ଦିଲ୍ଲୀରେ କର୍ଣ୍ଣାଟକ ବିଜେପି ନେତା

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଚହଳ ପକାଇଛି କର୍ଣ୍ଣାଟକ ରାଜନୀତି। କେଉଁ ମୁହୂର୍ତ୍ତରେ କଣ ହେବ କାହାକୁ ଜଣା ନାହିଁ। କର୍ଣ୍ଣାଟକରେ ଜେଡିଏସ-କଂଗ୍ରେସ ମେଣ୍ଟ ସରକାର ଭାଙ୍ଗିବା ପରେ ବିଜେପି ସରକାର ଗଢ଼ିବାକୁ ପ୍ରୟାସ ଆରମ୍ଭ କରିଛି। ହେଲେ କେନ୍ଦ୍ର ନେତୃତ୍ୱଙ୍କ ଗ୍ରୀନ ସିଗନାଲକୁ ଅପେକ୍ଷା କରିଛି ଦଳ। ଏଥିପାଇଁ ମଙ୍ଗଳବାର ମେଣ୍ଟ ସରକାର ଭାଙ୍ଗିଥିଲେ ମଧ୍ୟ ବୁଧବାର ବିଜେପି ସରକାର ଗଢ଼ିବାର ଦାବି ଏଯାଏ କରିନାହିଁ। ତେବେ କର୍ଣ୍ଣାଟକ ବିଜେପିର ପ୍ରମୁଖ ନେତା ଜଗଦୀଶ ସେଟାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଳମ୍ୱିତ ରାତିରେ ଦିଲ୍ଲୀରେ ଆସି ପହଞ୍ଚିଛି।
ଆଜି ବିଜେପି ରାଷ୍ଚ୍ରୀୟ ସଭାପତି ଅମିତ ଶାହ ତଥା ଗୃହମନ୍ତ୍ରୀ ଏବଂ କାର୍ଯ୍ୟକାରିଣୀ ସଭାପତି ଜେ.ପି ନଡ୍ଡାଙ୍କୁ ଏହି ପ୍ରତିନିଧ ଦଳ ଭେଟିବ। ଏହି ସମୟରେ କର୍ଣ୍ଣାଟକା ବିଜେପି ବିଧାୟକ ଦଳର ନେତା କିଏ ହେବ, ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ବିଶେଷ ସୂତରୁ ଜଣାପଡ଼ିଛି।
କର୍ଣ୍ଣାଟକରେ ମେଣ୍ଟ ସରକାରକୁ ଆସ୍ଥା ଭୋଟରେ ୯୯ ଓ ବିଜେପିକୁ ୧୦୫ ବିଧାୟକ ସମର୍ଥନ କରିଥିଲେ। ତେଣୁ ମେଣ୍ଚ ସରକାର ଭାଙ୍ଗିଯାଇଛି। ହେଲେ ଆସ୍ଥା ଭୋଟ ବେଳେ ଅନୁପସ୍ଥିତ ଥିବା ବିଦ୍ରୋହୀ ବିଧାୟକ ସେତେବେଳେ ଗୃହର ସଦସ୍ୟ ରହିଥିଲେ। ଏହି ବିଦ୍ରୋହୀ ବିଧାୟକଙ୍କ ବାବଦରେ ବାଚସ୍ପତି କଣ ନିଷ୍ପତ୍ତି ନେବେ, ତାହା ଏଯାଏ ଜଣାପଡ଼ି ନାହିଁ। ତେଣୁ ବିଜେପି କର୍ଣ୍ଣାଟକରେ ନୂଆ ସରକାର ଗଢ଼ିବା ଏତେ ସହଜ ନୁହେଁ।