Odisha Link
Bridging the Missing Links in Odisha

ବିଜେପି ଏବଂ ଆରଏସଏସର ଚିନ୍ତାଧାରା ସଂରକ୍ଷଣ ବ୍ୟବସ୍ଥା ବିରୋଧୀ : ରାହୁଲ୍

ନୂଆଦିଲ୍ଲୀ: ଗତ ସପ୍ତାହ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ରାୟ ଦେବା ପରେ ମୋଦି ସରକାରକୁ ଘେରିବା ଆରମ୍ଭ କରିଛନ୍ତି ବିରୋଧୀ। ମୋଦି ସରକାର ସଂରକ୍ଷଣ ବ୍ୟବସ୍ଥା ବିରୋଧୀ ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏଥିସହ ସରକାର ପୁଣିଥରେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଆବେଦନ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି। ରାହୁଲ କହିଛନ୍ତି, ‘ ଦିଲ୍ଲୀରେ ରବିଦାସ ମନ୍ଦିର ଭାଙ୍ଗିବା ପଛରେ ବିଜେପିର ଭୂମିକା ରହିଛି। ଏହି ମନ୍ଦିର ଏସସି/ଏସଟି କମ୍ୟୁନିଟିର। ମନ୍ଦିର ଭାଙ୍ଗି ଏସସି/ଏସଟି ବର୍ଗର ଲୋକଙ୍କୁ ଆଗକୁ ବଢ଼ିବାକୁ ଦେବ ନାହିଁ । ବିଜେପି ଏବଂ ଆରଏସଏସର ଚିନ୍ତାଧାରା ସଂରକ୍ଷଣ ବ୍ୟବସ୍ଥା ବିରୋଧରେ। ଆରଏସଏସ ଏବଂ ବିଜେପି ଯେତେ ଚାହିଁଲେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ଦେଶରୁ ହଟିବ ନାହିଁ। କଂଗ୍ରେସ କେବେ ଏମିତି ହେବାକୁ ଦେବନି। ସମ୍ବିଧାନ ଉପରେ ଆକ୍ରମଣ ହେଉଛି। ସଂସଦରେ ମୋତେ କହିବାକୁ ସୁଯୋଗ ଦିଆଯାଉ ନାହିଁ। ନ୍ୟାୟପାଳିକା ଉପରେ ଚାପ ସୃଷ୍ଚି କରାଯାଉଛି। ଦେଶର ପ୍ରମୁଖ ସଂସ୍ଥାମାନଙ୍କୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି’।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ସୁପ୍ରିମକୋର୍ଟ କୋଟା ସମ୍ପର୍କରେ ରାୟ ଦେଇ କହିଥିଲେ, ସରକାରୀ ଚାକିରିରେ କୋଟା କିମ୍ୱା ସଂରକ୍ଷଣ ଦାବି ମୌଳିକ ଅଧିକାର ନୁହେଁ। ଏମିତିକି କୌଣସି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏସସି, ଏସଟି ବର୍ଗର ଲୋକଙ୍କୁ ଚାକିରିରେ ସଂରକ୍ଷଣ ଦେବା ପାଇଁ ନିର୍ଦ୍ଦେଶ ଦେଇପାରିବେ ନାହିଁବୋଲି ସୁପ୍ରିମକୋର୍ଟ କହିଥିଲେ। ତେବେ ରାଜ୍ୟ ସରକାର ଚାହିଁଲେ ନିଜ ବିବେକ ଆଧାରରେ ଚାକିରିରେ ଏବଂ ପଦୋନ୍ନତିରେ ସଂରକ୍ଷଣ ନେଇ ନିଷ୍ପତ୍ତି ନେଇପାରିବେ। ହେଲେ କୋଟା ବ୍ୟବସ୍ଥା ଲାଗୁ କରିବା ଅନିର୍ବାର୍ଯ୍ୟ ନୁହେଁ।

Comments are closed.