Odisha Link
Bridging the Missing Links in Odisha

ନିର୍ବାଚନୀ ମୈଦାନରେ ନେତାଙ୍କ ଗହଳି; ଉମରକୋଟରେ ଭି.କେ ପାଣ୍ଡିଆନଙ୍କ ପ୍ରଚାର

ଓଏଲ୍‌ ବ୍ୟୁରୋ: ନବୀନ ନିବାସରୁ ଆରମ୍ଭ ହୋଇଥିଲା ଯୋଡ଼ି ଶଙ୍ଖର ପ୍ରଚାର। ଆଉ ତା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହିଞ୍ଜିଳି ନିର୍ବାଚନୀ ମୈଦାନରୁ ପ୍ରତ୍ୟକ୍ଷ ଭାବେ ଆରମ୍ଭ କରିଛନ୍ତି ପ୍ରଚାର। ଏହା ପରେ ଦଳର ମଙ୍ଗ ଧରିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଗତକାଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କୋରାପୁଟ ଜିଲ୍ଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ପ୍ରଚାର। ଏଥିସହିତ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।

ସେ ଜନସଭାକୁ ସମ୍ବୋଧିତ କରି କହିଥିଲେ, ନିର୍ବାଚନ ସମୟ ଆସିଛି ବୋଲି କିଛି ଲୋକଙ୍କ ନିଦ ଭାଙ୍ଗିଯାଇଛି। ନିର୍ବାଚନ ବେଳେ ବଡ଼ ବଡ଼ ମିଠା କଥା କହିବେ। ହେଲେ ନିର୍ବାଚନ ସରିଗଲେ ଆପଣମାନେ ଖୋଜିଲେ ବି ତାଙ୍କୁ ପାଇବେନି। ଆପଣମାନେ ବିଗତ ଦିନରେ ଯାହା ମାଗିଥିଲେ ତାହା ମିଳିଛି। ଏହା ହେଉଛି ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି। ଶଙ୍ଖ ଚିହ୍ନ ହେଉଛି ବିକାଶର ଗ୍ୟାରେଣ୍ଟି। ଆପଣଙ୍କ ଆଉ ଯାହା ବି ସମସ୍ୟା ଅଛି ତାହା କେବେ ନବୀନ ପଟ୍ଟନାୟକ ହିଁ ଦୂର କରିପାରିବେ ବୋଲି ପାଣ୍ଡିଆନ କହିଛନ୍ତି।

ଅନ୍ୟପଟେ, ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଥିବାବେଳେ ହିଞ୍ଜିଳି ଓ କଣ୍ଟାବାଞ୍ଜିକୁ ମିଶାଇ ୩୫ ଆସନରେ ଭୋଟ ଗ୍ରହଣ ହେବ। ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଥିବାବେଳେ ମେ‘ ୨୦ରେ ଭୋଟ ଗ୍ରହଣ। ଆସନ୍ତା ମେ’୧୩ ତାରିଖରେ ରାଜ୍ୟର ୪ଟି ଲୋକସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଏବଂ ଏହା ଅଧୀନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀ‌ରେ ହେବାକୁ ଥିବା ମତଦାନ ପାଇଁ କାଲି ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୨୪ ତାରିଖ ସୁଦ୍ଧା ୪ଟି ଲୋକସଭା ଆସନରେ ମୋଟ୍ ୩୦ଜଣ ପ୍ରାର୍ଥୀ ନାମାଙ୍କନ କରିଥିଲେ। କଳାହାଣ୍ଡିରେ ୧୦ଜଣ, ନବରଙ୍ଗପୁରରେ ୩ଜଣ, ବ୍ରହ୍ମପୁରରେ ୮ଜଣ, କୋରାପୁଟରେ ୯ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଶେଷ ଦିନରେ ଆଉ କେତେକ ପ୍ରାର୍ଥୀ ନାମାଙ୍କନ କରିଥିବାରୁ ଏହି ସଂଖ୍ୟା ବଢ଼ିପାରେ।

ସେହିପରି ନୂଆପଡ଼ା, ଖରିଆର, ଉମ‌ରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନିପାଟଣା, ନର୍ଲା, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର, କୋରାପୁଟ, ପଟାଙ୍ଗୀ, ମାଲକାନଗିରି, ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ‌ରେ ବି ୧୩‌ତାରିଖରେ ହେବାକୁ ଥିବା ମତଦାନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। ଏଠାରେ ୨୪ତାରିଖ ସୁଦ୍ଧା ୧୭୮ଜଣ ନାମାଙ୍କନ ଦାଖଲ କରିଛନ୍ତି। ବ୍ରହ୍ମପୁର ଆସନ ପାଇଁ ସର୍ବାଧିକ ୧୬ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ବାକି ସବୁ ଆସନରୁ ୩ କିମ୍ବା ତା’ଠାରୁ ଅଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏହି ସବୁ ଆସନରେ ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ ଆରମ୍ଭ ହେବ। ୨୯ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ।

ସେହିପରି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସିକା ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ନିର୍ବାଚନ ହେବ। ଏଠାରେ ମେ’ ୨୦ରେ ମତଦାନ ହେବାକୁ ଥିବାବେଳେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଏପ୍ରିଲ ୨୬ରୁ ଆରମ୍ଭ ହୋଇ ମେ’ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’ ୪ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ଏବଂ ମେ’ ୬ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply

Your email address will not be published.