁ ହେବ କି ବିଜେପି-ବିଜେଡି ମେଣ୍ଟ। ଏଭଳି ଚର୍ଚ୍ଚା ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଲାଗି ରହିଥିଲା। ହେଲେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଓଡ଼ିଶା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନି। ଏଥର ଏକାକି ଲଢ଼ିବ ବିଜେପି।

ଆଜି ସନ୍ଧ୍ୟାରେ ଦିଲ୍ଲୀରୁ ଫେରିବା ପରେ ମନମୋହନ ସାମଲ କହିଛନ୍ତି, ଆଗାମୀ ନିର୍ବାଚନକୁ ନଜରରେ ରଖି ରଣନୀତି ନେଇ ଆଲୋଚନା ହୋଇଛି। ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ। ଓଡ଼ିଶାରେ ବିଜେପି ଏକାକି ବିଜେପି ଲଢ଼ିବ ବୋଲି କଥା ଦୋହରାଇଲେ ମନମୋହନ ସାମଲ। ସେ ଆହୁରି କହିଛନ୍ତି, ଉଭୟ ଲୋକସଭା ଓ ବିଧାନସଭାରେ ବିଜେପି ଏକାକି ଲଢ଼ି। ବିଜେପି କିଭଳି ସରକାର କରିବ, ସେନେଇ ଆଲୋଚନା ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ନେଇ ଆଲୋଚନା ହୋଇଛି।

ଶେଷଥର ପାଇଁ ମାର୍ଚ୍ଚ ୨ ତାରିଖରେ ମନମୋହନ ଓଡ଼ିଶା ଆସିବା ପରେ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଆଉ କହିଥିଲେ ଯେ ରାଜ୍ୟରେ ବିଜେଡି ସହ କୌଣସି ମେଣ୍ଟ ହେବନି। ୧୪୭ ବିଧାନସଭା ଏବଂ ୨୧ ଲୋକସଭାରେ ବିଜେପି ଏକା ଲଢିବ। ବିଜେପି ଲୋକସଭାରେ ୨୧ସିଟ୍‌ ଜିତିବ। ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ। ଏପରିକି ରାଜ୍ୟରେ ମଧ୍ୟ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମନମୋହନ। ସେ କହିଛନ୍ତି, ଏଥିପାଇଁ କାର୍ଯ୍ୟକର୍ତ୍ତାମାନେ କଠିନ ପରିଶ୍ରମ କରିବା ଦରକାର। ଓଡ଼ିଶାରେ ବିଜେପି ନିଶ୍ଚୟ ସରକାର କରିବ। ଲୋକ ଏଥର ଛପର ଫାଡି ବିଜେପିକୁ ଭୋଟ ଦେବେ। ଅଧିକାଂଶ ସିଟ୍ ବିଜେପି ଜିତିବ।

ମନମୋହନଙ୍କ ମାର୍ଚ୍ଚ ୨ ମନ୍ତବ୍ୟ ପରେ ମଧ୍ୟ ରାଜ୍ୟ ରାଜନୀତିରେ ମେଣ୍ଟ ଚର୍ଚ୍ଚା ପ୍ରଶମିତ ହୋଇ ପାରିନଥିଲା। ମୋଦିଙ୍କ ଯାଜପୁର ଗସ୍ତ ସମୟରେ ମଧ୍ୟ ମେଣ୍ଟ ଘୋଷଣା ହୋଇପାରେ ବୋଲି ଆଲୋଚନା ହୋଇଥିଲା। ପରେ ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ବ ଓ ବିଜେଡିର ତୁଙ୍ଗ ନେତା କାର୍ତ୍ତିିକ ପାଣ୍ଡିଆନ୍‌ ଓ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଗସ୍ତ କରିଥିଲେ। ଯାହାକୁ ନେଇ ମେଣ୍ଟ ଚର୍ଚ୍ଚା ଆହୁରି ବଢ଼ିଥିଲା। ହେଲେ ଆଜି ମନମୋହନ ସାମଲ ମେଣ୍ଟ ହେବ ନାହିଁ ବୋଲି ଗଣମାଧ୍ୟମରେ ସ୍ପଷ୍ଟିକରଣ ରଖିଛନ୍ତି।

Leave A Reply

Your email address will not be published.