ଅଭିନୟ ସହ ଗୋ’ ସେବାରେ ମଧ୍ୟ ରୁଚି ରଖିଥାନ୍ତି ଓଲିଉଡ୍ ଅଭିନେତା

ଅନୁଗୁଳ : ଅଭିନୟ ସହ ଗୋ’ ସେବାରେ ମଧ୍ୟ ରୁଚି ରଖିଥାନ୍ତି ଓଲିଉଡ୍ ଅଭିନେତା ଅଶୋକ ଦାସ । ସେ ନିଜ ଅଭିନୟର ଯାଦୁରେ ଅନେକ ଦର୍ଶକଙ୍କ ମନ କିଣି ନେଇଛନ୍ତି । ଅଶୋକ ୧୯୯୨ ମସିହାରେ ଓଡ଼ିଆ ସିନେମାରେ ପାଦ ଥାପିଥିଲେ । ସେ ପରଦାରେ ଶ୍ରେଷ୍ଠ ଅଭିନୟ ପାଇଁ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ଅଶୋକ ୧୯୮୬-୮୭ ମସିହାରେ ଅନୁଗୁଳ ଜିଲ୍ଲା ଅମଲାପଡ଼ାରେ ଠାରେ କେତୋଟି ଗାଈକୁ ନେଇ, ଗୋପାଳନ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ ଫାର୍ମରେ ୫୦ରୁ ଅଧିକ ଗାଈ ରଖିଛନ୍ତି ଅଶୋକ। ତାଙ୍କ ଫାର୍ମରୁ ୩୦୦ ଲିଟର କ୍ଷୀର ଦୈନଦିନ ଉତ୍ପାଦିତ ହୋଇଥାଏ । ଏହାଦ୍ୱାରା ସେ ଅନେକଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି। ଗୋପାଳନ କରିବା ସହ ସେ ଗାଈଙ୍କ ଖାଦ୍ୟ ପାଇଁ ୧୬ ଏକର ଜମିରେ ଘାସ ମଧ୍ୟ ଚାଷ କରିଛନ୍ତି। ସେ ଅଭିନୟ କରିବା ସହ ଗୋପାଳନ କରିବାକୁ ମଧ୍ୟ ବେଶ୍ ଖୁସି ଅନୁଭବ କରୁଥାନ୍ତି ।
ତାଙ୍କ ଫାର୍ମରୁ ଉତ୍ପାଦିତ ହେଉଥିବା ଖାଣ୍ଟି କ୍ଷୀର ଅନୁଗୁଳରେ ବେଶ୍ ଚାହିଦା ରହିଛି । ସେଥିପାଇଁ ତାଙ୍କର ଅମଲାପଡ଼ା ଘର ଆଗରେ ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ଲୋକଙ୍କ ଭିଡ଼ ଲାଗିଥାଏ ।