Odisha Link
Bridging the Missing Links in Odisha

ମିଛ ଖବର ପ୍ରଚାରରେ ସୀମା ଟପୁଛି ରାଜ୍ୟ ବିଜେପି: ବିଜେଡି

ଭୁବନେଶ୍ବର: ମିଛ ଖବର ପ୍ରଚାର କରିବାରେ ରାଜ୍ୟ ବିଜେପି ନେତାମାନେ ଏବେ ସବୁ ସୀମା ଟପିଗଲେଣି। ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର। ଡକ୍ଟର ପାତ୍ର କହିଛନ୍ତି ଯେ ଗତ ତିନି ଚାରି ମାସ ଧରି ଆଶା, ଅଙ୍ଗନବାଡିକର୍ମୀ, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୁଲିସ୍‍ ଓ ସରକାରୀ କର୍ମଚାରୀମାନେ କରୋନା କବଳରୁ ଲୋକଙ୍କ ଜୀବନ ବଞ୍ଚାଇବାପାଇଁ ଦିନ ରାତି କାର୍ଯ୍ୟ କରୁଛନ୍ତି। ସେମାନଙ୍କ ପାଇଁ ଆହା ପଦେ କହିବା ବଦଳରେ ବିଜେପି ନେତା ସାମ୍ବାଦିକ ସମ୍ମିଳନୀ ଜରିଆରେ ସେମାନଙ୍କ କାର୍ଯ୍ୟକୁ ତାତ୍ସଲ୍ୟ କରିବାରେ ଲାଗିଛନ୍ତି।

ଗଞ୍ଜାମ ଜିଲ୍ଲାରେ ତିନି ଚାରି ମାସ ଧରି କାର୍ଯ୍ୟ କରୁଥିବା ଏହି କରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା କରିବା ବଦଳରେ ବିଜେପି ନେତାମାନେ ସେମାନଙ୍କ ମନୋବଳକୁ ଭାଙ୍ଗି ଦେଉଛନ୍ତି। କରୋନା ବିରୁଦ୍ଧ ଲଢେଇ ପାଇଁ ଗଞ୍ଜାମ ଜିଲ୍ଲାକୁ ଡେପୁଟେସନରେ ଯାଉଥିବା ଡାକ୍ତରମାନଙ୍କୁ କିଭଳି ବିରୋଧ ହେଉଛି ତାହା ସମସ୍ତେ ଦେଖୁଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ ଗଞ୍ଜାମ ଜିଲ୍ଲାରେ ମହାମାରୀ ନିୟନ୍ତ୍ରଣ ଲାଗି ଅଧିକ ଡାକ୍ତର ନିଯୁକ୍ତି ହେବା ସେମାନେ ଚାହାନ୍ତି ନାହିଁ। ଗତକାଲି ମଧ୍ୟ ବିରୋଧିଦଳ ନେତା କରୋନା ଯୁଦ୍ଧରେ ଗଞ୍ଜାମକୁ ସମର୍ଥନ କରିନଥିଲେ । ଏଥିରୁ ମଧ୍ୟ ବିଜେପିର ମନୋଭାବ ପଦାରେ ପଡିଯାଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ ଗଞ୍ଜାମରେ ଲୋକମାନେ ପୋକ ମାଛି ଭଳି ମରୁଛନ୍ତି। ଲୋକଙ୍କୁ ପୋକ ଓ ମାଛି ବୋଲି ସମ୍ବୋଧନ କରିବା ଫଳରେ ଗଞ୍ଜାମ ଲୋକଙ୍କ ପ୍ରତି ବିଜେପିର ମନୋଭାବ କ’ଣ ତାହା ପଦାରେ ପଡିଯାଇଛି।

ଦେଶରେ ପ୍ରତି ଦୁଇ ଦିନରେ ଲକ୍ଷେ ସଂକ୍ରମିତ କରୋନା ତାଲିକାରେ ଯୋଡିହୋଇ ଯାଉଛନ୍ତି। ଯେଉଁ ହାରରେ କରୋନା ରୋଗୀ ବଢୁଛନ୍ତି ସେଥିରୁ ବିଶ୍ୱ କରୋନା ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନରେ ପହଞ୍ଚିବାର ସମ୍ଭାବନା ଉପୁଜିଲାଣି। ଏଭଳି ସ୍ଥିତିରେ ଶ୍ରୀ ବକ୍ସିପାତ୍ର ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲାରେ ଲାଗିଥିବା ଯୋଦ୍ଧାମାନଙ୍କ ପ୍ରତି ତାତ୍ସଲ୍ୟ ପ୍ରକାଶ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଡକ୍ଟର ପାତ୍ର କହିଛନ୍ତି । ସଫଳ କରୋନା ମୁକାବିଲା ପାଇଁ ଓଡିଶା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହେଉଛି । ନିକଟରେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଅଧ୍ୟୟନରୁ ଜଣାପଡିଛି ଯେ କରୋନା ପରିଚାଳନା ଓ ତଥ୍ୟ ପ୍ରଦାନ କ୍ଷେତ୍ରରେ ଓଡିଶା ଦେଶର ଶ୍ରେଷ୍ଠ ତିନିଟି ରାଜ୍ୟ ମଧ୍ୟରେ ରହିଛି । ହେଲେ ବିଜେପି ନେତାମାନେ ଏକଥାକୁ ଭୁଲି ଯାଉଛନ୍ତି ।

ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ କରୋନା ଯୋଦ୍ଧାମାନଙ୍କ ପ୍ରତି ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେଇ ସେମାନଙ୍କୁ ହତୋତ୍ସାହିତ ନ କରିବାକୁ ବିଜେଡି ପକ୍ଷରୁ ଶ୍ରୀ ବକ୍ସିପାତ୍ରଙ୍କୁ ପରାମର୍ଶ ଦିଆଯାଇଛି । ଏଥିରୁ ତାଙ୍କର ଗଞ୍ଜାମ ବିରୋଧି ମନୋଭାବ ପଦାରେ ପଡିଥିବାବେଳେ ଗଞ୍ଜାମବାସୀ କେବେହେଲେ ଏହାକୁ ଭୁଲିବେନାହିଁ ଏବଂ ଏଥିପାଇଁ ରାଜ୍ୟ ବିଜେପିକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ଡକ୍ଟର ପାତ୍ର ସତର୍କ କରାଇ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ କରୋନା ଯୋଦ୍ଧାମାନଙ୍କୁ ତାତ୍ସଲ୍ୟ କରିବା ବଦଳରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଅନୁଯାୟୀ ତାଙ୍କ ଦଳର ନେତାମାନେ କିଭଳି କରୋନା କଟକଣା ନିୟମ ମାନିବେ ଓ ସାମାଜିକ ଦୂରତା ରକ୍ଷା କରିବେ ତାହା ଉପରେ ଧ୍ୟାନ ଦେବାପାଇଁ ଡକ୍ଟର ପାତ୍ର ବିଜେପି ନେତାଙ୍କୁ ପରାମର୍ଶ ଦେଇଛନ୍ତି ।

Comments are closed.