Odisha Link
Bridging the Missing Links in Odisha

ପ୍ରବାସୀ ଶ୍ରମିକଙ୍କ ହେବ ସ୍କିଲ୍‌ ମ୍ୟାପିଂ, ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶକୁ ସିପିଜିଏର ସ୍ବାଗତ

ଭୁବନେଶ୍ବର: ଏଣିକି ପ୍ରବାସୀ ଶ୍ରମିକମାନଙ୍କ ଦକ୍ଷତା ନକ୍ସାଙ୍କନ (ସ୍କିଲ ମ୍ୟାପିଂ) କରାଯିବ। ଏ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। କରୋନା ଲକ୍‌ଡାଉନ୍‌ ପାଇଁ ଦେଶବ୍ୟାପୀ ପ୍ରବାସୀ ଶ୍ରମିକଙ୍କ ଦୁଃଖଦ ଘରବାହୁଡ଼ା ଓ ନିଯୁକ୍ତି ସମସ୍ୟା ଉପରେ ବିଚାର କରି ଗତକାଲି ଏଭଳି ଏତିହାସିକ ରାୟ ଦେଇଛନ୍ତି। ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛି ସେଣ୍ଟର ଫର ପଲିସି ଗଭର୍ଣାନ୍ସ ଆଣ୍ଡ ଆଡଭୋକେସୀ (ସିପିଜିଏ)। ଓଡ଼ିଶାରେ ଲକ୍‌ଡାଉନ୍‌ ସମୟରେ ବାହ୍ୟରାଜ୍ୟ ଫେରନ୍ତା ଶ୍ରମିକଙ୍କ ସ୍କିଲ ମ୍ୟାପିଂ ପାଇଁ ପୂର୍ବରୁ ଦାବି କରି ଆସୁଥିଲା ସିପିଜିଏ। ପ୍ରବାସୀ ଶ୍ରମିକଙ୍କ ଜୀବନଜୀବିକା ସୁରକ୍ଷିତ କରିବା ପାଇଁ ସେମାନଙ୍କ ଦକ୍ଷତା ମ୍ୟାପିଂ ନିମନ୍ତେ ପୂର୍ବରୁ ଓଡ଼ିଶା ସରକାରଙ୍କୁ ବାରମ୍ବାର ଅନୁରୋଧ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ ସିପିଜିଏ ଅଧ୍ୟକ୍ଷ ତେଜେଶ୍ବର ପରିଡ଼ା। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ଖୁସିବ୍ୟକ୍ତ କରିବା ସହ ରାଜ୍ୟରେ ଏହା କାର୍ଯ୍ୟକାରୀ ହେଲେ ଶ୍ରମିକମାନେ ସୁଫଳ ପାଇବେ ବୋଲି ମତ ଦେଇଛନ୍ତି।

ମେ’ ୨୬ ତାରିଖରେ ଦେଶବ୍ୟାପୀ ଦାଦନ ଶ୍ରମିକଙ୍କ ସମସ୍ୟାକୁ ନିଜଆଡ଼ୁ ବିଚାରକୁ ନେଇଥିଲେ ସୁପ୍ରିମ କୋର୍ଟ। ମେ’ ୨୬ ତାରିଖରେ ଶ୍ରମିକଙ୍କ ସହଜ ଓ ସୁରକ୍ଷିତ ରାଜ୍ୟବାହୁଡ଼ା ନେଇ ସର୍ବୋଚ୍ଚ ନ୍ୟାୟାଳୟ କିଛି ନିର୍ଦ୍ଦେଶିକା ଜାରି କରିଥିଲେ। ଶ୍ରମିକଙ୍କୁ ମାଗଣା ଯାତାୟତ ଓ ଖାଦ୍ୟପେୟ ଯୋଗାଇଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ କୋର୍ଟ। ଶ୍ରମିକମାନଙ୍କୁ ନିଯୁକ୍ତି ଓ ଅନ୍ୟ ସୁବିଧା ଯୋଗାଇଦେବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରମାନେ କି ପଦକ୍ଷେପ ନେଉଛନ୍ତି ଜଣାଇବା ଉଚିତ ବୋଲି ଜୁନ୍‌ ୫ ତାରିଖରେ ସୁପ୍ରିମ୍‌ କୋର୍ଟର ଏକ ସ୍ବତନ୍ତ୍ର ଖଣ୍ଡପୀଠ ଅନୁଧ୍ୟାନ କରିଥିଲେ।

ମଙ୍ଗଳବାର ଦିନ ସୁପ୍ରିମ କୋର୍ଟ ନିଜର ଐତିହାସିକ ରାୟରେ ଦାଦନ ଶ୍ରମିକଙ୍କ ମଙ୍ଗଳ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ନିମନ୍ତେ ନିମ୍ନଲିଖିତ ନିର୍ଦ୍ଦେଶିକା ଜାରି କରିଛନ୍ତି।

  • ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଘରକୁ ଫେରାଇ ଆଣିବାର ବ୍ୟବସ୍ଥା କରିବେ।
  • ବିପର୍ଯ୍ୟୟ ପରିଚାଳନା ଆଇନ ଅଧୀନରେ ଲକ୍‌‌ଡାଉନ୍‌ ଅମାନ୍ୟ ନେଇ ପ୍ରବାସୀ ଶ୍ରମିକଙ୍କ ଉପରେ ଯାହା କିଛି ମାମଲା ଥିବ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ସେସବୁ ପ୍ରତ୍ୟାହାର କରିବେ।
  • ସମସ୍ତ ଯୋଜନାରେ ସରକାର ପ୍ରବାସୀ ଶ୍ରମିକଙ୍କୁ ସାମିଲ କରିବେ ଓ ସେସବୁର ପ୍ରଚାର କରିବେ।
  • ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଯୋଗାଇ ଦେବା ପାଇଁ ସରକାରଙ୍କ ଦ୍ବାରା ହେଲ୍ପ ଡେସ୍କ ସ୍ଥାପନ କରାଯିବ।
  • ପ୍ରବାହୀ ଧାରାରେ ପ୍ରବାସୀଶ୍ରମିକଙ୍କୁ ଚିହ୍ନଟ ପାଇଁ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବେ କେନ୍ଦ୍ର ଓ ରାଜ୍ୟ ସରକାର।
  • ସରକାର ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ରିହାତି ନେଇ ନକ୍ସା ପ୍ରସ୍ତୁତ କରିବେ।
  • ଦକ୍ଷତା ନକ୍ସାଙ୍କନରେ ଘରେ ପହଞ୍ଚିଥିବା ଶ୍ରମିକମାନଙ୍କ ଦକ୍ଷତା, ପ୍ରକୃତି ଓ ପୂର୍ବ ନିଯୁକ୍ତି ଆଦି ସମ୍ପର୍କରେ ସବିଶେଷ ବିବରଣୀ ରହିବ।
  • ଯେଉଁ ପ୍ରବାସୀ ଶ୍ରମିକମାନେ ଫେରିବାକୁ ଚାହୁଁଥିବେ, ସେ ନେଇ ବ୍ୟବସ୍ଥା କରିବା ପାଇଁ ସରକାର ପରାମର୍ଶ କେନ୍ଦ୍ର ମାନ ସ୍ଥାପନ କରରିବେ।

ଶ୍ରମିକମାନଙ୍କ ବିଭିନ୍ନ ଅସୁବିଧା ନେଇ ମେ’ ୧, ମେ’ ୨୭ ଓ ଜୁନ୍‌ ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ସିପିଜିଏ ଅଧ୍ୟକ୍ଷ ତେଜେଶ୍ବର ପରିଡ଼ା। ସୁପ୍ରିମ କୋର୍ଟଙ୍କ ରାୟ ଦ୍ବାରା ତାଙ୍କର ଉଦ୍ଦେଶ୍ୟ ସଫଳ ହେଲା ବୋଲି ଶ୍ରୀ ପରିଡ଼ା କହିଛନ୍ତି। ଏହା ଦ୍ବାରା ସମାଜର ଦୁର୍ବଳତମ ଗୋଷ୍ଠୀ ମଧ୍ୟରେ ଥିବା ପ୍ରବାସୀ ଶ୍ରମିକଙ୍କ ପ୍ରତି ସେମାନଙ୍କର ଦାୟିତ୍ବ ବାବଦରେ ସରକାରମାନଙ୍କ ଧ୍ୟାନ ଆକର୍ଷିତ ହେଲା ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ମୋ ସରକାର ଓ ୫-ଟି ଶାସନରେ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶକୁ ସରକାର ଓଡ଼ିଶାରେ ତୁରନ୍ତ କାର୍ଯ୍ୟକାରୀ କରିବେ ବୋଲି ଶ୍ରୀ ପରିଡ଼ା ଆଶା କରିଛନ୍ତି। ସିପିଜିଏର ପରାମର୍ଶକୁ ରାଜ୍ୟ ସରକାର ଗ୍ରହଣ କରିବେ ବୋଲି ସେ ଆଶାବାଦୀ ଅଛନ୍ତି। ଏ ଅବସରରେ ରାୟ ଦେଇଥିବା ସୁପ୍ରିମ କୋର୍ଟ ଖଣ୍ଡପୀଠର ସଦସ୍ୟ ବିଚାରପତି ଅଶୋକ ଭୂଷଣ, ବିଚାରପତି ସଂଜୟ କିଶନ୍‌ କାଉନ୍‌ ଓ ବିଚାରପତି ଏମ୍‌ଆର୍‌ ଶାହଙ୍କ ସମେତ ଏହା ପଛରେ ଥିବା ସମସ୍ତ ଆଇନଜ୍ଞଙ୍କୁ କୃତଜ୍ଞତା ଜଣାଇଛି ସିପିଜିଏ।