Odisha Link
Bridging the Missing Links in Odisha

ଆଜିଠୁ ଖୋଲା ସବୁ ଦୋକାନ: ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ

ନୂଆଦିଲ୍ଲୀ: ପୂର୍ବରୁ କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ଶୁକ୍ରବାର ମଧ୍ୟରାତ୍ରିରେ ଅନ୍ୟ ଏକ ନିର୍ଦ୍ଦେଶନାମାରେ ଏହାକୁ କୋହଳ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଆଜି ଠାରୁ (୨୫ ଏପ୍ରିଲ ୨୦୨୦) ଅଣ-ଜରୁରୀ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ଗ୍ରାମାଞ୍ଚଳରେ କଟକଣା କମ ଥିବା ବେଳେ ସହରାଞ୍ଚଳରେ କିଛି ବ୍ୟବସାୟ ପ୍ରତିଷ୍ଠାନ ଉପରେ ଏବେ ବି କଟକଣା ରହିଛି। କରୋନା ଲକ୍‌ଡାଉନ୍‌ କଟକଣା ଏହା ଦ୍ବାରା କୋହଳ ହୋଇଥିବାରୁ ଲୋକେ ଆାଶ୍ବସ୍ତ ହୋଇଛନ୍ତି। ମେ ୩ ସୁଦ୍ଧା ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବ ବୋଲି କେନ୍ଦ୍ର ସରକାର ଆଶା କରିଛନ୍ତି।

ଗ୍ରାମାଞ୍ଚଳ

ଗୃହ ମନ୍ତ୍ରାଳୟ ସଚିବ ଅଜୟ ବଲ୍ଲାଙ୍କ ଦସ୍ତଖତରେ ଆସିଥିବା ଏହି ନିର୍ଦ୍ଦେଶନାମା ଅନୁସାରେ ଦେଶର ସମସ୍ତ ଗ୍ରାମାଞ୍ଚଳରେ ସବୁ ପ୍ରକାର ଦୋକାନ, ଏପରିକି ମାର୍କେଟ୍‌ କମ୍ପ୍ଳେକ୍ସ ମଧ୍ୟ ଖୋଲିପାରିବ। କେବଳ ମଦ ଦୋକାନକୁ ଛାଡ଼ି ବାକି ସମସ୍ତ ଦୋକାନ ଖୋଲା ରହିବ। ମାର୍କେଟ୍‌ କମ୍ପ୍ଳେକ୍ସଗୁଡ଼ିକରେ ୫୦% କର୍ମଚାରୀ କାମ କରିବା। ସମସ୍ତେ ସାମାଜିକ ଦୂରତା ନିୟମ ଓ ମାସ୍କ ପିନ୍ଧିବା ନିୟମ ମାନିବେ। କରୋନା ହଟସ୍ପଟ ଓ କଣ୍ଟେନମେଣ୍ଟ ଜୋନ୍‌ରେ କିନ୍ତୁ ଏହି କୋହଳ ନିୟମ ଲାଗୁହେବ ନାହିଁ, ପୂର୍ବ ନିୟମ ବଳବତ୍ତର ରହିବ।

ସହରାଞ୍ଚଳ

ଦେଶର ସମସ୍ତ ସହରାଞ୍ଚଳରେ ସମସ୍ତ ଏକକ ଦୋକାନ, ବାସାଞ୍ଚଳ ଭିତରେ ଥିବା ଦୋକାନ ଆଜି ଠାରୁ ଖୋଲିପାରିବ। ମାର୍କେଟ୍‌ କମ୍ପ୍ଳେକ୍ସ, ଏକକ ବା ବହୁ-ବ୍ରାଣ୍ଡ୍‌ ଦୋକାନ, ମଲ୍‌, ମଦ ଦୋକାନ ଆଦି ବନ୍ଦ ରହିବ। ସେଲୁନ୍, ପାର୍ଲର୍‌ ମଧ୍ୟ ବନ୍ଦ ରହିବ। ସହରାଞ୍ଚଳରେ ମଧ୍ୟ କଣ୍ଟେନମେଣ୍ଟ୍‌ ଜୋନ୍‌ ଓ ହଟ୍‌ ସ୍ପଟ୍‌ରେ ଏହି କୋହଳ ନିୟମ ଲାଗୁହେବ ନାହିଁ। ଏଭଳି ଅଞ୍ଚଳରେ ପୂର୍ବ କଟକଣା ବଳବତ୍ତର ରହିବ। ଖୋଲା ରହୁଥିବା ଦୋକାନଗୁଡ଼ିକରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ନିୟମ କଡ଼ାକଡ଼ି ପାଳନ କରାଯିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

Comments are closed.