ମାଙ୍କୁ ନେଇ ନିଜ ପିଠିରେ ୪କି.ମି ଚାଲିଲେ ୬୦ ବର୍ଷିୟ ପୁଅ, ହେଲେ…

ରାଞ୍ଚି: ମହାମାରୀ କରୋନା ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା କାଳରେ ଅନେକ ଜନସାଧାରଣଙ୍କ ଜୀବନ ବହୁ କଷ୍ଟରେ ଅତିବାହିତ ହେଉଛି। ବିଶେଷକରି ଗରିବ, ମଧ୍ୟବିତ୍ତ ପରିବାରର ବ୍ୟକ୍ତି ବିଶେଷ କରୋନା ଜନିତ ବିପର୍ଯ୍ୟୟର ସାମ୍ନା କରିଛନ୍ତି। ଏପରିକି ଦେଶର ବିଭିନ୍ନ ସ୍ଥାନରେ ଏବେ ସୁଦ୍ଧା ଜନସାଧାରଣଙ୍କ ପାଇଁ ପରିବହନ ବ୍ୟବସ୍ଥା ବନ୍ଦ ରହିଛି। ଏପରିକି କିଛିଦିନ ତଳେ ଜଣେ ବାପା ୧୦୫ କିମି ସାଇକେଲ ଚଳାଇ ପୁଅକୁ ନେଇ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ। ଏହି ଖବର ସେହି ସମୟରେ ବେଶ୍ ଚର୍ଚ୍ଚା ହୋଇଥିଲା। ଏବେ ଝାଡ଼ଖଣ୍ଡର ଗଢ଼ବା ଜିଲ୍ଲାରୁ ଆସିଥିବା ଚର୍ଚ୍ଚାରେ। ଜଣେ ୬୦ ବର୍ଷିୟ ପୁଅ ୧୦୫ ବର୍ଷିୟ ବୃଦ୍ଧା ମାଙ୍କୁ କାନ୍ଧରେ ବୋହି ୪ କିମି ଯିବା ଖବର ଏବେ ବେଶ୍ ଚର୍ଚ୍ଚାରେ ରହିଛି।
ଜାତୀୟ ଗଣମାଧ୍ୟମ ଦି ହିନ୍ଦୁରେ ପ୍ରକାଶିତ ଖବର ଅନୁଯାୟୀ, ଏଭଳି ଏକ ଘଟଣା ସୋମବାର ଦିନ ଝାଡ଼ଖଣ୍ଡର ଗଢ଼ବା ଜିଲ୍ଲାରେ ଘଟିଛି। ବନାଞ୍ଚଳ ଗ୍ରାମୀଣ ବ୍ୟାଙ୍କ ପରିସରରେ ବ୍ଲକ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୋଭିଡ ଟେଷ୍ଟ ସେଣ୍ଟର ଖୋଲାଯାଇ ଟେଷ୍ଟ କରାଯାଉଥିଲା। ଟେଷ୍ଟରେ ରିପୋର୍ଟ ନେଗେଟିଭ ଆସିଲେ ହିଁ ବ୍ୟାଙ୍କ ଭିତରକୁ ପ୍ରବେଶ କରିବାର ଅନୁମତି ମିଳୁଥିବା ସୂଚନା ରହିଥିଲା। ୬୦ ବର୍ଷିୟ ବ୍ୟକ୍ତି ଜଣକ କହିଛନ୍ତି ଯେ, ଯେବେ ମୁଁ ମାଙ୍କୁ ବ୍ୟାଙ୍କ ନେଇ ଯାଇଥିଲି ତ ସେଠାରେ କୋଭିଡ ଟେଷ୍ଟ କରାଯାଉଥିଲା। ହେଲେ ମୁଁ ମାଙ୍କର କୋଭିଡ ଟେଷ୍ଟ କରାଇ ନପାରିବାରୁ ଆମକୁ ବ୍ୟାଙ୍କ ବିଲ୍ଡିଂ ଭିତରକୁ ଯିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଅନୁମତି ଦେଇ ନଥିଲେ।
ମାଙ୍କ ପେନସନ୍ ପାଇଁ ୬୦ ବର୍ଷିୟ ବ୍ୟକ୍ତି ଜଣକ ନିଜ କାନ୍ଧରେ ୧୦୫ ବର୍ଷିୟ ମାଙ୍କୁ କାନ୍ଧରେ ବୋହି ୪ କିମି ଚାଲିଥିଲେ। ମାଙ୍କ ଜନଧନ ଆକାଉଣ୍ଟରୁ ପେନସନ୍ ଟଙ୍କା ଆଣିବା ପାଇଁ ଯାଇଥିଲେ। ହେଲେ କୋଭିଡ ଟେଷ୍ଟ ନ କରିପାରିବାରୁ ବ୍ୟାଙ୍କ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇନଥିଲେ ବ୍ୟାଙ୍କ କର୍ମଚାରୀ। ଫଳରେ ଖାଲି ହାତରେ ଫେରିଥିଲେ ମା ପୁଅ। ଏହାପରେ ବୃଦ୍ଧାମାଙ୍କୁ କାନ୍ଧରେ ବୋହି ପୁଅ ଆଣୁଥିବ ଫଟୋ ସ୍ଥାନୀୟ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଲା। ଯାହାଫଳରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏହି ଘଟଣା ଜାଣିବାକୁ ପାଇଥିଲେ। ପରେ ମୁଖ୍ୟମନ୍ତ୍ରୀ ବୃଦ୍ଧାଙ୍କୁ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେ ପରେ ଗତକାଲି ବ୍ୟାଙ୍କ ମ୍ୟାନେଜର ଉକ୍ତ ବ୍ୟକ୍ତିଙ୍କ ଘରେ ପହଁଞ୍ଚି ପେନ୍ସନ୍ ବାବଦକୁ ୧୫ଶହ ଟଙ୍କ ଦେଇଥିଲେ। ଏଥିସହିତ ବୃଦ୍ଧାଙ୍କୁ ଆଉ ବ୍ୟାଙ୍କ ଆସିବାକୁ ପଡ଼ିବ ନାହିଁ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ।