Odisha Link
Bridging the Missing Links in Odisha

ବାୟୁ ପ୍ରଦୂଷଣକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଦିଲ୍ଲୀ ପ୍ରଦୂଷଣ ଘଟଣା। ଆଜି ଦିଲ୍ଲୀରେ ସୃଷ୍ଟି ହୋଇଥିବା ଭୟଙ୍କର ପ୍ରଦୂଷଣକୁ ନେଇ ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ଆଜି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଯୋଗୁ ଦିଲ୍ଲୀରେ ଆଜି ମାରାତ୍ମକ ପ୍ରଦୂଷଣ ସୃଷ୍ଟି ହୋଇଛି। ଏଥିପାଇଁ ଲୋକମାନେ ତାଙ୍କ ଜୀବନର ମହତ୍ତ୍ୱପୂର୍ଣ୍ଣ ବର୍ଷ ଗୁଡ଼ିକୁ ହରାଇ ଚାଲିଛନ୍ତି। କ’ଣ ଆପଣ ଏଭଳି ପରିସ୍ଥିତିରେ ରହିପାରିବେ? ଏଭଳି ସ୍ଥିତିରେ ରହିବାକୁ କେବେ ବି କେହି ଚାହିଁବେ ନାହିଁ। ଅଧିକାରୀମାନେ କେବଳ ଲୋକଙ୍କୁ ମରିବା ପାଇଁ ଛାଡ଼ି ଚୁପ ବସି ଯାଇଛନ୍ତି ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି।

ଜଷ୍ଟିସ୍‌ ଅରୁଣ ମିଶ୍ର ଓ ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ପଞ୍ଜାବ, ହରିଆଣା ଓ ୱେଷ୍ଟର୍ଣ୍ଣ ଉତ୍ତର ପ୍ରଦେଶରେ ଚାଲିଥିବା ଧାନର ଅବଶିଷ୍ଟାଂଶ ପୋଡ଼ା ଘଟଣାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରତିବର୍ଷ ଏଭଳି ଭାବେ ନଡ଼ା ପୋଡ଼ା ଯାଇ ପରିବେଶ ପ୍ରଦୂଷଣ ହେଉଥିଲେ ହେଁ ଏଥିପ୍ରତି କେହି ଭୃକ୍ଷେପ କରୁ ନଥିବା କୋର୍ଟ କହିଛନ୍ତି।

ପ୍ରଦୂଷଣ ମାମଲାରେ କୋର୍ଟଙ୍କୁ ସହାୟତା କରିବା ପାଇଁ ନିଯୁକ୍ତ ଆମିକସ୍‌ କ୍ୟୁରୀ ଅପରାଜିତା ସିଂହ କହିଛନ୍ତି, “ପଞ୍ଜାବରେ ନଡ଼ା ପୋଡ଼ି ଘଟଣା ୭% ବୃଦ୍ଧି ପାଇଥିବା ବେଳେ ହରିଆଣାରେ ୧୭% ହ୍ରାସ ପାଇଛି।” ଏହା ଶୁଣି କୋର୍ଟ ଆହୁରି କ୍ଷୁବ୍ଧ ହୋଇଥିଲେ। କୋର୍ଟ କହିଛନ୍ତି, “ପ୍ରଦୂଷଣ ଏଭଳି ସ୍ଥରକୁ ଚାଲି ଯାଇଛି ଯେ ଏଠାରେ ଲୋକମାନେ ଘର ମଧ୍ୟରେ ବି ସୁରକ୍ଷିତ ନୁହନ୍ତି। ଆପଣମାନେ ସମସ୍ତେ ଲୋକଙ୍କୁ ମରିବା ପାଇଁ ଛାଡ଼ି ଦେଇଛନ୍ତି। ପ୍ରଦୂଷଣ ଯୋଗୁ ଆପଣମାନଙ୍କର ରାଜ୍ୟ(ପଞ୍ଜାବ ଓ ହରିଆଣା)ର ଲୋକମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କ’ଣ ପଞ୍ଜାବ ଓ ହରିଆଣାର ପ୍ରଶାସନିକ ଅଧିକାରୀମାନେ ଲୋକଙ୍କୁ ଏମିତି ସେବା ଦେଉଛନ୍ତି?”

ଏଥିସହିତ କୋର୍ଟ କହିଛନ୍ତି, “ଆମେ କେବେ ହେଲେ ଏହି ବର୍ଦ୍ଧିତ ପ୍ରଦୂଷଣର ସ୍ଥିତିକୁ ସହ୍ୟ କରିବୁ ନାହିଁ। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏଥିପାଇଁ ଉତ୍ତରଦାୟୀ ରହିବା ଦରକାର। ପ୍ରତିବର୍ଷ ଦିଲ୍ଲୀରେ ବିଷାକ୍ତ ବଳୟ ସୃଷ୍ଟି ହେଉଛି। ହେଲେ ଆମେ ଏହାକୁ ରୋକିବା ପାଇଁ କିଛି ବି କରିପାରୁନାହୁଁ। ସଭ୍ୟ ସମାଜରେ ଏମିତି ହୁଏନାହିଁ। ଲୋକମାନେ ଦିଲ୍ଲୀ ଆସନ୍ତୁ ନାହିଁ । ଏଠାରେ ଥିବା ଲୋକମାନେ ଅନ୍ୟତ୍ର ଚାଲି ଯାଆନ୍ତୁ ବୋଲି ପରାମର୍ଶ ଦେଉଛୁ। ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ।”

Comments are closed.