ରଙ୍ଗେଇଲୁଣ୍ଡା ବସ୍ ଦୁର୍ଘଟଣା ନେଇ ଦିବ୍ୟ ଶଙ୍କର ଦୁଃଖ ପ୍ରକାଶ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍ ମେଣ୍ଢାରାଜ ପୁର ଡଙ୍ଗଲ ପାଡ଼ୁ ଗ୍ରାମ୍ୟ ରାସ୍ତାରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଘଟିଥିବା ବସ୍ଦୁର୍ଘଟଣାରେ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
ଏଭଳି ବିଦ୍ୟୁତଜନିତ ଦୁର୍ଘଟଣାର ପୁନରାବୃତ୍ତି ଯେପରି ହେବ ନାହିଁ ସେଥି ନିମନ୍ତେ ବିଭାଗୀୟ ସମସ୍ତ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ଏହାର ସ୍ଥାୟୀ ପ୍ରତିକାର ସହ ଦୃଢ଼ ପଦକ୍ଷେପ ନେବାକୁ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।
ଲୋକସେବା ଭବନ କାର୍ଯ୍ୟାଳୟ ପ୍ରକୋଷ୍ଠରେ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ତ୍ତ, ଜାତୀୟ ରାଜପଥ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଆଦି ବିଭାଗ ରାସ୍ତାର ମରାମତି କିଞ୍ଚା ପ୍ରଶସ୍ତିକରଣ ସକାଶେ ବିଦ୍ୟୁତ ଖୁଣ୍ଟ ରହିଥିବା ସ୍ଥାନଗୁଡ଼ିକରେ ବିଦ୍ୟୁତ ବିଭାଗର ଅନୁମୋଦନ ବିନା କାର୍ଯ୍ୟ ତ୍ୱରାନ୍ୱିତ କରି ପାରିବେ ନାହିଁ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।
ଲୋକଙ୍କ ଜୀବନ ଏବଂ ସେମାନଙ୍କ ସଂ ପତ୍ତିକୁ ଗୁରୁତ୍ୱ ଦେଇ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଦୁ୍ୟତ ବିଭାଗର ସମସ୍ତ କନିଷ୍ଠ ଯନ୍ତ୍ରୀ ଓ ଉପଖଣ୍ଡସ୍ତରୀୟ ପଦାଧିକାରୀମାନେ ଆସନ୍ତା ୨ ଦିନ ମଧ୍ୟରେ ବପଦଜ୍ଜନକ ଭାବରେ ରହିଥିବା ସମସ୍ତ ୧୧ କେଭି ଲାଇନ୍ ଓ ରାସ୍ତା ଅତିକ୍ରମ କରୁଥିବା ବିଜୁଳି ତାର ବାବଦରେ ବିଶଦ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଯୁଦ୍ଧକାଳୀନ ଭିତ୍ତିରେ ସେସବୁର ମରାମତି ଓ ରକ୍ଷଣାବେକ୍ଷଣ କରାଯିବ ଓ ଜନଜୀବନ ସୁରକ୍ଷିତ ରଖିବା ଉପରେ ସବୁମତେ ବ୍ୟବସ୍ଥା କରିବାକୁ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । କୌଣସି ପରିସ୍ଥିତିରେ ଯଦି ଦୁର୍ଘଟଣା ଘଟେ ତେବେ ତୁରନ୍ତ ଫିଡରରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ସକାଶେ ବୈଷୟିକ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଜଣାଇଥିଲେ ।
ଗ୍ରୀଡ଼୍କୋର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସୌରଭ ଗର୍ଗ ବୈଠକରେ ଅବଗତ କରାଇଥିଲେ ଯେ ବିଭାଗର ୩୦ ଜଣ ପଦସ୍ଥ ଅଧିକାରୀ ୩୦ଟି ଜିଲ୍ଲା ଗସ୍ତ କରି ଅସୁରକ୍ଷିତ ଅବସ୍ଥାରେ ରହିଥିବା ୧୧ କେଭି ବିଦ୍ୟୁତ ସରବରାହ ସଂପର୍କରେ ଏକ ରିପୋର୍ଟ ପ୍ରଦାନ କରିବେ ।
ସବୁ ଜିଲ୍ଲାରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ଦ୍ୱାରା ବୈଠକ ଆହ୍ୱାନ କ୍ରମେ ବିଦୁ୍ୟତଜନିତ ସୁରକ୍ଷା ଦିଗରେ ରହିଥିବା ପ୍ରତିବନ୍ଧକ ବାବଦରେ ବିଭାଗକୁ ଅବଗତ କରାଇବାକୁ କୁହାଯାଇଛି । ବିଦ୍ୟୁତ ବିଭାଗର କମିଶନର ତଥା ଶାସନ ସଚିବ ବିଷ୍ଣୁପଦ ସେଠୀ ବିଦ୍ୟୁତ ସୁରକ୍ଷା ସଂ ପର୍କିତ ଜର୍ଣ୍ଣାଲ୍ ପ୍ରକାଶନ ଏବଂ ଏଥି ସକାଶେ ପ୍ରଶିକ୍ଷଣ ପ୍ରଦାନ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ ।
ବିଦ୍ୟୁତ ସୁରକ୍ଷାଜନିତ ସଚେତନତା ସୃଷ୍ଟି ଦିଗରେ ବ୍ୟା ପକ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶାର ସମସ୍ତ ବିଦୁ୍ୟତ ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଳୟରେ ବିଦ୍ୟୁତ ସୁରକ୍ଷାଜନିତ ସଚେତନତା କାନ୍ଥ ପ୍ରସ୍ତୁତ କରିବାକୁ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର କହିଥିଲେ ।
ଏହା ଚଳିତ ମାସ ଶେଷ ସୁଦ୍ଧା ଯେପରି ଶେଷ ହେବ ସେଥି ନିମନ୍ତେ ଦୃଷ୍ଟି ଦେବାକୁ ଜଣାଇଥିଲେ । ସମସ୍ତ ଲାଇନ୍ମେନ୍ଙ୍କୁ ବିଦୁ୍ୟତ ସୁରକ୍ଷା ସକାଶେ ପ୍ରଶିକ୍ଷଣ ଦେବା ପାଇଁ ନୀତିଗତ ବ୍ୟବସ୍ଥା କରାଯାଇ ମାଷ୍ଟର ଟ୍ରେନରମାନଙ୍କ ଦ୍ୱାରା ସଚେତନତା ସୃଷ୍ଟି କରିବାକୁ ନିଷ୍ପତ୍ତି ଗ୍ରହଣ କରାଯଇଥିଲା ।
ବୈଠକରେ ନିଷ୍ପତ୍ତି ଅନୁସାରେ ସଂପୃକ୍ତ ଅଞ୍ଚଳରେ କାର୍ଯ୍ୟରତ ସାଉଥ୍କୋ କନିଷ୍ଠ ଯନ୍ତ୍ରୀ, ଉପଖଣ୍ଡସ୍ତରୀୟ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଏବଂ ଉପଖଣ୍ଡ ସ୍ତରୀୟ ଅଧିକାରୀଙ୍କୁ ନିଲମ୍ବନ କରିବା ସକାଶେ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ପରିବହନ ବିଭାଗର କମିଶନର ତଥା ଶାସନ ସଚିବ ସଂଜୀବ ପଣ୍ଡା, ବିଦ୍ୟୁତ ବିଭାଗର ସ୍ୱତନ୍ତ୍ର ସଚିବ ଏସ୍.କେ. ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।