Odisha Link
Bridging the Missing Links in Odisha

୩ ଜିଲ୍ଲାର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ବୁଲି ଦେଖିଲେ ମୁଖ୍ୟ ଶାସନ ସଚିବ ଓ ୫’ଟି’ ସଚିବ

ଭୁବନେଶ୍ୱର: ଆଜି କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଫାଇଭ୍ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍। ପ୍ରଥମେ ମୁଖ୍ୟ ଶାସନ ସଚିବ ଓ ଫାଇଭ୍ ଟି ସଚିବ ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲରେ ପହଞ୍ଚିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମେଡିକାଲକୁ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ ଭାବେ ପ୍ରସ୍ତୁତ କରାଯାଇଛି। ଆସନ୍ତା ୨ ଦିନ ମଧ୍ୟରେ ଏହା ଲୋକାର୍ପିତ ହେବାକୁ ଥିବାବେଳେ ମେଡିକାଲରେ ପହଞ୍ଚି ସ୍ଥିତି ପରଖିଛନ୍ତି ମୁଖ୍ୟ ଶାସନ ସଚିବ ଓ ୫’ଟି’ ସଚିବ।

ତେବେ କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ନେଇ ମେଡିକାଲ ପକ୍ଷରୁ ୩୦ ଜଣ ଅଭିଜ୍ଞ ଡାକ୍ତର ନିଯୁକ୍ତ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦ରୁ ଊର୍ଦ୍ଧ୍ୱ ଡାକ୍ତର ଓ ପାଖାପାଖି ୨୮୦ ପାରା ମେଡିକାଲ ଷ୍ଟାଫଙ୍କୁ ସ୍ଵତନ୍ତ୍ର ଭାବେ ନିଯୁକ୍ତି ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି।

ସେହିଭଳି ଭଦ୍ରକ ସହର ସ୍ଥିତ ମୋଟେଲ ଛକ ନିକଟରେ ଥିବା ସାଳନ୍ଦୀ ହସ୍ପିଟାଲରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ହୋଇଥିବା କୋଭିଡ-୧୯ ହସ୍ପିଟାଲକୁ ମଧ୍ୟ ମୁଖ୍ୟ ଶାସନ ସଚିବ ଓ ଫାଇଭ୍ ଟି ସଚିବ ଯାଇଥିଲେ। ଭଦ୍ରକରେ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।

କେନ୍ଦ୍ରାପଡ଼ାରେ ସମ୍ ହସ୍ପିଟାଲ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଡ ହସ୍ପିଟାଲକୁ ମଧ୍ୟ ଆଜି ମୁଖ୍ୟ ଶାସନ ସଚିବ ଓ ଫାଇଭ୍ ଟି ସଚିବ ବୁଲି ଦେଖିଥିଲେ। ସମ୍ ହସ୍ପିଟାଲ ସହଯୋଗରେ ନିର୍ମିତ ଏହି ୧୦୦ ବେଡ୍ ହସ୍ପିଟାଲରେ ୧୬୦ ଗୋଟି ସଂଗରୋଧ ବେଡ୍ ମଧ୍ୟ ଉପଲବ୍ଧ ରହିଛି। ହସ୍ପିଟାଲ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ଓ ଏହା ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ।

Comments are closed.