Odisha Link
Bridging the Missing Links in Odisha

କାର୍ଯ୍ୟରେ ଅବହେଳା ପାଇଁ ଉଚ୍ଚଶିକ୍ଷା ବିଭାଗର ଉପବିଭାଗ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର :  ଉଚ୍ଚଶିକ୍ଷା ବିଭାଗର ଉପବିଭାଗ ଅଧିକାରୀ କ୍ଷେତ୍ରବାସୀ ଗୋଚ୍ଛାୟତଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କରାଯାଇଛି । ତାଙ୍କର ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି । ସୂଚନାଯୋଗ୍ୟ ଯେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଗତ ଜାନୁଆରୀ ୨୧ ତାରିଖରେ ନଅତାଲାସ୍ଥିତ ଉଚ୍ଚଶିକ୍ଷା ବିଭାଗ ଦ୍ୱିତୀୟ କ୍ୟାମ୍ପସ୍‌ ଅଚାନକ ଗସ୍ତ ସମୟରେ ଫାଇଲ୍‌ ପ୍ରକ୍ରିୟାରେ ଅହେତୁକ ବିଳମ୍ବ ସଂପର୍କରେ ଜାଣିବାକୁ ପାଇଥିଲେ ।

ଫାଇଲ୍‌ଟି ୬ ମାସରୁ ଊଦ୍ଧ୍ୱର୍କାଳ କାର୍ଯ୍ୟକାରୀ ନହୋଇ ପଡ଼ିରହିଥିବାରୁ ମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏହାର ତଦନ୍ତ କରି କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ତଦନ୍ତ କରାଯିବା ପରେ ଉପବିଭାଗ ଅଧିକାରୀ କ୍ଷେତ୍ରବାସୀ ଗୋଚ୍ଛାୟତଙ୍କୁ ଫାଇଲ୍‌ ପ୍ରକ୍ରିୟାରେ ଅବହେଳା ପାଇଁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ୫‘ଟି’ ଆଧାରରେ କାର୍ଯ୍ୟ କରି ଫାଇଲ୍‌ ପ୍ରକ୍ରିୟାରେ ପାରଦର୍ଶିତା ଆଣିବା ପାଇଁ ମନ୍ତ୍ରୀ ଡ. ସାହୁଙ୍କ ବାରମ୍ବାର ତାଗିଦ୍‌ ସତ୍ତ୍ବେ ଉପବିଭାଗ ଅଧିକାରୀ ଗୋଚ୍ଛାୟତଙ୍କ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ନିମନ୍ତେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।

Comments are closed.