୨୨ ବର୍ଷ ହେଲା ସେ ଘରକୁ ଫେରି ନାହାନ୍ତି: ବିବନ୍ ପତ୍ନୀ

କଟକ : “୨୨ ବର୍ଷ ଧରି ବିବନ୍ ଘରକୁ ଫେରି ନାହାନ୍ତି। ତାଙ୍କ ସହ ସମ୍ପର୍କ ତିକ୍ତ କରି ସାରିଛୁ।” ଏପରି ପ୍ରତିକ୍ରିୟା ଦେଇଛନ୍ତି ବିବନ୍ ବିଶ୍ୱାଳଙ୍କ ପତ୍ନୀ ଗୀତାଞ୍ଜଳି ବିଶ୍ୱାଳ।
ଗୀତାଞ୍ଜଳି କହିଛନ୍ତି, “୨୨ ବର୍ଷ ହେଲା ସେ ଯାଇଥିବା ବେଳେ କେବେ ବି ଘରକୁ ଆସିନାହାନ୍ତି। ଘର ସହ ତାଙ୍କର କୌଣସି ସମ୍ପର୍କ ନଥିଲା । ସେ ମୋତେ କେବେ କିଛି ବି ଟଙ୍କା ଦେଇ ନାହାନ୍ତି। ମୋ ପିଲାଛୁଆଙ୍କୁ ବଡ଼ କରିବାକୁ ମୁଁ ଚେଷ୍ଟା ଚଳାଇଛି।
ଜାଗାବାଡ଼ି ବିକି ମୁଁ ପିଲାଙ୍କୁ ବଞ୍ଚାଇଛି।” ଏଥିସହ ସ୍ୱାମୀଙ୍କ ଡେଥ୍ ସାର୍ଟିଫିକେଟ ନୁହେଁ ବରଂ ଶ୍ୱଶୁରଙ୍କ ସାର୍ଟିଫିକେଟ ପାଇଁ ଆବେଦନ କରିଥିଲୁ ବୋଲି ଗଣମାଧ୍ୟମକୁ ଆଜି ପ୍ରତିକ୍ରିୟା ରଖିଛନ୍ତି ବିବନଙ୍କ ପତ୍ନୀ।
ପ୍ରକାଶ ଯେ, ୧୯୯୯ ଜାନୁଆରୀ ୯ରେ ଅଞ୍ଜନା ମିଶ୍ରଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ କାର୍ ଭିତରେ ଗଣଦୁଷ୍କର୍ମ ଘଟିଥିଲା। ବେଲଗଛିଆ ମହଲା ଓ ଭାଲୁକା ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି ।
ଏହାକୁ ନେଇ ରାଜ୍ୟ ବ୍ୟାପୀ ଜନଆକ୍ରୋଶ ଦେଖିବାକୁ ମିଳିଥିଲା । ଏହି ଘଟଣାରେ ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ। ମେ ୫, ୧୯୯୯ରେ ସିବିଆଇ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା।
ଏପ୍ରିଲ ୨୯, ୨୦୦୨ରେ ଖୋର୍ଦ୍ଧା ଜିଲ୍ଲା ଜଜ୍ ରାୟ ଶୁଣାଇ ଦୁଇ ଦୋଷୀ ପ୍ରଦୀପ ଏବଂ ଧିରେନ୍ଦ୍ରଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଥିଲେ। ହେଲେ ବିବନ ଘଟଣା ପରଠୁ ଫେରାର ହୋଇଯାଇଥିଲା। ଗଣଦୁଷ୍କର୍ମ ପରେ ଫେରାର ବିବନ ପୁନେରେ ନାମ ବଦଳାଇ ଜଳନ୍ଧର ସ୍ୱାଇଁ ନାମରେ ରହୁଥିଲା।