Odisha Link
Bridging the Missing Links in Odisha

ମନ୍ତ୍ରୀଙ୍କ ଗାଡ଼ିକୁ ଅତିକ୍ରମ କରି ଥାନାରେ ୫ ଘଣ୍ଟା ଅଟକିଲେ ପର୍ଯ୍ୟଟକ

ଭୁବନେଶ୍ବର: ବାହାର ରାଜ୍ୟରୁ ଓଡ଼ିଶା ବୁଲିବାକୁ ଆସିଥିଲେ ଦୁଇ ପରିବାର। ସାଥିରେ ମହିଳା ଓ ଶିଶୁ ବି ଥିଲେ। ଦୁଇଟି କାର୍‌ରେ ବାଲେଶ୍ବର ଜିଲ୍ଲା ଦେଇ ୬୦ ନମ୍ବର ଜାତୀୟ ରାଜପଥରେ ଯିବା ବେଳେ ଦୁଇ ପରିବାରକୁ ୫ ଘଣ୍ଟା ପାଇଁ ବିନା କାରଣରେ ଥାନାରେ ଅଟକିବାକୁ ପଡ଼ିଛି। ନିଜର କୌଣସି ଭୁଲ ନ ଥାଇ ମଧ୍ୟ ଭୁଲ ସ୍ବୀକାର କରିବା ସହ ମନ୍ତ୍ରୀଙ୍କ କାର୍‌କୁ ଆଉ କେବେ ଓଭର୍‌ଟେକ୍‌ କରିବେନାହିଁ ବୋଲି ଘୋଷଣାନାମା ଲେଖିଦେବା ପରେ ସେମାନେ ଥାନାରୁ ମୁକୁଳିଛନ୍ତି। ଦୁଇଦିନ ତଳର ଏଭଳି ଘଟଣା ଏବେ ବାଲେଶ୍ବର ଅଞ୍ଚଳରେ ଚର୍ଚ୍ଚାରେ ରହିଥିବା ବେଳେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଆଚରଣ ଅନେକଙ୍କୁ ଚକିତ କରିଛି।

ଦୁଇଦିନ ତଳର ଘଟଣା। ସର୍ବସାଧାରଣରେ ଜଣେ ଅମାୟିକ ଓ ସରଳ ନେତା ଭାବେ ପରିଚିତ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରୁଥିବା ବେଳେ ଏ ଘଟଣା ଘଟିଥିଲା। ବସ୍ତା ବ୍ଲକ୍‌ ସମୀକ୍ଷା ବୈଠକରେ ଯୋଗଦେବାକୁ କେନ୍ଦ୍ରମନ୍ତ୍ରୀ ବାଲେଶ୍ବରରୁ ବସ୍ତା ଆସୁଥିଲେ। ଏ ସମୟରେ ରୁପ୍‌ସା-ଚୂଡ଼ାଖିଆ ପୋଲ ନିକଟରେ ୬୦ ନମ୍ବର ରାଜପଥ ଉପରେ ଦୁଇଟି କାର୍‌ ମନ୍ତ୍ରୀଙ୍କ କାର୍‌କେଡ୍‌କୁ ଦ୍ରୁତ ଗତିରେ ଅତିକ୍ରମ କରିଥିଲା। ଏଥିରେ ଉତ୍‌କ୍ଷିପ୍ତ ମନ୍ତ୍ରୀ ତୁରନ୍ତ ଗାଡ଼ି ଦୁଇଟିକୁ ଅଟକ ରଖିବାକୁ ବସ୍ତା ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ଏସ୍‌କର୍ଟ ଭ୍ୟାନ୍‌ ଓ ବସ୍ତା ପୁଲିସ ଗାଡ଼ି ଦୁଇଟିକୁ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଅଟକାଇ ଥାନାକୁ ଆଣିଥିଲେ। ଦୀର୍ଘ ୫ ଘଟଣ୍ଟା କାଳ ଦୁଇଟି କାର୍‌ ଥାନା ପରିସରରେ ଅଟକ ରହିଥିବା ବେଳେ ଉଭୟ ପରିବାର ମଧ୍ୟ ଅଖିଆ ଅପିଆ ବସି ରହିଥିଲେ।

ଗଣମାଧ୍ୟମକୁ ସୂଚନା ଦେଇ ଅଟକ ପର୍ଯ୍ୟଟକ କହିଛନ୍ତି ଯେ ସେମାନେ ନୀଳଗିରିରେ ପଞ୍ଚଲିଙ୍ଗେଶ୍ବର ଦର୍ଶନ ସାରି କଲିକତା ଫେରୁଥିଲେ। ସେମାନଙ୍କ ଗାଡ଼ି ପଛରେ ମନ୍ତ୍ରୀଙ୍କର କାର୍‌କେଡ୍‌ ଥିଲା। ପୁଲିସ୍‌ ସାଇରନ୍‌କୁ ଆମ୍ବୁଲାନ୍ସ ମନେକରି ପ୍ରଥମେ ସେମାନେ ଗାଡ଼ିର ଗତି ଧିମା କରି ମନ୍ତ୍ରୀଙ୍କୁ ଆଗକୁ ଯିବାକୁ ଦେଇଥିଲେ। ତେବେ ପରେ ବାଟରେ ମନ୍ତ୍ରୀଙ୍କ କାର୍‌କେଡ୍‌ ଧିମା ହେବାରୁ ସେମାନେ ପୁନଶ୍ଚ ଅତିକ୍ରମ କରିଥିଲେ। କୌଣସି ଭୂୁଲ ନ ଥାଇ ସେମାନେ ପାଞ୍ଚ ଘଣ୍ଟା କାଳ ଭୋକଉପାସରେ ଥାନାରେ ଅଟକି ରହିଥିଲେ। ତେବେ ସେମାନେ ଏଭଳି ଆଉ କେବେ କରିବେନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ପୁଲିସ ସେମାନଙ୍କୁ ଛାଡ଼ିଥିଲା। ସେମାନଙ୍କ ସହ ଛୋଟ ପିଲା ମଧ୍ୟ ଥିଲେ। କୌଣସି ଭୁଲ ନ କରି ମଧ୍ୟ ପୁଲିସର କାମ ସେମାନଙ୍କୁ ପୀଡ଼ା ଦେଇଛି ବୋଲି କ୍ଷୋଭପ୍ରକାଶ କରିଛନ୍ତି ଏହି ଅଣଓଡ଼ିଆ ପର୍ଯ୍ୟଟକ ପରିବାର। ସେମାନେ ନୂଆ ଶିକ୍ଷାପାଇଲେ, ମନ୍ତ୍ରୀଙ୍କ ଆଗରେ କି ପଛରେ କେବେ ଯିବା ଅନୁଚିତ ବୋଲି ଅଭିମାନରେ ଗଣମାଧ୍ୟମକୁ କହିଛନ୍ତି ପର୍ଯ୍ୟଟକ।

ଅନ୍ୟପଟେ ମନ୍ତ୍ରୀଙ୍କର ଏଭଳି ରାଗ ଓ ପୁଲିସର ଅଯାଚିତ କାର୍ଯ୍ୟାନୁଷ୍ଠାନ ବାଲେଶ୍ବର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ରାସ୍ତାରେ ଯିବା ବେଳେ କେଉଁ ଗାଡ଼ିକୁ ଓଭରଟେକ୍‌ କରିହେବ ଓ କରିହେବନାହିଁ ସେ ନେଇ କିଛି ସରକାରୀ ନିୟମ ଅଛି କି ବୋଲି ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି। ପଶ୍ଚିମବଙ୍ଗରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓଡ଼ିଶା ଆସୁଥିବା ବେଳେ ସେମାନଙ୍କ ପ୍ରତି ଜଣେ ଜନପ୍ରତିନିଧିଙ୍କ ଏଭଳି ଆଚରଣ ରାଜ୍ୟର ପର୍ଯ୍ୟଟନ ଚିତ୍ରରେ କ୍ଷତ ସୃଷ୍ଟିକରିବ ବୋଲି ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତି ମତପ୍ରକାଶ କରିଛନ୍ତି।

Comments are closed.