Odisha Link
Bridging the Missing Links in Odisha

ବଡ଼ଚଣାରୁ ବଡ଼ଦେଉଳ: ଆଇନ ଭାଙ୍ଗି ସପରିବାର ଶ୍ରୀମନ୍ଦିର ଗଲେ ପୁଲିସ ବାବୁ

ପୁରୀ: ମନ୍ଦିର ଯିବା ଦୂରର କଥା, ସାଧାରଣ ଲୋକଟିଏ ବିନା କାରଣରେ ମୁଖ୍ୟ ରାସ୍ତାକୁ ବାହାରିଲେ ପୁଲିସ କାର୍ଯ୍ୟାନୁଷ୍ଠାନର ଶିକାର ହେଉଛି, ହେବା କଥା ବି। କିନ୍ତୁ ସେଇ ପୁଲିସ ବାବୁ ଆଇନ ଆଖିରେ ଆଙ୍ଗୁଠି ଗେଞ୍ଜି ୧୧୬ କିଲୋମିଟର ବାଟ ଟପି ନିଜ ପରିବାରକୁ ଏ ଅବେଳରେ ଜଗନ୍ନାଥ ଦର୍ଶନ କରାଇବାର ଅପଚେଷ୍ଟା କରିଛନ୍ତି।

ଆଜି ଯାଜପୁର ଜିଲ୍ଲା ବଡ଼ଚଣା ଥାନାର ଆଇଆଇସି ଦୀପକ କୁମାର ଜେନା ପରିବାରର ଆଉ ୪ ଜଣଙ୍କ ସହ ପୁରୀରେ ପହଞ୍ଚିଥିଲେ। ଲକ୍‌ଡାଉନ୍‌ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିଲେ ବି ପୁଲିସ ବାବୁ ଜଣକ ନିଜର କ୍ଷମତା ବଳରେ ଠାକୁରଙ୍କ ଆଗରେ ନିୟମକୁ ଗୋଇଠା ମାରି ଏବେ ଫସି ଯାଇଛନ୍ତି। ଦକ୍ଷିଣ ଦ୍ବାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବା ବେଳେ କାର୍ଯ୍ୟରତ ଜଣେ ହାବିଲଦାର ତାଙ୍କୁ ବାରଣ କରିଥିଲେ। କିନ୍ତୁ ବାରଣ ନମାନି ଆଇଆଇସି ମନ୍ଦିର ଭିତରକୁ ଦର୍ଶନ ପାଇଁ ଯାଇଥିବା ଅଭିଯୋଗ ହୋଇଛି। ୫ ପ୍ରାଣୀ ପରିବାର ମହାପ୍ରଭୁଙ୍କ ଦର୍ଶନ ସାରି ବାହାରକୁ ଆସିଥିଲେ।

ଆଇଆଇସି ଶ୍ରୀ ଜେନା ଆଇନ ଭାଙ୍ଗିବା ନେଇ ପୁରୀ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି। ପ୍ରବେଶ କଟକଣା ଅମାନ୍ୟ ଅଭିଯୋଗରେ ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି। ସେ ମନା କରିବା ସତ୍ତ୍ୱେ ଆଇଆଇସି ଜବରଦସ୍ତ ପ୍ରବେଶ କରିଥିଲେ ବୋଲି କାର୍ଯ୍ୟରତ ହାବିଲଦାର ଅଭିଯୋଗ କରିଛନ୍ତି।

Comments are closed.