Odisha Link
Bridging the Missing Links in Odisha

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ବିଧାନସଭାରେ ଗୃହୀତ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ-୨୦୨୦କୁ କାର୍ଯ୍ୟକ୍ଷମ ନକରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚିଠି ଲେଖି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଦାବି କରିଛନ୍ତି।

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପ୍ରଧାନ ଲେଖିଥିବା ଚିଠିରେ କହିଛନ୍ତି ଯେ, ଏହି ବିଲରେ ସଂଶୋଧନକୁ ରାଜ୍ୟର ବୃହତ୍ତର ଶୈକ୍ଷିକ ସମାଜ ବିରୋଧ କରୁଥିବାବେଳେ ଏହି ବିଲ୍ ଦେଶର ସାମ୍ବିଧାନିକ ବ୍ୟବସ୍ଥା ଓ ୟୁଜିସି ନିୟମାବଳୀର ଦୃଢ଼ ବିରାଧାଚରଣ କରୁଛି।

ତେଣୁ ରାଜ୍ୟର ଛାତ୍ର, ଶିକ୍ଷକ, ଗବେଷକ ଓ ଉଚ୍ଚଶିକ୍ଷା ବ୍ୟବସ୍ଥାର ସ୍ୱାର୍ଥ ରକ୍ଷା ପାଇଁ ଏହି ବିଲକୁ ଉଚ୍ଛେଦ କରିବା ନିମନ୍ତେ ବ୍ୟକ୍ତିଗତ ଭାବେ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି। ବିଲରେ ସଂଶୋଧନ କରି ଓଡ଼ିଶା ସରକାର ବିଶ୍ୱବିଦ୍ୟାଳୟର ନୀତି ନିର୍ଦ୍ଧାରକ ସିନେଟ୍ ବ୍ୟବସ୍ଥାକୁ ସମାପ୍ତ କରିବା ସହ ଏହା ସ୍ଥାନରେ ସରକାରଙ୍କ ନିୟନ୍ତ୍ରିତ ସିଣ୍ଡିକେଟ୍ ବ୍ୟବସ୍ଥା ପ୍ରଚଳନ କରିଛନ୍ତି।

ବିଶ୍ୱବିଦ୍ୟାଳୟ କୁଳପତି ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ରାଜ୍ୟ ସରକାର ଚତୁରତାର ସହ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ସରକାରଙ୍କ ପ୍ରତିନିଧି ରଖିବା ସହ ଚୟନ କମିଟିରେ ଅଣଏକାଡେମିକ୍ ପୃଷ୍ଠଭୂମିର ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦିଆଯାଇଛି।

ବିଶ୍ୱବିଦ୍ୟାଳୟର ଆୟବ୍ୟୟ ବିବରଣୀ ସାମ୍ବିଧାନିକ ବ୍ୟବସ୍ଥା ରାଜ୍ୟ ବିଧାନସଭାରେ ଉପସ୍ଥାପନ କରାଯିବାର ବ୍ୟବସ୍ଥାକୁ ବି ବନ୍ଦ କରି ଦିଆଯିବା ଦ୍ୱାରା ସାଧାରଣ ଲୋକଙ୍କ ଅର୍ଥ ଖର୍ଚ୍ଚର ସଠିକ୍ ସମୀକ୍ଷା ହୋଇପାରିବ ନାହିଁ ବୋଲି ପ୍ରଧାନ କହିଛନ୍ତି ।

ଭାରତୀୟ ସମ୍ବିଧାନରେ ଶିକ୍ଷା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୁଗ୍ମ ତାଲିକାରେ ଥିବାରୁ ଉଚ୍ଚଶିକ୍ଷା ଓ ଗବେଷଣା ସମ୍ବନ୍ଧୀୟ ପ୍ରସଙ୍ଗରେ ଆଇନ ପ୍ରଣୟନ କରିବାର ପୁରା ଅଧିକାର ଭାରତୀୟ ସଂସଦର ରହିଛି।

ୟୁଜିସି ଆକ୍ଟ-୧୯୫୬ ଆଧାରରେ ୟୁଜିସିର ନିୟମ ଆଧାରରେ ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକର ପରିଚାଳନା ଆଇନ ସମ୍ମତ। ଓଡ଼ିଶାର ନୂଆ ନିୟମରେ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଚୟନ ପ୍ରକ୍ରିୟା ଓପିଏସସି ଦ୍ୱାରା କରାଯିବା ୟୁଜିସି ନିୟମ ଅନୁସାରେ ସମ୍ପୂର୍ଣ୍ଣ ବେଆଇନ ବୋଲି  ପ୍ରଧାନ କହିଛନ୍ତି।

କେବଳ ସେତିକି ନୁହେଁ ରାଜ୍ୟ ବିଶ୍ୱବିଦ୍ୟାଳୟ ଶିକ୍ଷକମାନଙ୍କ ଦ୍ୱାରା ଗଠିତ ଜଏଣ୍ଟ ଆକ୍ସନ କମିଟି ଦ୍ୱାରା କରାଯାଇଥିବା ସର୍ଭେରେ ଏହି ବିଲ ବିରୋଧରେ ଦୃଢ଼ମତ ବି ରହିଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ସ୍ୱାୟତ୍ତାକୁ ପ୍ରାଥମିକତା ଦେଇଥିବାବେଳେ ରାଜ୍ୟ ସରକାର ଉଚ୍ଚଶିକ୍ଷାର ସରକାରୀକରଣ କରିବାକୁ ଚାହୁଁଥିବା ପ୍ରଧାନ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ରାଷ୍ଟ୍ରିୟ ଶିକ୍ଷାନୀତି-୨୦୨୦କୁ ମଧ୍ୟ ରାଜ୍ୟ ସରକାରଙ୍କ ଏହି ଶିକ୍ଷା ବିଲ୍ ଦୃଢ଼ ବିରୋଧାଚରଣ କରୁଛି ବୋଲି  ପ୍ରଧାନ ତାଙ୍କ ଚିଠିରେ ଉଲ୍ଲେଖ କରିଥିବା ଜଣାପଡ଼ିଛି।

Comments are closed.