ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ସହ ଘରେ ଘରେ ହଳଦୀ ପିଠାର ମହକ

ଓଏଲବ୍ୟୁରୋ: ଆଜି ପ୍ରଥମାଷ୍ଟମୀ। ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପ୍ରତିଟି ଓଡ଼ିଆ ଘରେ ପାଳିତ ହୁଏ ପ୍ରଥମାଷ୍ଟମୀ। ଏହି ଦିନରେ ଜ୍ୟେଷ୍ଠ ବା ପ୍ରଥମ ସନ୍ତାନଙ୍କୁ ନୂଆବସ୍ତ୍ର ପରିଧାନ କରିବା ସହ ବନ୍ଦାପନା କରାଯାଏ।
ଜ୍ୟେଷ୍ଠ ସନ୍ତାନଙ୍କ ବନ୍ଦାପନା ପରେ ପଞ୍ଚପଲ୍ଲବ, ପଞ୍ଚ ଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ। ହଳଦୀ ପତ୍ରରେ ଏଣ୍ଡୁରି ପିଠା ହେଉଛି ପ୍ରଥମାଷ୍ଟମୀର ବିଶେଷତ୍ବ। ଛେନା, ନଡ଼ିଆପୁର, ଗୁଡ଼, ଉଆପକ୍ଷିଆ ଚାଉଳ, ହଳଦୀ ପତ୍ର ଏବଂ ବିରିରେ ପିଠା ତିଆରି କରାଯାଏ। ହଳଦୀ ପତ୍ର ପିଠାର ମହକ ପ୍ରତିଟି ଓଡ଼ିଆ ଘରୁ ଆସେ।
ପ୍ରଥମାଷ୍ଟମୀର ଅନ୍ୟ ନାମ ‘ସୌଭାଗିନୀ ଅଷ୍ଟମୀ’। ପୂର୍ବେ ଏହିଦିନ ସୌଭାଗିନୀ ଦେବୀଙ୍କର ପୂଜା ପ୍ରଚଳିତ ଥିଲା। ଓଡ଼ିଆଘରର ଏଇ ପର୍ବର ଅନ୍ୟ ଏକ ବୈଶିଷ୍ଟ୍ୟ ମଧ୍ୟ ରହିଛି। ଓଡ଼ିଶାରେ ଏହିଦିନ ଭୁବନେଶ୍ବର ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଘର ଯାତ୍ରା ହୋଇଥାଏ। କୃଷିପ୍ରଧାନ ଆମ ରାଜ୍ୟରେ ଗରିବ, ଧନୀ ନିର୍ବିଶେଷରେ ସମସ୍ତେ ପ୍ରଥମାଷ୍ଟମୀ ପର୍ବ ପାଳନ କରିଥାନ୍ତି।
ସେହିପରି ଶ୍ରୀମନ୍ଦିରରେ ବି ଆଜି ପ୍ରଥମାଷ୍ଟମୀ ପାଳନ ହେବ। ମହାପ୍ରଭୁଙ୍କ ମହାସ୍ନାନ ପରେ ନୂଆ ଲୁଗା ଲାଗି ହେବ। ନୀତିକାନ୍ତି ପରେ ଫୁଲୁପୁରିଆ ଖଦି ଓ ଛେଦା ପ୍ରସାଦ ଲାଗି ହୋଇ ବଡ଼ ଠାକୁରଙ୍କୁ ବନ୍ଦାପନା କରାଯିବ।