Odisha Link
Bridging the Missing Links in Odisha

ବେଙ୍ଗାଲୁରୁରେ ତିଆରି ଚାଲିଛି ଡିଟେନ୍‌ସନ୍‌ ସେଣ୍ଟର, ଏଠାରେ କ’ଣ ରହିଛି ପଢ଼ନ୍ତୁ

ବେଙ୍ଗାଲୁରୁ: “ଦେଶରେ କୌଣସି ଡିଟେନ୍‌ସନ୍‌ ସେଣ୍ଟର (ଅଟକ କେନ୍ଦ୍ର ବା ଏକ ପ୍ରକାର ବନ୍ଦୀଗୃହ) ନାହିଁ। କଂଗ୍ରେସ୍‌ ଓ ଏହାର ସହଯୋଗୀ ଦଳ, କିଛି ଶିକ୍ଷିତ ନକ୍ସଲ ଓ ସହରୀ ନକ୍ସଲଙ୍କ ଦ୍ବାରା ଏଭଳି ମିଥ୍ୟା ପ୍ରଚାର କରାଯାଉଛି।”

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଡିଟେନ୍‌ସନ୍‌ ସେଣ୍ଟର ନ ଥିବା ନେଇ ,ଭଳି ସ୍ପଷ୍ଟୋକ୍ତି ବାଢ଼ିଥିବା ବେଳେ ଆଜି ଗଣମାଧ୍ୟମରେ ପୁଣି ଆସିଛି ଡିଟେନ୍‌ସନ୍‌ ସେଣ୍ଟର ନିର୍ମାଣର ନଗ୍ନ ଚିତ୍ର। ଇଣ୍ଡିଆନ ଏକ୍ସପ୍ରେସ୍‌ରେ ଆଜି ପ୍ରକାଶିତ ଏକ ରିପୋର୍ଟ ମୁତାବକ ବେଙ୍ଗାଲୁରୁ ସହର ଠାରୁ ୩୦ କିଲୋମିଟର ଦୂର ସୋଣ୍ଡେକୋପ୍ପା ଗାଁରେ ତିଆରି ଚାଲିଛି ଡିଟେନ୍‌ସନ୍‌ ସେଣ୍ଟର। ଘର ଉପରେ ଦୁଇ କୋଣରେ ଜେଲ୍‌ ଭଳି ସୁରକ୍ଷା କର୍ମୀଙ୍କ ଓ୍ବାଚ୍‌ ଟାଓ୍ବାର ଥିବା ବେଳେ ୧୫ ଶଯ୍ୟା ବିଶିଷ୍ଟ ୭ଟି କୋଠରୀ, ରନ୍ଧନଶାଳା ଓ ସ୍ନାନାଗାର ନିର୍ମାଣ ସରିଛି।

କଣ୍ଟାଟକ ସମାଜ ମଙ୍ଗଳ ବିଭାଗର କର୍ମଚରୀ ଏଠାରେ କାର୍ଯ୍ୟ କରୁଥିବା ବେଳେ ଫାଟକ ବାହାରେ ପୁଲିସ ପହରା ଦେଉଛନ୍ତି। ପୂର୍ବରୁ ଏହି ଘରେ ସମାଜ ମଙ୍ଗଳ ବିଭାଗର ଏକ ଛାତ୍ରାବାସ ଚାଲିଥିବା ଏହାକୁ ନିଜ ଅଧୀନକୁ ନେବାକୁ ଗତ ମାସରେ ବେଙ୍ଗାଲୁରୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ସରକାର। ୨୦୨୦ ସୁଦ୍ଧା ଏହି ଡିଟେନ୍‌ସନ୍‌ ସେଣ୍ଟରକୁ କାର୍ଯ୍ୟକ୍ଷମ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ରିପୋର୍ଟରେ ଉଲ୍ଲେଖ ଅଛି।

ପୁଲିସ ପକ୍ଷରୁ ଏଠାରେ ସୁରକ୍ଷା କର୍ମୀଙ୍କର ବ୍ୟବସ୍ଥା କରାଯାଇଥିବା ବେଳେ ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଓ୍ବାର୍ଡେନ୍, ସହକାରୀ ଓ୍ବାର୍ଡେନ୍, ରୋଷେୟା, କୀରାଣି ଓ ଅନ୍ୟ କର୍ମଚାରୀ ନିଯୁକ୍ତ କରାଯାଇଛି।
ଅଗଷ୍ଟ ୨୦୧୮ରେ ବେଙ୍ଗାଲୁରୁରେ ୧୫ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ପାଇଁ ଶୀଘ୍ର ସୁବିଧା କେନ୍ଦ୍ର ଖୋଲିବାକୁ କର୍ଣ୍ଣାଟକ ହାଇକୋର୍ଟର ଜଣେ ବିଚାରପତି ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆସାମ ଡିଟେନ୍‌ସନ୍‌ ସେଣ୍ଟର

ଆସାମର ଗୋଲପରା ଠାରେ ପ୍ରାୟ ୩ ଲକ୍ଷ ଲୋକ ରହିବା ଭଳି ଅନ୍ୟ ଏକ ବଡ଼ ଡିଟେନ୍‌ସନ୍‌ ସେଣ୍ଟର ନିର୍ମାଣ ଚାଲିଛି ବୋଲି ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା।