କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ କଲେ ସରକାର, ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ବର: ଜନତାଙ୍କ ସ୍ବାର୍ଥ ଦୃଷ୍ଟିରୁ କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ କରାଯାଉ ବୋଲି ଦାବି ହୋଇ ଆସୁଥିଲା। ଏପରିକି ସପ୍ତାହ ତଳେ ଆମେ ଓଡ଼ିଶା ଲିଙ୍କ ପକ୍ଷରୁ ଏ ନେଇ ଏ ଆଲେଖ ମଧ୍ୟ ପ୍ରସ୍ତୁତ କରିଥିଲୁ। ତେବେ ଆଜି ସରକାର ନିଜ ନିଷ୍ପତ୍ତି ପରିବର୍ତ୍ତନ କରିଥିବା ବେଳେ ରାଜ୍ୟର ୫ମ କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ କରିଛନ୍ତି।
ଗତକାଲି ଭୁବନେଶ୍ବର ଏମ୍ସରେ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ନାମ ପ୍ରଦୀପ୍ତ କୁମାର ଦଳବେହେରା। ତାଙ୍କର ବୟସ ୬୦ ବର୍ଷ ହୋଇଥିବା ବେଳେ ଘର ହେଉଛି ଭୁବନେଶ୍ବର ଓ୍ବାର୍ଡ ନଂ ୭ରେ ଥିବା ସୂର୍ଯ୍ୟନଗରର ପ୍ଲଟ୍ ନମ୍ବର ୩୭।
ତା ମାର୍ଚ୍ଚ ୧ତାରିଖ ପରଠାରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ରଖିବା ପାଇଁ ଆଜି ରୋଗୀଙ୍କ ପରିଚୟ ସହ ଏକ ବିଜ୍ଞପ୍ତି ପ୍ରକାଶ କରିଛି ଭୁବନେଶ୍ବର ମହାନଗର ନିଗମ। ତାଙ୍କ ସହ ଯେଉଁମାନେ ମିଶିଛନ୍ତି ସେମାନେ ୧୪ ଦିନ ନିଜକୁ ଗୃହରେ ସଙ୍ଗରୋଧ (ହୋମ୍ କ୍ବାରାଣ୍ଟିନ୍) ରଖିବା ଲାଗି ବିଏମ୍ସି କର୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ସଂଗରୋଧରେ ରହୁଥିବା ବ୍ୟକ୍ତି ଏ ବାବଦରେ ୧୦୪୪ ନମ୍ବରରେ ଫୋନ୍ କରି ଜଣାଇବାକୁ ବିଜ୍ଞପ୍ତିରେ ପରାମର୍ଶ ଦିଆଯାଇଛି। ତେବେ ଶ୍ରୀ ଦଳବେହରା ବା ତାଙ୍କ ପରିବାର ସଦସ୍ୟଙ୍କୁ ଯଦି କେହି ସାମାଜିକ ବୈଶମ୍ୟ ଭଳି ବ୍ୟବହାର ପ୍ରଦର୍ଶନ କରେ ତେବେ ଦୃଢ଼ ଅଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍ସି କମିଶନର ଏହି ବିଜ୍ଞପ୍ତିରେ ଜଣାଇଛନ୍ତି।