Odisha Link
Bridging the Missing Links in Odisha

ମୋଦିଙ୍କୁ ହନୁମାନଙ୍କ ସହ ତୁଳନା କଲେ ବ୍ରାଜିଲ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜୀବନରକ୍ଷକ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଉପରୁ ଭାରତ ରପ୍ତାନୀ କଟକଣା ଉଠାଇବା ପରେ ସାରା ବିଶ୍ବରୁ ପ୍ରଶାଂସାର ସୁଅ ଛୁଟିଛି। ଏ ନେଇ ବ୍ରାଜିଲ୍‌ ରାଷ୍ଟ୍ରପତି ଜାଇର୍ ବୋଲସନାର ମୋଦୀଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତି। ରାମାୟଣର ଉଦାହରଣ ଦେଇ ସେ ମୋଦିଙ୍କୁ ହନୁମାନଙ୍କ ସହ ତୁଳନା କରିଛନ୍ତି।

ଜାଇର୍ କହିଛନ୍ତି- ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇବା ପାଇଁ ହନୁମାନ ଯେଭଳି ସଂଜୀବନୀ ବୁଟି ଆଣିଥିଲେ, ଠିକ ସେହିଭଳି ବିଶ୍ବକୁ ବଞ୍ଚାଇବା ପାଇଁ ମୋଦି ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଆଣିଛନ୍ତି। ମୋଦିଙ୍କୁ ଏକ ପତ୍ର ଲେଖି ସେ ଔଷଧ ପାଇଁ ଅନୁରୋଧ କରିବା ସହ ରାମାୟଣର ଏହି ଉଦାହରଣ ଦେଇ ନିଜର ଉଦାରତା ପ୍ରଦର୍ଶନ କରିଛନ୍ତି।

ଗୋଟିଏ ପଟେ ମୋଦିଙ୍କର ପରମ ବନ୍ଧୁ ବୋଲାଉଥିବା ଆମେରିକା ରାଷ୍ଟ୍ରପତି ପରୋକ୍ଷ ଧମକ ଦେଇ ଔଷଧ ହାସଲ କରିବାକୁ ଚେଷ୍ଯା କରୁଥିବା ବେଳେ ଜାଇର୍‌ଙ୍କ ନିଜର ଏହି ବିନମ୍ର ପ୍ରଶଂସା ସୌହାର୍ଦ୍ୟର ଏକ ନୂଆ ଉଦାହରଣ ସୃଷ୍ଟି କରିଛି। କରୋନା ପାଇଁ ଜୀବନରକ୍ଷକ ଔଷଧ କୁହାଯାଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌‌ର ଭାରତ ହେଉଛି ଅନ୍ୟତମ ବୃହତ୍ତ ଉତ୍ପାଦନକାରୀ। ଭାରତରେ ଏହାର ବ୍ୟବହାର ସୀମିତ ଥିବା ବେଳେ ସର୍ବସାଧାରଣରେ ଏହାର ବିକ୍ରିକୁ ନିଷିଦ୍ଧ କରାଯାଇଛି। ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR)ର ପରାମର୍ଶ କ୍ରମେ କେବଳ କରୋନା ସଂକ୍ରମିତଙ୍କ ସହ ସିଧାସଳଖ କାମ କରୁଥିବା ଡାକ୍ତର ଓ କର୍ମଚାରୀଙ୍କୁ ଏହି ଔଷଧ ଦିଆଯାଉଛି।

ମୁଖ୍ୟତଃ ମ୍ୟାଲେରିଆ ଔଷଧ ଭାବେ ଜଣାଶୁଣା ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଦ୍ବାରା କରୋନା ଉପଶମ ହେଉଥିବା ପ୍ରମାଣିତ ହେଉଥିବା ଦାବି ହୋଇଥିଲେ ହେଁ ଏଯାଏଁ ଭାରତ ସରକାର କିମ୍ବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାର ସାର୍ବଜନୀନ ବ୍ୟବହାରକୁ ସ୍ବୀକୃତି ଦେଇନାହାନ୍ତି। ଗତ ଶନିବାର ଦିନ ଭାରତ ଏହି ଔଷଧର ରପ୍ତାନୀ ଉପରେ କଟକଣା ଲଗାଇଥିଲେ। ଆମେରିକା ଓ ଅନ୍ୟ କେତେକ ରାଷ୍ଟ୍ରର ଅନୁରୋଧ ପରେ କଟକଣା ସର୍ତ୍ତମୂଳକ ଭାବେ ଉଠାଇଛି ଭାରତ।

Comments are closed.