ମାସ୍କ ନ ପିନ୍ଧିଲେ ୫୦୦/- ତଣ୍ଡ

ଭୁବନେଶ୍ବର: ଓଡ଼ିଶା କୋଭିଡ୍-୧୯ ନିୟମାବଳିରେ ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର। ସଂଶୋଧିତ ନିୟମ ଅନୁସାରେ ଏଣିକି ଘରୁ ବାହାରକୁ ବାହାରିଲେ ବେଳେ ପ୍ରତ୍ୟେକ ନାଗରିକ ପାଟି ଓ ନାକ ଘୋଡ଼ାଇବା ପାଇଁ ଯେକୌଣସି ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏହି ନିୟମକୁ ବେଖାତିର କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡ଼ିବ।
ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ସଂଶୋଧିତ ନିୟମ ଅନୁସାରେ ଯେକୌଣସି କପଡ଼ାକୁ ଅତିକମରେ ଦୁଇଚଉତ କରି ପିନ୍ଧିବା ବାଧ୍ୟତାମୂଳକ। ମାସ୍କ ନଥିଲେ ରୁମାଳ, ଗାମୁଛା, ଦୁପଟ୍ଟା ଆଦି ବ୍ୟବହାର କରାଯାଇପାରିବ। କପଡ଼ା ତିଆରି ମାସ୍କକୁ ଥରେ ବ୍ୟବହାର କରିବା ପରେ ସାବୁନ ଲଗାଇ ଧୋଇ ଅତି କମରେ ୫ ଘଣ୍ଟା ଖରାରେ ଶୁଖାଇ ପୁଣି ବ୍ୟବହାର କରାଯାଇପାରିବ। ଗୋଟିଏ ମାସ୍କକୁ ଜଣେ ବ୍ୟକ୍ତି ହିଁ ବ୍ୟବହାର କରିବେ ବୋଲି ଉଲ୍ଲେଖ ରହିଛି।
ମାସ୍କ ନ ପିନ୍ଧି ବାହାରକୁ ଆସୁଥିବା ବ୍ୟକ୍ତିଙ୍କୁ ଅର୍ଥ ଦଣ୍ଡ ଦିଆଯିବ। ପ୍ରଥମ ୩ ଥର ଅମାନ୍ୟ କଲେ ୨୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟର ନିର୍ଦ୍ଦେଶ ଥିବା ବେଳେ ପରବର୍ତ୍ତୀ ପ୍ରତିଟି ଅମାନ୍ୟ ଘଟଣା ପାଇଁ ୫୦୦ ଟଙ୍କା ଆଦାୟ କରାଯିବ।
ବ୍ଲକ୍ ସଂପ୍ରସାରଣ ଅଧିକାରୀ, ଅତିରିକ୍ତ ତହସିଲଦାର, ସହକାରୀ ପୁଲିସ ଉପନିରୀକ୍ଷକ (ଏଏସ୍ଆଇ) ଓ ପୌରାଞ୍ଚଳର ଓ୍ବାର୍ଡ ଅଫିସର ଅଥବା ଏମାନଙ୍କ ଉପରିସ୍ଥ ଯେକୌଣସି ଅଧିକାରୀ ଏହି ଜରିମାନା ଆଦାୟ କରିପାରିବେ।