Odisha Link
Bridging the Missing Links in Odisha

ଜାତୀୟ ସେବା ଯୋଜନାର ରାଜ୍ୟ ଉପଦେଷ୍ଟା ମଣ୍ଡଳୀ ବୈଠକ

ଭୁବନେଶ୍ୱର: ସମାଜସେବା ନିମନ୍ତେ ଛାତ୍ରଛାତ୍ରୀମାନେ ମାନସିକ ସ୍ତରରେ ପ୍ରସ୍ତୁତ ହେବା ଆବଶ୍ୟକ । ଜଣେ ଯେକୌଣସି ବୃତ୍ତିରେ ରହିଲେ ମଧ୍ୟ ସମାଜସେବାକୁ ଜୀବନର ବ୍ରତ କରି ପାରିଲେ ବ୍ୟକ୍ତିତ୍ୱର ପୂର୍ଣ୍ଣ ବିକାଶ ହୋଇ ପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ଜାତୀୟ ସେବା ଯୋଜନାର ରାଜ୍ୟ ଉପଦେଷ୍ଟା ମଣ୍ଡଳୀ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କହିଲେ ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଜାତୀୟ ସେବା ଯୋଜନାକୁ ଅଧିକ କ୍ରିୟାଶୀଳ କରିବା ଦିଗରେ ପଦକ୍ଷେପ ନିଆଯିବ, ଯେ ପରି ଅଧିକରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଯୋଗଦେବା ପାଇଁ ଆଗ୍ରହୀ ହେବେ । ଚଳିତ ବର୍ଷ ଜାତୀୟ ସେବା ଯୋଜନା ପ୍ରତିଷ୍ଠାର ସୁବର୍ଣ୍ଣ ଜୟନ୍ତୀ ଓ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଥିବା ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ । ପ୍ରତ୍ୟେକ ଜାତୀୟ ସେବା ଯୋଜନା ଶିବିରରେ ଗାନ୍ଧୀକଥା ଆଲୋଚନା କରାଯିବ । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଗାନ୍ଧିଜୀଙ୍କ ବିଚାରଧାରାରେ ପ୍ରଭାବିତ ହେବେ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ଜାତୀୟ ସେବା ଯୋଜନାରେ ମୋଟ ୧ ଲକ୍ଷ ୧୫ ହଜାର ୫୦୦ ଜଣ ସ୍ବେଚ୍ଚାସେବୀ ଥିବାବେଳେ ଚଳିତ ବର୍ଷ ୧୯,୫୦୦ ଅଧିକ ସ୍ବେଚ୍ଛାସେବୀ ବୃଦ୍ଧି କରିବା ପାଇଁ ଭାରତ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏନ୍‌ଏସ୍‌ଏସ୍‌ ଦାୟିତ୍ୱରେ ଥିବା ନୂତନ ପ୍ରୋଗ୍ରାମ ଅଫିସରମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନଭେମ୍ବେର ୧୫ ତାରିଖକୁ ଆରମ୍ଭ କରାଯିବା ପାଇଁ ବୈଠକରେ ସ୍ଥିର କରାଗଲା । ଏଥି ସହିତ ବିଶ୍ୱବିଦ୍ୟାଳୟଗୁଡ଼ିକ ପକ୍ଷରୁ ଏନ୍‌ଏସ୍‌ଏସ୍‌ ବ୍ୟୁରୋଗୁଡ଼ିକରେ ଖାଲିଥିବା ପ୍ରୋଗ୍ରାମ କୋଅର୍ଡିନେଟର ନିୟୋଜିତ କରିବା ପାଇଁ ସ୍ଥିର ହୋଇଥିଲା । ୟୁଜିସି ପକ୍ଷରୁ ମହାବିଦ୍ୟାଳୟଗୁଡ଼ିକରେ ଜାତୀୟ ସେବା ଯୋଜନା ଅଧିକରୁ ଅଧିକ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଗୁରୁତ୍ୱ ଦେଉଥିବାବେଳେ ଗୋଷ୍ଠୀସେବା, ସାମାଜିକ କଲ୍ୟାଣକାରୀ କାର୍ଯ୍ୟକ୍ରମ, ବୃକ୍ଷରୋ ପଣ, ଜଳସଂରକ୍ଷଣ, ସ୍ୱଚ୍ଛ ଭାରତ, ଜରୁରୀ ଆପାଦକାଳୀନ ପରିଚାଳନା ଆଦି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ ଅଫିସରଙ୍କ ମାଧ୍ୟମରେ ଆବଶ୍ୟକ ପଦକ୍ଷେପ ନେବେ ।
ଏଥି ସହିତ ବୈଠକରେ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସାମାଜିକ ବାର୍ତ୍ତା ବହନ କରୁଥିବା ବୃତ୍ତଚିତ୍ର ମହାବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଦର୍ଶନ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ଆଶୁ ଚିକିତ୍ସା ଶିବିର ଆଦି ପରିଚାଳନା ନିମନ୍ତେ ନେତୃତ୍ୱ ସୃଷ୍ଟି ଦିଗରେ ଯୁବ ରେଡ୍‌କ୍ରସ, ଓସ୍‌ଡମା ଏବଂ ସେଣ୍ଟଜୋନ୍‌ ଆମ୍ବୁଲାନ୍ସ ସହାୟତାରେ ଅଧିକ ପ୍ରଶିକ୍ଷଣ ଶିବିର ଆୟୋଜନ, ସ୍ନାତକୋତ୍ତର ଶ୍ରେଣୀରେ ନାମ ଲେଖାଇବ ପାଇଁ ଜାତୀୟ ସେବା ଯୋଜନାରେ ଅନ୍ତର୍ଜାତୀୟ, ଜାତୀୟ ଓ ଅନ୍ୟ ସେବା ଶିବିର ଆଦିରେ ଯୋଗଦେଇଥିବା ସ୍ବେଚ୍ଛାସେବୀଙ୍କୁ ପ୍ରୋତ୍ସାହନ ନମ୍ବର ଦେବା ଓ ଗଣତନ୍ତ୍ର ଦିବସ ପୂର୍ବ ଶିବିର ଓ ଗଣତନ୍ତ୍ର ଦିବସ ଶିବିରରେ ଯୋଗଦେବା ଯୋଗୁଁ ପରୀକ୍ଷାରୁ ବଞ୍ଚିତ ହେଉଥିବା ସ୍ବେଚ୍ଛାସେବୀଙ୍କ ନିମନ୍ତେ ସ୍ୱତନ୍ତ୍ର ପରୀକ୍ଷାର ବ୍ୟବସ୍ଥା, ସମସ୍ତ ମହାବିଦ୍ୟାଳୟରେ ସେଲ୍‌ଫ ଫାଇନାନ୍‌ସିଂ ମାଧ୍ୟମରେ ଜାତୀୟ ସେବା ଯୋଜନା ଖୋଲାଯିବା, ଏନ୍‌ଏସ୍‌ଏସ୍‌ରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ପୁରସ୍କାର ପ୍ରଦାନ ଆଦି ସଂ ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ବିଶିଷ୍ଟ ଗାନ୍ଧୀବାଦୀ ନେତା ଆଦିତ୍ୟ ପ୍ରସାଦ ପଟ୍ଟନାୟକ, ସମାଜ ରିଲିଫ୍‌ ପାଣ୍ଠିର ସଂପାଦକ ପ୍ରଭାସ ଆଚାର୍ଯ୍ୟ, ମଧୁସୂଦନ ଦାସ, ଓୟୁଏଟିର ପ୍ରଫେସର ବିକାଶ ପଣ୍ଡା ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବୈଠକରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମିଶ୍ର ଓ ଭାରତ ସରକାରଙ୍କ ଏନ୍‌ଏସ୍‌ଏସ୍‌ ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ୍‌, ଉଚ୍ଚଶିକ୍ଷା ବିଭାଗର ରାଜ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଉପଶାସନ ସଚିବ ଡ. ସୁରେଖା ସୁନ୍ଦରୀ ସ୍ୱାଇଁଙ୍କ ସମେତ ସମସ୍ତ ବିଶ୍ୱବିଦ୍ୟାଳୟ, ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏନ୍‌ଏସ୍‌ଏସ୍‌ର ପ୍ରୋଗ୍ରାମ କୋଅର୍ଡିନେଟର ପ୍ରମୁଖ ଯୋଗଦେଇଥିଲେ ।

Comments are closed.