Odisha Link
Bridging the Missing Links in Odisha

ବେରୋଜଗାର ପ୍ରତିବାଦରେ ଯୁବମୋର୍ଚ୍ଚା

ଭୁବନେଶ୍ୱର : ଦୀର୍ଘ ୨୦ ବର୍ଷ ଶାସନ ପରେ ଓଡିଆ ଯୁବକଙ୍କୁ ସରକାର ଧୋକ୍କା ଦେବା ସହ ପ୍ରତାରିତ କରିଛନ୍ତି । ରାଜ୍ୟ ସରକାରଙ୍କ ଅପରାଗତ ପାଇଁ ଆଜି ଓଡିଶା ବେରୋଜଗାରୀ ଏବଂ ବେକାରୀରେ ୧ ନମ୍ବର ସ୍ଥାନରେ ରହିଛି ।

୨୦୦୯ରୁ ଆଜି ଯାଏଁ ଦୀର୍ଘ ୧୦ ବର୍ଷ ଭିତରେ ରାଜ୍ୟର ଏମ୍ପଲୟମେଂଟ ଏକ୍ସଚେଂଜରେ ୨୨ ଲକ୍ଷ ୫୭ ହଜାର ବେକାର ଯୁବକ ଯୁବତୀ ଚାକିରି ପାଇଁ ନାମ ପଂଜିକୃତ କରିଥିଲେ ହେଲେ ମାତ୍ର ୨୬,୪୫୦ ଜଣଙ୍କୁ ନିଯୁକ୍ତି ନିଯୁକ୍ତି ମିଳିଛି । ଯାହାକି ନିଯୁକ୍ତି ହାର ମାତ୍ର ୧% ।

ସେହିପରି ରାଜ୍ୟ ସରକାରଙ୍କର ସ୍କିଲଡ ଓଡିଶା କାର୍ଯ୍ୟକ୍ରମ ସମ୍ପୃର୍ଣ୍ଣ ବିଫଳ ହୋଇଛି । ଏହି କାର୍ଯ୍ୟକ୍ରମରେ ୬୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୯୩,୦୧୧ ତାଲିମପ୍ରାପ୍ତଙ୍କ ମଧ୍ୟରୁ ୨୧,୬୮୧ ନିଯୁକ୍ତି ପାଇଛନ୍ତି । ସରକାରଙ୍କର ନିଶ୍ଚିନ୍ତ ନିଯୁକ୍ତି କାର୍ଯ୍ୟକ୍ରମରେ ଓଡିଆ ଯୁବପିଢୀଙ୍କୁ ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି । ୨୦ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ରୋଜଗାର ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ।

ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ହେବା, ଶିକ୍ଷିତଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନମିଳିବା, ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀ ପୂରଣ ନହେବା, ରାଜ୍ୟରେ ଥିବା ଘରୋଇ କଂପାନୀମାନଙ୍କରେ ଓଡିଆ ଯୁବକମାନଙ୍କୁ ନିଯୁକ୍ତି ନମିଳିବା, ନିଯୁକ୍ତି ମେଳା ନାଁରେ ଶାସକ ଦଳର ନେତା ଚାନ୍ଦା ଆଦାୟ କରିବା ବିରୁଦ୍ଧରେ ଆଜି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟାଳୟରୁ ଏକ ବିଶାଳ ରାଲି ବାହାରି ଲୋୟର ପିଏମଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ରାଲି ପୂର୍ବରୁ ଦଳୀୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ସମୀର ମହାନ୍ତି ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ, ଶାସକ ବିଜେଡିର ଅପାରଗତ ଓ ସ୍ଥାଣୁତା କାରଣରୁ ଦୀର୍ଘ ୨୦ ବର୍ଷ ଶାସନ କ୍ଷମତା ଥିବା ସତ୍ୱେ ଆଜି ଓଡିଆ ଯୁବକ ଯୁବତୀମାନେ ବେରୋଜଗାର ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ।

ଯୁବକ ଯୁବତୀଙ୍କ ହକ୍ ର ଲଢେଇ ପାଇଁ ବିଜେପି ସଂଘର୍ଷ ଜାରି ରଖିବ । ରାଜ୍ୟରେ ୯ ଲକ୍ଷ ୨୧ ହଜାର ଶିକ୍ଷିତ ବେକାରି ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଜିଲ୍ଲା ଗଂଜାମରେ ଅଛନ୍ତି ୫୫,୫୫୬ ଜଣ ଶିକ୍ଷିତ ବେକାରି ରହିଛନ୍ତି । ରାଜ୍ୟ ସରକାରଙ୍କର Chief Ministers Employment Generation Programme, ଯୁବନୀତି ଏବଂ ବିଜୁ ଯୁବ ବାହିନୀ ପ୍ରୋଗ୍ରାମ ପୁରା ବିଫଳ ହୋଇଛି ।

ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ମେଳାମାନ ଆୟୋଜନ କରାଯାଉଛି । ସେହି ନିଯୁକ୍ତି ମେଳାରେ ବିଭିନ୍ନ ସମୟରେ ଜାଲ୍ ନିଯୁକ୍ତି ପତ୍ର ଦିଆଯାଉଥିବାର ଅଭିଯୋଗ ଆସୁଛି । ନିଯୁକ୍ତି ମେଳା ନାଁରେ ଶାସକ ବିଜେଡି ଦଳର ବିଧାୟକ ଏବଂ ନେତାମାନେ ଚାନ୍ଦା ଆଦାୟ କରୁଛନ୍ତି ।

ବିଧାନସଭାରେ ସରକାର ମାନିଛନ୍ତି କି ନିଯୁକ୍ତିମେଳାରେ ଏବେ ସୁଦ୍ଧା ୧, ୧୫,୬୯୮ ଜଣଙ୍କୁ ନିଯୁକ୍ତି ମିଳିଛି । ନିଯୁକ୍ତି ମେଳାରେ ମିଳୁଥିବା ନିଯୁକ୍ତି ସବୁ କମ୍ ଦରମା ଓ ଅଧିକାଂଶ ରାଜ୍ୟ ବାହାରେ ହୋଇଥିବାରୁ ଓଡିଶା ପିଲାମାନେ ଏହା ଦ୍ୱାରା ଲାଭବାନ ହେଉନାହାନ୍ତି ବୋଲି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି ।

୨୦୦୯ରେ ହୋଇଥିବା ରାଜ୍ୟ ଇଣ୍ଡଷ୍ଟ୍ରିଆଲ ପଲିସିର ନିୟମ ଅନୁସାରେ ଅଣକୁଶଳି ଓ ଅର୍ଦ୍ଧକୁଶଳି ଶ୍ରମିକମାନଙ୍କ କ୍ଷେତ୍ରରେ ୯୦% ସ୍ଥାନରେ ସ୍ଥାନୀୟ ଲୋକ ନିଯୁକ୍ତି ପାଇବେ । ସେହିପରି କୁଶଳି କ୍ଷେତ୍ରରେ ୬୦%, ସୁପରଭାଇଜର କ୍ଷେତ୍ରରେ ୩୦% ସ୍ଥାନ ସ୍ଥାନୀୟ ଓଡିଆ ଯୁବକଙ୍କ ପାଇଁ ସଂରକ୍ଷିତ ରହିବ । ହେଲେ ଏ ସରକାର ବଡ କାରଖାନା ଯାହା ବି ଅଛି ଏ ରାଜ୍ୟରେ ତାଙ୍କ ସହିତ ସଲାସୁତୁରା କରି ପିସି କାରବାର କରି ଅଣ ଓଡିଆ ପିଲାଙ୍କୁ ନିଯୁକ୍ତି ଦେଉଛନ୍ତି । ଆମର ଲୁହା ପଥର, ଆମର କୋଇଲା, ଆମର ପାଣି ଯାଉଛି ହେଲେ ଅଣ ଓଡିଆ ପିଲା ନିଯୁକ୍ତି ପାଉଛନ୍ତି ବୋଲି ତ୍ରୀପାଠି ଅଭିଯୋଗ କରିଛନ୍ତି ।

ସେହିପରି ସରକାର ମଧ୍ୟ ଯାହା ନିଯୁକ୍ତି ସରକାରୀ କ୍ଷେତ୍ରରେ ବିଭିନ୍ନ ସରକାରୀ ଅଫିସରେ ରହିବା କଥା ତାହା ଦେଉନାହାନ୍ତି । ରାଜ୍ୟର ୭୦ ଭାଗ ସରକାରୀ ପଦବୀ ଖାଲି । ରାଜ୍ୟରେ ଥିବା ସରକାରୀ କଲେଜରେ ଥିବା ସମୁଦାୟ ୨୩୦୬ଟି ଅଧ୍ୟାପକ ଅଧ୍ୟାପିକ ପଦବୀରୁ ୧୨୬୭ଟି ପଦବୀ ଖାଲି ପଡିଛି ।

ସରକାର ସରକାରୀ ଶିକ୍ଷକ ପଦବୀବି ପୁରଣ କରୁନାହାନ୍ତି । ଅନେକ ଉଚ୍ଚ ଡିଗ୍ରୀଧାରି ଯୁବକ ଯୁବତୀ ଆଜି ନିଯୁକ୍ତି ନପାଇ ବେକାର ହୋଇ ବସିଥିଲାବେଳେ ସରକାର ନିଯୁକ୍ତି ଦେଉନାହାନ୍ତି । ସେହିପରି ସରକାରୀ ଏଡେଡ କଲେଜମାନଙ୍କରେ ବି ସ୍ଥିତି ଅତି ସଙ୍ଗୀନ । ସମୁଦାୟ ୬୩୬୪ଟି ଅଧ୍ୟାପିକା ଅଧ୍ୟାପକ ପଦବୀରୁ ୧୮୨୪ ଖାଲି । ରାଜ୍ୟର ଅଧା ଡାକ୍ତର ପଦବି ଖାଲି ରହିଛି ।

