Odisha Link
Bridging the Missing Links in Odisha

ମଧ୍ୟପ୍ରଦେଶ: କରୋନା ସନ୍ଦିଗ୍ଧଙ୍କ ପରୀକ୍ଷା କରିବାକୁ ଯାଇଥିବା ଡାକ୍ତରଙ୍କୁ ପଥରମାଡ଼

ଇନ୍ଦୋର: ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ପଟ୍ଟି ବଖାଲ ଅଞ୍ଚଳରେ। କରୋନା ସନ୍ଦିଗ୍ଧଙ୍କ ପରୀକ୍ଷଣ କରିବା ଲାଗି ପହଞ୍ଚିଥିବା ଡାକ୍ତରୀ ଦଳ ଉପରକୁ ପଥର ମାନ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏଥିରେ ଦୁଇ ଜଣ ମହିଳା ଡାକ୍ତର ଆହତ ହୋଇଥିବା ଜଣାପଡ଼ିଛି।

ଗତକାଲି ୩ ଜଣ ଡାକ୍ତରଙ୍କ ସହ ୫ ଜଣିଆ ସ୍ବାସ୍ଥ୍ୟଦଳ ପଟ୍ଟି ବଖାଲରେ ପହଞ୍ଚିଥିଲେ। ସେମାନେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ବାବଦରେ ପଚାରିବା ସମୟରେ ହଠାତ ସ୍ଥାନୀୟ ଲୋକେ ସଂଘବଦ୍ଧ ହୋଇ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। ଜୀବନ ବିକଳରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଗଳିରୁ ବାହାରିବାକୁ ଚେଷ୍ଟା କରୁଥିବା ସମୟରେ ଲୋକେ ସେମାନଙ୍କୁ ଗୋଡ଼େଇ ଗୋଡ଼େଇ ପଥର ମାଡ଼ କରିଥିବାର ଏକ ଭିଡିଓରେ ଦେଖିବାକୁ ମିଳୁଛି।

ଆହତ ଦୁଇ ମହିଳା ଡାକ୍ତର କୌଣସି ମତେ ତହସିଲଦାରଙ୍କ ଗାଡ଼ିରେ ଚଢ଼ିଯାଇ ଆକ୍ରମଣକାରୀଙ୍କ କବଳରୁ ବର୍ତ୍ତି ଯାଇଥିଲେ। ଉଭୟଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ‘ଆମେ ଲୋକଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ, ଲୋକେ ଆମ ଉପରେ ପଥର ଫିଙ୍ଗୁଛନ୍ତି’ ବୋଲି କ୍ଷୋଭର ସହ କହିଛନ୍ତି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରବୀଣ ଜାଡ଼ିଆ।

ଆକ୍ରମଣକାରୀମାନେ ଏକ ପୁଲିସ ଅବରୋଧ (ବ୍ୟାରିକେଡ୍) ମଧ୍ୟ ଭାଙ୍ଗି ଦେଇଛନ୍ତି। ସେମାନଙ୍କ ବିରୋଧରେ ଇନ୍ଦୋର ପୁଲିସ ଆକ୍ରମଣ ଓ ଦଙ୍ଗା ମାମଲା ରୁଜୁ କରିଛି। ଏଯାଏଁ ୭ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

Comments are closed.