Odisha Link
Bridging the Missing Links in Odisha

ଚିନ୍ତା ବଢ଼ାଉଛି ଡିପ୍‌ଫେକ୍ ଭିଡିଓ; ରଶ୍ମିକାଙ୍କ ପରେ ଭାଇରାଲ ହେଲେ ସଚିନ ତେନ୍ଦୁଲକର

ଓଏଲ୍‌ ବ୍ୟୁରୋ: ବଢୁଛି ଡିପଫେକ ଭିଡିଓ କାରନାମା। ଆଜିକାଲି ଅଭିନେତ୍ରୀମାନଙ୍କ ନକଲି ବା ଡିପ୍‌ଫେକ୍ ଭାଇରାଲ ଭିଡିଓ ଖବର ଖୁବ୍ ଚର୍ଚ୍ଚାରେ ରହିଛି। ରଶ୍ମିକାଙ୍କ ଡିପ୍‌ଫେକ୍ ଭିଡିଓକୁ ନେଇ ଅନେକ ବିବାଦ ଦେଖାଦେଇଥିବା ବେଳେ ପରେ କ୍ୟାଟ୍ରିନା ଓ ସାରା ତେନ୍ଦୁଲକରଙ୍କ ନକଲି ଭିଡିଓ ପୁଣି ଚର୍ଚ୍ଚାର ବିଷୟ ପାଲଟିଥିଲ।। ଏବେ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଡିପଫେକ୍ ଭିଡିଓର ଶିକାର ହୋଇଛନ୍ତି।

ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ନିଜର ସୋସିଆଲ ମିଡିଆ ସାଇଟ୍ ଏକ୍ସ(ଟ୍ବିଟର)ରେ ଉଲ୍ଲେଖ କରିଛନ୍ତି, ଏହି ଭିଡିଓ ନକଲି। ଆପଣମାନଙ୍କୁ ଭ୍ରମିତ କରିବା ପାଇଁ ଏଭଳି ଭିଡିଓ ପ୍ରସ୍ତୁତ କରାଯାଇଛି। ଟେକ୍ନୋଲୋଜିର ଭୁଲ ବ୍ୟବହାର କରାଯାଇଛି। ଏହା ସମ୍ପୂର୍ଣ୍ଣ ଭାବେ ଭୁଲ୍। ଯିଏ ଏଭଳି ଭିଡିଓ କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ଏବଂ ସମସ୍ତେ ଏଭଳି ବିଜ୍ଞାପନରୁ ଦୂରେଇ ରହିବା ଉଚିତ ବୋଲି ସଚିନ କହିଛନ୍ତି।

ଅନ୍ୟପଟେ, ନିକଟରେ ବଲିଉଡ୍ ଅଭିନେତ୍ରୀଙ୍କୁ ଟାର୍ଗେଟ୍ କରି ଡିପ୍ ଫେକ୍ ଭିଡିଓ ଭାଇରାଲ୍ ହେବା ଘଟଣାକୁ ଦୃଷ୍ଟିରେ ରଖି ସରକାର ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଡିପ୍ ଫେକ୍‌କୁ ନେଇ ନିକଟରେ ପ୍ରଧାନମନ୍ତ୍ରୀ ଚିନ୍ତାପ୍ରକଟ କରିଥିଲେ।