Odisha Link
Bridging the Missing Links in Odisha

ନୀତିଯୁକ୍ତ ଶିକ୍ଷା ଉତମ ସମାଜ ଗଠନ ପାଇଁ ଜରୁରୀ : ଧର୍ମେନ୍ଦ୍ର

ଭୁବନେଶ୍ୱର : ନୀତିଯୁକ୍ତ ଶିକ୍ଷା ଉତମ ସମାଜ ଗଠନ ପାଇଁ ଜରୁରୀ ବୋଲି ରବିବାର ବରଗଡ ଜିଲ୍ଲାର ନୂଆପାଲ୍ଲି ଠାରେ ଗୁରୁକୁଳ ନବପ୍ରଭାତ ବୈଦିକ ଶିକ୍ଷାନୁଷ୍ଠାନର ୧୮ତମ ବାର୍ଷିକତ୍ସୋବ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନ କହିଛନ୍ତି ଯେ ନବପ୍ରଭାତ ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ ରାଜ୍ୟରେ ଦୁଇ ହଜାର ମସିହାରୁ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ସ୍ଥାନୀୟ ଅଂଚଳରେ ପରମ୍ପରାଗତ ଶିକ୍ଷା ସହ ନୀତିଯୁକ୍ତ ଶିକ୍ଷା ଯଥା ସଂସ୍କୃତ, ଗୋ-ସେବା, କୃଷି, ନୈତିକ ସଂସ୍କାର ଭଳି ଶିକ୍ଷା ପ୍ରଦାନ କରିବାରେ ବଡ ଭୂମିକା ନେଇଛି ।

ପୂଜ୍ୟ ସ୍ୱାମୀ ବିବେକାନନ୍ଦ ସରସ୍ୱତୀଜୀଙ୍କ ଆଶୀର୍ବାଦରୁ ଏହି ଶିକ୍ଷାନୁଷ୍ଠାନ ବିଗତ ୨୦ ବର୍ଷ ଧରି ଓଡିଶା ବିଶେଷ ଭାବରେ ପଶ୍ଚିମ ଓଡିଶାରେ ବୌଦ୍ଧିକ ସଂସ୍କୃତି, ସଭ୍ୟତା ଓ ଶିକ୍ଷାର ପ୍ରଚାର ପ୍ରସାର ସହ ସାମାଜିକ ଏବଂ ଆର୍ଥିକ ଉତଥାନ କାର୍ଯ୍ୟକ୍ରମରେ ଅଗ୍ରସର ହେଉଛି । ଏହି ଶିକ୍ଷାନୁଷ୍ଠାନ ସମସ୍ତଙ୍କ ପାଇଁ ପ୍ରେରଣାର କେନ୍ଦ୍ର ହୋଇପାରିଛି ବୋଲି ପ୍ରଧାନ କହିଛନ୍ତି ।

ଏହି ଶିକ୍ଷାନୁଷ୍ଠାନ ନୈତିକ ଶିକ୍ଷା ସମେତ ଚାଷ, ଗୋ ସେବା ଭଳି ବ୍ୟବହାରିକ ଜ୍ଞାନକୁ ପ୍ରୋତ୍ସାହନ ଦେବାରେ ଗୋଟିଏ ପ୍ରୟୋଗଶାଳା ହୋଇଛି । ଗୁରୁକୁଳ ନବପ୍ରଭାତ ବୈଦିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ବିଶ୍ୱକୁ ନେତୃତ୍ୱ କରିବାର କ୍ଷମତା ରଖିଛନ୍ତି । ଏହି ଶିକ୍ଷାନୁଷ୍ଠାନକୁ ଏକ ବିଶ୍ୱବିଦ୍ୟାଳୟର ରୂପ ଦେବା ପାଇଁ ସମସ୍ତଙ୍କର ଇଚ୍ଛା ରହିଛି ।

ସମାଜର ସବୁ ବର୍ଗର ଲୋକଙ୍କ ପ୍ରୟାସରେ ଏହା ନିଶ୍ଟିତ ଭାବେ ଆଗାମୀ ଦିନରେ ଏକ ବିଶ୍ୱବିଦ୍ୟାଳୟର ରୂପ ନେବ । ଗୁରୁକୁଳ ନବପ୍ରଭାତ ବୈଦିକ ବିଦ୍ୟାପୀଠ ଏକବିଂଶ ଶତାବ୍ଦୀରେ ନୂଆ ଧର୍ମକ୍ଷେତ୍ର ହେବ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଭାରତୀୟ ଶିକ୍ଷା ବ୍ୟବସ୍ଥା ସ୍ୱୟଂ ପ୍ରେରଣା ତିଆରି କରିଥାଏ । ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ସାମୂହିକ ଶିକ୍ଷା ଥାଏ । ଏହି ଶିକ୍ଷା କେବଳ ନିଜ କଥା ଭାବେ ନାହିଁ ପାଶ୍ଚାତ୍ୟ ଶିକ୍ଷା ଜ୍ଞାନ ସହ ବୁଦ୍ଧି ମଧ୍ୟ ଦିଏ । ଏଇଟା ହିଁ ବେଦରେ ଉଲ୍ଲେଖ ରହିଛି ।

ଏହି କାରଣରୁ ପୂର୍ବକାଳରେ ମୋଗଲ ଶାସକ ଏବଂ ପରେ ଇଂରେଜ ମାନେ ଦେଶର ଶିକ୍ଷା ବ୍ୟବସ୍ଥାକୁ ଭାଙ୍ଗିବାକୁ ଚେଷ୍ଟା କରିବା ସହ ନାଳନ୍ଦା ଓ ତକ୍ଷଶୀଳା ଭଳି ଶିକ୍ଷାନୁଷ୍ଠାନକୁ ଧୂଳିସାତ କରିଥିଲେ ।
ପ୍ରଧାନ କହିଛନ୍ତି ଯେ ଯେଉଁ ସମାଜକୁ ଗୁରୁଙ୍କ ମାର୍ଗଦର୍ଶନ ରୁହେ ସେହି ସମାଜକୁ କେହି ଅଟକାଇପାରିବେ ନାହିଁ ।

ଏହି ପରିପ୍ରେକ୍ଷୀରେ ଏକ ବେସରକାରୀ ସଂଗଠନ ଭାବରେ ନବପ୍ରଭାତ ପବ୍ଲିକ୍ ଚାରିଟେବୁଲ ଟ୍ରଷ୍ଟ କେବଳ ପ୍ରାଚୀନ ସଂସ୍କୃତି ଓ ପରମ୍ପରାକୁ ଲୋକଙ୍କ ପାଖରେ ପହଁଚାଉନାହିଁ ବରଂ ଆଧୁନିକ ସମୟରେ ସମାଜରେ ଲୋକଙ୍କୁ ଉଚିତ୍ ମାଗଦର୍ଶନର ବାଟ ମଧ୍ୟ ଦେଖାଉଛି ବୋଲି ପ୍ରଧାନ ଉଲ୍ଲେଖ କରିଛନ୍ତି ।

Comments are closed.