Odisha Link
Bridging the Missing Links in Odisha

ବୈତରଣୀ ଓ ବ୍ରାହ୍ମଣୀରେ ବନ୍ୟା ଆସିଛି : ସୁଦାମ ମାରାଣ୍ଡି

ଭୁବନେଶ୍ୱର: ଲଘୁଚାପ ବର୍ଷା ପ୍ରଭାବରେ ରଜ୍ୟରେ ବନ୍ୟା ସୃଷ୍ଟି ହୋଇଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ୍ୟ ହୋଇ ପଡ଼ିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବାହିତ ହେଉଛି। ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ କେଉଁଠି ଚାଷ ଜମି ବୁଡ଼ିଯାଇଛି ତ କେଉଁଠି ରାସ୍ତାରେ ପାଣି ଚାଲୁଛି । ତେବେ ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଥିବା ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି ।

ବନ୍ୟା ସ୍ଥିତିକୁ ନେଇ ମନ୍ତ୍ରୀ ଶ୍ରୀ ମାରାଣ୍ଡି କହିଛନ୍ତି ଯେ, ରାଜ୍ୟରେ ୫୫.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୪୧ଟି ବ୍ଲକରେ ୧୦୦ମିମିରୁ ଅଧିକ ବର୍ଷା ହୋଇଛି । ବୈତରଣୀ ଓ ବ୍ରାହ୍ମଣୀରେ ବନ୍ୟା ଆସିଛି । ଭଦ୍ରକ, କେନ୍ଦୁଝର ଓ ଯାଜପୁରରେ ବନ୍ୟା ହୋଇଛି । ବାଲେଶ୍ୱର, ମୟୂରଭଞ୍ଜ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ବନ୍ୟା କାରଣରୁ ମୟୂରଭଞ୍ଜରେ୨ ଓ କେନ୍ଦୁଝରରେ ଜଣଙ୍କ ମୃତ୍ୟୁ ହୋଇଥିବା ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇ କହିଥିଲେ ଯେ, ଗାଲୁଡିହ ବ୍ୟାରେଜରୁ ଜଳ ନିଷ୍କାସନ ପରେ ବନ୍ୟା ଆଶଙ୍କା ଦେଖାଦେଇଛି । ଆସନ୍ତାକାଲି ସକାଳ ୬ଟା ସୁଦ୍ଧା ରାଜଘାଟରେ ସୁବର୍ଣ୍ଣରେଖା ଜଳସ୍ତର ବୃଦ୍ଧି ପାଇବ । କିନ୍ତୁ ଆନନ୍ଦପୁରରେ ବୈତରଣୀ ନଦୀର ଜଳସ୍ତର କମୁଛି । ୮/୯ ଘଣ୍ଟା ଭିତରେ ଆଖୁଆପଦାରେ ବି ବୈତରଣୀ ଜଳସ୍ତର ହ୍ରାସ ପାଇବ । ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.