‘ସିଏଏ’ ପ୍ରସଙ୍ଗରେ ମୋଦୀଙ୍କ ସହ ଆଲୋଚନା କରିବେ ଟ୍ରମ୍ପ୍

ଓ୍ଵାସିଂଟନ୍: ଭାରତ ଗସ୍ତ ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ଧାର୍ମିକ ସ୍ୱାଧୀନତା ପ୍ରସଙ୍ଗ ଉଠାଇବେ ବୋଲି ଗତକାଲି ଦିନ ହ୍ଵାଇଟ୍ ହାଉସ୍ କହିଛି। ଏହାସହ ହ୍ଵାଇଟ୍ ହାଉସ୍ ସ୍ପଷ୍ଟ କରି ଦେଇଛି ଯେ ଭାରତର ଗଣତାନ୍ତ୍ରିକ ପ୍ରଥା ଏବଂ ପ୍ରତିଷ୍ଠାନ ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାର ଗଭୀର ସମ୍ମାନ ରହିଛି। ‘ସିଏଏ’ କିମ୍ବା ‘ଏନ୍ଆର୍ସି’ ସମ୍ବନ୍ଧରେ ରାଷ୍ଟ୍ରପତି ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କିଛି ପଚାରିବେ କି, ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ହ୍ଵାଇଟ୍ ହାଉସ୍ କର୍ମଚାରୀଙ୍କୁ ପଚାରିଥିଲେ।
ଏହାର ଉତ୍ତର ଦେଇ ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ସମୟରେ ଏ ପ୍ରସଙ୍ଗରେ ଆଲୋଚନା କରିବେ। ସେ ଆହୁରି କହିଛନ୍ତି ଯେ, ଭାରତର ଗଣତାନ୍ତ୍ରିକ ମୂଳଦୁଆ ସୁଦୃଢ଼। ଧର୍ମଗତ, ଭାଷାଗତ ଓ ସଂସ୍କୃତିଗତ ବିଭିନ୍ନତାରେ ମଧ୍ୟ ଭାରତ ସମୃଦ୍ଧ। କହିବାକୁ ଗଲେ ଭାରତ ହେଉଛି ବିଶ୍ୱର ୪ ପ୍ରମୁଖ ଧର୍ମର ଉତ୍ପତ୍ତି ସ୍ଥଳ। ଏହା ବ୍ୟତିରେକେ, ଭାରତୀୟ ସମ୍ବିଧାନରେ ଧାର୍ମିକ ସ୍ୱାଧୀନତା, ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ସମ୍ମାନ ଏବଂ ସବୁ ଧର୍ମ ପ୍ରତି ସମବ୍ୟବହାର ପ୍ରସଙ୍ଗ ଉଲ୍ଲେଖ ଅଛି। ଏହା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ରାଷ୍ଟ୍ରପତି ଟ୍ରମ୍ପ୍ ନିଶ୍ଚୟ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରିବେ।