ମୁଖ୍ୟମନ୍ତ୍ରୀଙ୍କୁ ଭୃଗୁଙ୍କ ଚିଠି: କରୋନା ମୁକାବିଲା ପାଇଁ କେନ୍ଦ୍ରର ସହଯୋଗ ନିଅ
ଭୁବନେଶ୍ବର: କରୋନା କାଳରେ ରାଜ୍ୟ ବିଜେପିର ଉପସଭାପତି ଭୃଗୁ ବକ୍ସିପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗଞ୍ଜାମ ଜିଲ୍ଲାର କୋଭିଡ ମୃତ୍ୟୁ ତଥ୍ୟ ଲୁଚାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ଭୃଗୁ ବକ୍ସିପାତ୍ର। ଏଥିସହିତ କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରର ସହାୟତା ଲୋଡିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଭୃଗୁ ବକ୍ସିପାତ୍ର।
ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ବିଭିନ୍ନ ଲୋମହର୍ଷଣକାରୀ ଘଟଣା ଜିଲ୍ଲାର କୋଣଅନୁକୋଣ ପ୍ରତ୍ୟେକ ଦିନ ଘଟି ଚାଲିଛି । ଯଥା ଶେରଗଡରେ ଅବସରପ୍ରାପ୍ତ ଶିକ୍ଷକ, ହିଂଜିଳି ଗୋଦରାପଲ୍ଲୀର ମା ଓ ପୁଅ ଏବଂ କୋଦଳାରେ ଜଣେ କରୋନା ଯୋଦ୍ଧା ପୋଲିସ ଏ.ଏସ.ଆଇଙ୍କ ମୃତ୍ୟୁପରେ ଶବ ନଉଠିବା । ଆମ୍ବୁଲାନ୍ସର କୁପରିଚାଳନା ଯୋଗୁଁ ପୋଲସରାର ପ୍ରବାସୀ ଶ୍ରମିକ, ଆସ୍କାରେ କରୋନା ଯୋଦ୍ଧା ଶିକ୍ଷକ ସୁଦ୍ଧାର୍ଥ ପାଢୀ, ବ୍ରହ୍ମପୁର ସହରର ଶ୍ରୀରାମ ନଗର ଓ ପ୍ରହଲ୍ଲାଦ ନଗରର ଘଟଣା (ଯାହାକି ଆପଣ ଗଣମାଧ୍ୟମରେ ଦେଖିଥିବେ) ଲୋକଙ୍କ ଜୀବନ ଗଲା। ମୃତ୍ୟୁର ୪-୫ ଦିନଯାଏଁ ମିଥ୍ୟା ସୂଚନା ପରିବାରକୁ ଦେଇ ଲୁକ୍କାୟିତ ରଖିବା ଯେପରି ବ୍ରହ୍ମପୁର ଗଣପତି ନଗରର ବସନ୍ତ ସାହୁଙ୍କ କଥା ହେଉ କିମ୍ବା ରବିନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ପରେ ପରିବାର ତରଫରୁ ଆସିଥିବା ପ୍ରମାଣିକୃତ ଅଭିଯୋଗ, ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ପରେ ବାରମ୍ବାର ସୋସିଆଲ ମିଡିଆରେ, ଗଣମାଧ୍ୟମରେ କହିଲା ପରେ ମଧ୍ୟ ବହୁ ବିଳମ୍ବରେ ପଦକ୍ଷେପ ନେବା ପରିଚାଳନାରେ ମାତ୍ରାଧିକ ଦୁର୍ବଳତା ରହିଥିବାର ପ୍ରମାଣ ରହିଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।
ବହୁବାର ବିଭିନ୍ନ ମାଧ୍ୟମରେ ସାମାଜିକ ସଙ୍ଗଠନ, ବୁଦ୍ଧିଜୀବୀ, ରାଜନୈତିକ ବ୍ୟକ୍ତି, ସାମ୍ବାଦିକ ଅନୁରୋଧ କଲାପରେ ଜିଲ୍ଲା ପ୍ରଶାସନ କୌଣସି ଗୋଟିଏ କ୍ଷେତ୍ରରେ ମଧ୍ୟ ନିୟନ୍ତ୍ରଣ ପାଇଁ ଠୋସ ପଦକ୍ଷେପ ନେଉନାହାଁନ୍ତି, ଏହା ଜିଲ୍ଲାପ୍ରଶାସନର ସମ୍ବେଦନହୀନ କାର୍ଯ୍ୟକୁ ପ୍ରମାଣିତ କରୁଛି । ବିଗତ ୪ ମାସରେ ବିଜେପି ରାଜ୍ୟସରକାରଙ୍କୁ କରୋନାକୁ ସାମ୍ନା କରିବା ପାଇଁ ସଂପୂର୍ଣ୍ଣ ସହଯୋଗ କରିାସିଛି । ଅନୁରୂପ ଭାବରେ ଗଂଜାମ ଜିଲ୍ଲାରେ ଭାରତୀୟ ଜନତା ପାର୍ଟିର ସମସ୍ତ ସ୍ତରର ନେତୃବର୍ଗ ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ନିଜ ଆଡୁ ବଢାଇ ଆସିଛନ୍ତି କିନ୍ତୁ ଅବସ୍ଥାର ସୁଧାର ବଦଳରେ ବିଗିଡିବା ଲାଗିଛି ଏବଂ ଜିଲ୍ଲା ପ୍ରଶାସନର କାର୍ଯ୍ୟଶୈଳୀରେ କୌଣସି ପରିବର୍ତନ ଦେଖାଯାଉନାହିଁ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
କେନ୍ଦ୍ରସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ମାତ୍ରାଧିକ ସଂକ୍ରମିତ ରାଜ୍ୟ ଆଜି ନିୟନ୍ତ୍ରଣ ହେବା ରାସ୍ତାରେ ଅଛନ୍ତି । ଏହା ଉକ୍ତ ରାଜ୍ୟଗୁଡିକର ମିଳିତ ପ୍ରୟାଶରେ ସମ୍ଭବ ହୋଇପାରିଲା । ଗଂଜାମ ଜିଲ୍ଲା ଓଡିଶା ପ୍ରଦେଶର ଶ୍ରମ-ଅର୍ଥନୀତିର ଏକ ବଡ ପେଣ୍ଠସ୍ଥଳୀ ଏବଂ ଓଡିଶା ଅର୍ଥନୀତିର ମେରୁଦଣ୍ଡ । କିନ୍ତୁ କରୋନାର ନିୟନ୍ତ୍ରଣ ଓ ପରିଚାଳନା ତ୍ରୁଟି ଯୋଗୁଁ ଏହି ମାନବ ସମ୍ବଳ ଶକ୍ତିର ମୃତ୍ୟୁ ଘଟୁଛି । ଗଂଜାମର ଗଭୀର ଅଣାୟତ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଓ ହସ୍ତକ୍ଷେପ ଲୋଡିବା ପାଇଁ ଶ୍ରୀ ବକ୍ସିପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।
Comments are closed.