ହିଟଲର୍ଙ୍କ ଏହି ଦୁର୍ଗ ପାଲଟିବ ବିଳାସ ହୋଟେଲ

ଏକଦା ଏହି ବିଶାଳ ବଙ୍କରଟି ଶତ୍ରୁ ଦାଉରୁ ରକ୍ଷା ପାଇବା ପାଇଁ ନାଜିମାନଙ୍କ ଦ୍ବାରା ବ୍ୟବହୃତ ହେଉଥିଲା। ଆଉ ଏବେ ସେହି ସୌଧକୁ ଏକ ୧୩୬ କୋଠରୀ ବିଶିଷ୍ଟ ବିଳାସପୂର୍ଣ୍ଣ ହୋଟେଲରେ ପରିଣତ କରାଯାଉଛି।
ହାମବର୍ଗ ସହରର ସେଣ୍ଟ ପାଉଲି ଠାରେ ଅବସ୍ଥିତ ଏହି ବଙ୍କରର ମୂଳନାମ ଥିଲା ଫ୍ଲାକ୍ ଟାଓ୍ବାର -୫। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ୧୯୪୨ରେ ମାତ୍ର ୩୦୦ ଦିନରେ ନିର୍ମିତ ଏ ବିଶାଳ ସୌଧର କାନ୍ଥ ଓ ଛାତ ଏତେ ଶକ୍ତ ଯେ ତାହା କ୍ଷେପଣାସ୍ତ୍ର ମାଡ଼କୁ ବି ପ୍ରତିହତ କରିବାର ଶକ୍ତି ରଖିଥିଲା। ମୁଖ୍ୟତଃ ନାଜିମାନେ ଏହାକୁ ଜରୁରୀ ସମୟରେ ଲୁଚିବା ସ୍ଥାନ ଭାବେ ବ୍ୟବହାର କରୁଥିଲେ।
ଯୁଦ୍ଧ ପରେ ଏହି ଦୁର୍ଗରେ ବାସହୀନ ଜନତାଙ୍କୁ କିଛିକାଳ ରଖିବା ବ୍ୟବସ୍ଥା କରାଯାଇଥିଲା। ପରେ ଜର୍ମାନ ଟିଭି ଚ୍ୟାନେଲ ଓ ଆଉ କିଛି ବ୍ୟବସାୟ ସଂସ୍ଥାର କାର୍ଯ୍ୟାଳୟ ଏଠାରେ ଖୋଲିଥିଲା।
ଏବେ ‘ମିିଡିଆ ବଙ୍କର’ ଭାବେ ପରିଚିତ ଏ କୋଠାରେ ବହୁ ଗଣମାଧ୍ୟମ ସଂସ୍ଥା, ରେଡିଓ ଷ୍ଟେସନ୍, ନାଇଟ୍ କ୍ଲବ୍ ଆଦି ରହିଛି। ତେବେ ଏନ୍ଏଚ୍ ହୋଟେଲ ଗ୍ରୁପ୍ ନାମକ ଏକ ଅନୁଷ୍ଠାନ ଏବେ ସରକାରଙ୍କ ଠାରୁ ଏ କୋଠା ନେଇ ଏକ ବିଳାସମୟ ହୋଟେଲ ନନିର୍ମାଣ କରୁଛି। ଦୁର୍ଗର ଉପରିଭାଗକୁ ସବୁଜିମାରେ ଆଚ୍ଛାଦନ କରାଯାଉଛି। ୧୩୬ କୋଠରୀବିଶିଷ୍ଟ ଏହି ହୋଟେଲଟ ୨୦୨୧ରେ ଖୋଲିବ।
ନାଜିମାନେ ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଏହିଭଳି ଏକ ହଜାରରୁ ଅଧିକ ବଙ୍କର ନିର୍ମାଣ କରିଥିଲେ। ତନ୍ମଧ୍ୟରେ ଏହି ହୋଚ୍ବଙ୍କର (ଫ୍ଲାକ୍ ଟାଓ୍ବାର ୫) ସବୁଠାରୁ ବିଶାଳ। ୭୫ ମିଟର ଦୈର୍ଘ୍ୟ, ୭୫ ମିଟର ପ୍ରସ୍ତ ଓ ୩୫ ମିଟର ଉଚ୍ଚତା ବିଶିଷ୍ଟ ଏହି ବଙ୍କରଟିକୁ ୧୯୪୨ରେ ପ୍ରାୟ ୧୦୦୦ ଜଣ ଗୋତିଶ୍ରମିକଙ୍କ ଦ୍ବାରା ନିର୍ମାଣ କରାଯାଇଥିଲା। ଏହାର କାନ୍ଥର ମୋଟେଇ ୩.୫ ମିଟର ବା ପ୍ରାୟ ୧୨ ଫୁଟ ରହିଛି। ଏହା ପ୍ରାୟ ୧୮୦୦୦ ଲୋକଙ୍କୁ ଧାରଣ କରିବାର କ୍ଷମତା ଥିବା ବେଳେ ୧୯୪୩ ଏୟାର ରେଡ୍ ବେଳେ ଏଥିରେ ୨୫୦୦୦ରୁ ଅଧିକ ନାଜି ଆଶ୍ରୟ ନେଇଥିବା ଜଣାଯାଏ।