୬୫୩୬ ମଜୁଂରି ପଦବୀରୁ ୩୧୩୩ଟି ପଦବୀ ଖାଲି ପଡିଛି । କେବଳ ଏହି ଦୁଇଟି ବିଭାଗର ନୁହେଁ ବରଂ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗରେ ଆଜି ସମାନ ସ୍ଥିତି ରହିଛି ବୋଲି ତ୍ରୀପାଠି ଅଭିଯୋଗ କରିଛନ୍ତି । ନୂଆ ଶିଳ୍ପ ପ୍ରତିଷ୍ଠା ଏବଂ ନୁଆ ବ୍ୟବସାୟ ସ୍ଥାପନା କରିବା ପାଇଁ ଓଡିଶା ଘରୋଇ କମ୍ପାନୀ ମାନଙ୍କର ଆସ୍ଥା ଭାଜନ ହୋଇପାରୁନାହିଁ ।

ବିଶ୍ୱବ୍ୟାଙ୍କର ଇଜ ଅଫ ଡୁଇଙ୍ଗ ବିଜନେସ ର‌୍ୟାଙ୍କରେ କ୍ରମାଗତ ଭାବେ ଖସୁଛି ଓଡିଶା । ୨୦୧୫ରେ ଦେଶରେ ୭ମ ସ୍ଥାନରେ ଥିବା ବେଳେ ୨୦୧୬ରେ ଏହା ଖସି ୧୧ତମ ସ୍ଥାନକୁ ଆସିଥିବାବେଳେ ୨୦୧୭ରେ ଏହା ଆହୁରି ଖସି ୧୪ତମ ସ୍ଥାନକୁ ଖସିଥିଲା । ରାଜ୍ୟରେ ୧୦୬ ଗୋଟି ଶିଳ୍ପାଂଚଳରେ ୪୮୭୭ ଗୋଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଥିବା ବେଳେ ଏଥିରୁ ୩୦୬୭ଟି ରୁଗ୍‌ଣ ହୋଇଛି।

ରାଜ୍ୟରେ ପଂଜୀକୃତ ୧୫, ୩୧୫ ଗୋଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବନ୍ଦ ହୋଇ ଯାଇଥିବା । ରାଜ୍ୟ ସରକାର ସ୍ୱୀକାର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ୧୦୬୧ ଏହିପରି ଶିଳ୍ପ ବନ୍ଦ ହୋଇ ଯାଇଥିବା ସରକାର ସ୍ୱୀକାର କରିଛନ୍ତି । ଯେଉଁ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସମ୍ପୂର୍ଣ ରୂପେ ଧ୍ୱସ୍ତ ବିଧ୍ୱସ୍ତ ହୋଇ ଯାଇଛି ସେ ରାଜ୍ୟର ଯୁବ ଶକ୍ତିକୁ କର୍ମ ସଂସ୍ଥାନ କିପରି ମିଳିବ ବୋଲି ତ୍ରୀପାଠି ପ୍ରଶ୍ନ କରିଛନ୍ତି ।

ରାଜ୍ୟରେ ଖାଲିଥିବା ପଦବୀ ଗୁଡିକୁ ରାଜ୍ୟସରକାର ତୁରନ୍ତ ପୂରଣ କରିବା ସହ ଘରୋଇ କଂପାନୀମାନଙ୍କରେ ଓଡିଆଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନ କରନ୍ତୁ । ଯଦି ରାଜ୍ୟସରକାର ରାଜ୍ୟରେ ବେକାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନଦେବେ ତେବେ ଆଗାମୀ ଦିନରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ପକ୍ଷରୁ ଆନ୍ଦୋଳକୁ ଆହୁରି ତୀବ୍ର କରାଯିବ ତ୍ରୀପାଠି ଚେତାବନୀ ଦେଇଛନ୍ତି ।

ଏହି ପ୍ରତିବାଦ ପଦଯାତ୍ରାରେ ବିଶ୍ୱରଂଜନ ବଡଜେନା, ସତ୍ୟବାଦୀ ଚଇନି, ସିକନ୍ଦର ଅଲ୍ଲୀ, କାମାକ୍ଷା ପ୍ରଧାନ, ଇରାଶୀଷ ଆଚାର୍ଯ୍ୟ, ଦୀପକ ଗୋଚ୍ଛାୟତ, ଅଭିଷେକ ଆଚାର୍ଯ୍ୟ, ସ୍ୱାଧୀନ ମହାନ୍ତି, ସୁଜିତ ସାହୁ, ଧୀରେନ ପାତ୍ର, ଦିଲୀପ ବେହେରା, ରଶ୍ମିରଂଜନ ମୁଦୁଲି, ଦିଲୀପ ମହାନ୍ତି, ବାବୁ ସିଂ, ଜଗନ୍ନାଥ ପ୍ରଧାନ, ହରେକୃଷ୍ଣ ଖୁଂଟିଆଙ୍କ ସମେତ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ ସାମିଲ ଥିଲେ ।

Comments are closed.