Odisha Link
Bridging the Missing Links in Odisha

ଝିଅ ଚାହୁଁଥିଲେ, ଆଶା ପୂରଣ ନହେବାରୁ ୧୨ଦିନର ପୁଅକୁ ମାରିଲା ନୃଶଂସ ବାପା

ଓଏଲ୍‌ ବ୍ୟୁରୋ: ପୁଅ ଆଶାରେ କନ୍ୟା ସନ୍ତାନକୁ ହତ୍ୟା କରିବା ଖବର ଆପଣ ଶୁଣିଥିବେ ନିଶ୍ଚୟ। ମଧ୍ୟପ୍ରଦେଶରେ କିନ୍ତୁ ଦେଖିବାକୁ ମିଳିଛି ବ୍ୟତିକ୍ରମ। ମଧ୍ୟ ପ୍ରଦେଶର ବୈତୁଲରେ ଜଣେ ବ୍ୟକ୍ତି ଝିଅକୁ ଆଶା କରି ପୁତ୍ର ସନ୍ତାନର ହତ୍ୟା କରିଛନ୍ତି। ପ୍ରଥମେ ଦୁର୍ବୁତ୍ତ ଜଣକ ପତ୍ନୀଙ୍କୁ ବାଡ଼େଇ ଲହୁ ଲୁହାଣ କରିବା ପରେ ୧୨ ଦିନର ପୁତ୍ର ସନ୍ତାନକୁ ତଣ୍ଟିଚିପି ହତ୍ୟା କରିଥିଲା। ଯାହା ସ୍ଥାନୀୟ ଅଞ୍ଚଳରେ ଚହଳ ପକାଇଛି। ଅନ୍ୟପଟେ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି।

ଏଭଳି ଘଟଣା କୋତବାଲୀ ପୁଲିସ ଷ୍ଟେସନର ବଜରଓ୍ବାଡା ଗାଁରେ ଘଟିଛି। ପ୍ରାଥମିକ ତଦନ୍ତ ପରେ ପୁଲିସ କହିଛି ଯେ ଅଭିଯୁକ୍ତ ଅନିଲ ଦୁଇଟି ପୁତ୍ରର ବାପା। ବଡ଼ ପୁଅ ୭ ବର୍ଷର ହୋଇଥିବା ବେଳେ ସାନ ପୁଅ ୫ବର୍ଷର। ତାଙ୍କ ପତ୍ନୀ ରୁଚିକା ତୃତୀୟ ଥର ପାଇଁ ଗର୍ଭବତୀ ହୋଇଥିଲେ। ଅନିଲ ଏଥର ଝିଅଟେ ହେବ ବୋଲି ଆଶା କରିଥିଲେ।

ହେଲେ ଅନିଲଙ୍କ ପତ୍ନୀ ତୃତୀୟ ସନ୍ତାନ ଜନ୍ମ ଦେଇଥିଲେ। ହେଲେ ଝିଅ ପରିବର୍ତ୍ତେ ପୁଅଟିଏ ଜନ୍ମ ଦେଇଥିଲେ ରୁଚିକା। ଯାହାପରେ ଅନିଲ ରାଗି ଯାଇଥିଲା।ରବିବାର ସନ୍ଧ୍ୟାରେ ଅନିଲ ମଦ ପିଇ ଘରକୁ ଆସି ରୁଚିକା ସହିତ ଝଗଡ଼ା କରିଥିଲେ। ଆଉ ମାଡ଼ରୁ ବର୍ତ୍ତିବା ପାଇଁ ରୁଚିକା ଘର ବାହାରକୁ ପଳେଇ ଆସିଥିଲେ। କିଛି ସମୟପରେ ରୁଚିକା ଘର ଭିତରକୁ ଗଲାପରେ ଦେଖିଲେ ଯେ ନବଜାତ ଶିଶୁଟିର ମୃତଦେହ ପଡ଼ି ରହିଛି।

ଏହାପରେ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ପ୍ରାଥମିତ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ବାପା ଅନିଲକୁ ଗିରଫ କରିଛି। ଗିରଫ ପରେ ଅନିଲ ପୁଲିସକୁ କହିଥିଲା, ପ୍ରଥମରୁ ଦୁଇଟି ପୁଅ ଘରେ ଥିଲେ। ଏଥର ଝିଅଟିଏ ଆଶା କରିଥିଲି। ହେଲେ ପୁଣିଥରେ ପୁଅଟିଏ ହେବାରୁ ସହ୍ୟ କରିପାରିଲିନି। ସେଥିପାଇଁ ପୁଅକୁ ତଣ୍ଟିଚିପି ହତ୍ୟା କରିଥିଲି।

Leave A Reply

Your email address will not be published.