ବିକାଶରେ ଓଡ଼ିଶା ପଛୁଆ: ଅନୁଭବ ମହାନ୍ତି

ଭୁବନେଶ୍ବର: ଲେଖୁ ଲେଖୁ ଲେଖିଦେଲେ ସାଂସଦ ଅନୁଭବ ମହାନ୍ତି। ରାଜ୍ୟ ସରକାରଙ୍କ ପ୍ରିୟଭାଜନ ହେବାକୁ ଯାଇ ଅପ୍ରିୟ କଥା ଲେଖିଦେଲେ ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ। ବିଜୁ ଜନତା ଦଳର ଏହି ଯୁବନେତା ଏକ ଫେସ୍ବୁକ୍ ପୋଷ୍ଟରେ ଓଡ଼ିଶାରେ ଅଗ୍ରଗତି ପଛରେ ପଡ଼ିଛି ବୋଲି ଲେଖିପକାଇଛନ୍ତି। ରାଜ୍ୟର ଏକ ଘରୋଇ ଟିଭି ଚ୍ୟାନେଲ ବିରୋଧରେ ଲେଖିବାକୁ ଯାଇ ଏମିତି ଲେଖିଛନ୍ତି ଅନୁଭବ, ଯାହା ତାଙ୍କ ଦଳ ଓ ରାଜ୍ୟ ସରକାରଙ୍କ ପାଇଁ ବୁମେରାଂ ପାଲଟିଛି। ଏଥିପାଇଁ ପ୍ରଶଂସକଙ୍କ ଦ୍ବାରା ସୋସିଆଲ ମିଡିଆରେ ହଟହଟା ମଧ୍ୟ ହୋଇଚନ୍ତି ସେ।
ଫେସ୍ବୁକ୍ ପୋଷ୍ଟରେ ଅନୁଭବ ଲେଖିଛନ୍ତି ଯେ ଆମ ମାତୃଭୂମି ଓଡ଼ିଶାର ଅଗ୍ରଗତିରେ ବିଳମ୍ବ ହେଉଛି ଆଉ ଏଥିପାଇଁ ଓଟିଭି ଖବର ଚ୍ୟାନେଲ ଦାୟୀ। ତେବେ ରାଜ୍ୟରେ ଅଗ୍ରଗତି ଯେ ପଛରେ ପଡ଼ିଛି ଏ କଥା ବିଜେଡିର ଏହି ନେତା ମାନିଲେ ବୋଲି ସମାଲୋଚକମାନେ ଲେଖିଛନ୍ତି।
ଏହି ଲେଖା ଲେଖିବା ବେଳେ ଅନୁଭବ ନିଜକୁ ବାରମ୍ବାର ସଚ୍ଚୋଟ ବୋଲି ଦାବି କରିଛନ୍ତି। ଏଥିରେ କୌଣସି ବିଜେଡି ନେତାଙ୍କୁ ଟ୍ୟାଗ୍ କରାଯାଇନଥିବା ବେଳେ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ତଥା ଓଟିଭି ମୁଖିଆ ଜାଗୀମଙ୍ଗତ ପଣ୍ଡାଙ୍କୁ ଟ୍ୟାଗ୍ କରିଛନ୍ତି ଅନୁଭବ।
ବର୍ତ୍ତମାନ କରୋନା ସମ୍ପର୍କିତ ଏକ ଅଡିଓ କ୍ଲିପ୍ ପ୍ରସାରଣକୁ ନେଇ ଓଟିଭି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତୁ ତୁ ମେ ମେ ଚାଲିଥିବା ବେଳେ ଅନୁଭବଙ୍କର ଏ ଅଯାଚିତ ମନ୍ତବ୍ୟ ଓଟିଭିର ନିନ୍ଦାଗାନ ସାଙ୍ଗକୁ ରାଜ୍ୟ ସରକାରଙ୍କ ଅପରାରଗତା ବାବଦରେ ମଧ୍ୟ ସୂଚନା ଦେଉଛି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।