Odisha Link
Bridging the Missing Links in Odisha

ନୂଆ ଶିକ୍ଷା ନୀତି ଶିକ୍ଷା ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପଦକ୍ଷେପ :ସମୀର ମହାନ୍ତି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ଶିକ୍ଷା ନୀତି ୨୦୨୦କୁ ମଞ୍ଜୁରି ମିଳିଛି । ଏହା ଦେଶରେ ଉଭୟ ବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାରମୂଳକ ପରିବର୍ତନ ଆଣିପାରିବ । ଏହା ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷା ନୀତି ଯାହା ୩୪ ବର୍ଷ ପୁରୁଣା ଜାତୀୟ ଶିକ୍ଷା ନୀତି, ୧୯୮୬ ସ୍ଥାନରେ ଲାଗୁ ହେବ । ଏହି ନୂଆ ନୀତିର ମୂଳସ୍ତମ୍ଭ ଗୁଡ଼ିକ ହେଲେ ପହଁଚ, ସମାନତା, ଗୁଣବତା, ସୁଲଭତା ଓ ପାରଦର୍ଶିତା । ୨୦୩୦ ସ୍ଥାୟୀ ବିକାଶ ଲକ୍ଷ୍ୟ ଅନୁରୂପ ଏହି ଶିକ୍ଷା ନୀତିକୁ ପ୍ରସ୍ତୁତ କରାଯାଇଛି । ଏହି ନୀତି ମାଧ୍ୟମରେ ଭାରତକୁ ଏକ ଉଜ୍ଜ୍ୱଳ ଜ୍ଞାନ ସମାଜ ଏବଂ ବୈଶ୍ୱିକ ଜ୍ଞାନ ମହାଶକ୍ତି ଭାବେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ନୀତି ଦେଶର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଶିକ୍ଷାକୁ ଆହୁରି ସାମଗ୍ରିକ, ନମନୀୟ,ବହୁବିଷୟକ କରିବା ସହିତ ଏକବିଂଶ ଶତାବ୍ଦୀର ଆବଶ୍ୟକତାର ଆବଶ୍ୟକତା ପ୍ରତି ଧ୍ୟାନ ଦେବ । ଏହା ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ଅଭିନବ ସାମର୍ଥ୍ୟକୁ ଆହୁରି ବିକଶିତ କରିବ । ଏଭଳି ଏକ ଐତିହାସିକ ଶିକ୍ଷା ନୀତି ଆଣଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତି ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜଣାଇଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ନୂଆ ଶିକ୍ଷା ନୀତି ଅନୁଯାୟୀ ପଂଚମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନିଜ ମାତୃଭାଷା ପଢିବା ବାଧ୍ୟତାମୂଳକ । ଏହା ଦ୍ୱାରା ପିଲାମାନେ ନିଜ ମାତୃଭାଷା ସମ୍ବନ୍ଧରେ ବ୍ୟାପକ ଭାବେ ତଥ୍ୟ ଜାଣିପାରିବେ । ତିନୋଟି ଭାଷା ସୂତ୍ର ସମେତ, ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାର ସମସ୍ତ ସ୍ତରରେ ସଂସ୍କୃତ ଭାଷାରେ ପଢ଼ିବାର ଏକ ବିକଳ୍ପ ଛାତ୍ରଛାତ୍ରୀଙ୍କ ନିକଟରେ ରହିବ । ଏହି ନୀତିର ଲକ୍ଷ୍ୟ ୨୦୩୦ ସୁଦ୍ଧା ଶତପ୍ରତିଶତ ଯୁବକ ଓ ପ୍ରୌଢ଼ଙ୍କୁ ସାକ୍ଷରତା ପ୍ରଦାନ କରିବା । ଶିକ୍ଷା କ୍ଷେତ୍ରରେ ସାର୍ବଜନୀନ ନିବେଶକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାମ କରିବେ ଯାହାଫଳରେ ଜିଡିପିରେ ଏହାର ଯୋଗଦାନ ଯଥାଶୀଘ୍ର ୬% ହୋଇପାରିବ । ଦୁଇ କୋଟି ସ୍କୁଲ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଧାରାକୁ ଆଣିବ ଏହି ନୂଆ ଶିକ୍ଷା ନୀତି । ଦୀର୍ଘ ୩୪ ବର୍ଷ ପରେ ଭାରତକୁ ବିଶ୍ୱରେ ଶ୍ରେଷ୍ଠ ଦେଶ କରିତୋଳିବାରେ ଏହି ନୀତି ମାର୍ଗଦର୍ଶକ ହେବ ।

ଏହି ନୂଆ ଶିକ୍ଷା ନୀତିରେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା ପ୍ରତି ଗୁରୁତ୍ୱାରୋପ କରାଯାଇଛି । ଏଥିପାଇଁ ବିଦ୍ୟାଳୟ ପୁରୁଣା ୧୦+୨ ପାଠଖସଡ଼ା ସ୍ଥାନରେ ୫+୩+୩+୪ ପାଠ୍ୟକ୍ରମ ଢାଂଚା ଲାଗୁ କରିବା ଲାଗି ପ୍ରସ୍ତାବ ଦିଆଯାଇଛି । ଏଥିପାଇଁ ବୟସ ଯଥାକ୍ରମେ ୩-୮, ୮-୧୧, ୧୧-୧୪ ଏବଂ ୧୪- ୧୮ ରଖାଯାଇଛି । ସାଧାରଣତଃ ୩-୬ ବର୍ଷ ବୟସ ଶିଶୁର ମେଧାଶକ୍ତି ବିକଶିତ ହେବାର ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି ବିଶ୍ୱସ୍ତରରେ ଗ୍ରହଣ କରାଯାଇଛି । ପୂର୍ବରୁ ରାଇଟ ଟୁ ଏଜୁକେସନ ଆକ୍ଟ ୬-୧୪ ଥିବାବେଳେ ଏବେ ଏହା ୩-୧୮ ବର୍ଷ କରାଯାଇଛି, ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ । ନୂଆ ଶିକ୍ଷା ନୀତିରେ ଛାତ୍ରଛାତ୍ରୀଙ୍କ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି । ନୂଆ ବ୍ୟବସ୍ଥାରେ ୧୨ ବର୍ଷର ବିଦ୍ୟାଳୟ ଶିକ୍ଷାଦାନ ସହିତ ତିନି ବର୍ଷର ଅଙ୍ଗନୱାଡ଼ି/ପ୍ରାକ ବିଦ୍ୟାଳୟ ଶିକ୍ଷାଦାନକୁ ସାମିଲ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ନୀତିରେ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଶିକ୍ଷା ଉପରେ ଗୁରୁତ୍ୱାରୋପ, ପାଠ୍ୟ ବିଷୟ, ପାଠ୍ୟବର୍ହିଭୂତ କାର୍ଯ୍ୟକଳାପ, ଧନ୍ଦାମୂଳକ ବିଷୟ ମଧ୍ୟରେ କୌଣସି ବାଧ୍ୟତାମୂଳକ ପୃଥକୀକରଣ ନାହିଁ । ଷଷ୍ଠ ଶ୍ରେଣୀରୁ ଇଂଟର୍ଣ୍ଣସିପ ସହିତ ଧନ୍ଦାମୂଳକ ଶିକ୍ଷା ଆରମ୍ଭ ହେବ । ୨୦୩୫ ସୁଦ୍ଧା ଉଚ୍ଚ ଶିକ୍ଷାରେ ଜିଇଆର ୫୦% ପର୍ଯ୍ୟନ୍ତ ବୃଦ୍ଧି ଲକ୍ଷ୍ୟ ରଖି ଉଚ୍ଚ ଶିକ୍ଷା କ୍ଷେତ୍ରରେ ୩.୫ କୋଟି ଆସନ ଯୋଡ଼ାଯିବା ସହ ଏହି ନୀତି ଯୋଗୁଁ ଓଡିଶାରେ ଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Comments are closed.