Odisha Link
Bridging the Missing Links in Odisha

୨୩ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ: ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର। ଶ୍ରୀମନ୍ଦିର ଖୋଲିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ସହ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ବୋଲି ସେ କହିଛନ୍ତି। କୋଭିଡ୍ କଟକଣା ମାନି ଶ୍ରଦ୍ଧାଳୁ ସମସ୍ତ ଧର୍ମାନୁଷ୍ଠାନ ଦର୍ଶନ କରିପାରିବେ।

ପ୍ରଥମ ଦୁଇ ଦିନ ଅର୍ଥାତ ୨୩ ଓ ୨୪ ତାରିଖ ସେବାୟତଙ୍କ ପରିବାରକୁ ମହାପ୍ରଭୁଙ୍କୁ ଦର୍ଶନ ଅନୁମତି ମିଳିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ଦୁଇ ଦିନ ପରେ ପୁରୀ ସହରବାସୀଙ୍କୁ ଦର୍ଶନ ସୁବିଧା ମିଳିବ। ସକାଳୁ ସନ୍ଧ୍ୟା ଯାଏଁ ବିଭିନ୍ନ ୱାର୍ଡ ବାସିନ୍ଦାଙ୍କୁ ପର୍ଯ୍ୟାୟକ୍ରମେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଅନୁମତି ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି।

ପ୍ରଥମେ ୫ ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ଦିଆଯିବ। ପରେ ସ୍ଥିତି ଦେଖି ସଂଖ୍ୟା ବୃଦ୍ଧି କରାଯିବ। କେବଳ ସେତିକି ନୁହେଁ, ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ କୋଭିଡ୍‌ ନେଗେଟିଭ୍ ଦେଖାଇବାକୁ ପଡ଼ିବ ବୋଲି ସର୍ତ୍ତ ରଖାଯାଇଛି। ନୂଆବର୍ଷରେ ଭିଡ଼ ବଢ଼ିବା ଆଶଙ୍କା ଥିବାରୁ ଜାନୁଆରି ୧ ଓ ୨ ତାରିଖରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ବନ୍ଦ ରଖାଯିବ। ତେବେ ଦର୍ଶନ ପାଇଁ ଆସୁଥିବା ସହରବାସୀଙ୍କୁ ସାଙ୍ଗରେ ଆଧାର ଓ ଭୋଟର କାର୍ଡ ଆଣିବାକୁ କୁହାଯାଇଛି। ଭକ୍ତମାନେ ମନ୍ଦିର ଭିତରକୁ ମାସ୍କ ପିନ୍ଧି ଯିବେ। ସେହିପରି ସେଠାରେ ସାନିଟାଇଜରର ମଧ୍ୟ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିରର ୪ ଦୁଆରରେ ପ୍ରଶାସନ ପକ୍ଷରୁ ସାନିଟାଇଜର ଦିଆଯିବ। ତେବେ ୬୫ ବର୍ଷରୁ ବୟସ୍କ ଓ ପିଲାମାନଙ୍କୁ ଶ୍ରୀମନ୍ଦିର ନଆସିବାକୁ ଅନୁରୋଧ କରାଯାଇଛି।

ଜାନୁଆରି ୩ରୁ ପୁରୀ ସହ ଜିଲ୍ଲା ତଥା ରାଜ୍ୟ ବାହାର ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଦୈନିକ ୫ ହଜାର ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ। ସପ୍ତାହେ ଧରି ଅର୍ଥାତ୍‌ ଜାନୁଆରି ୩ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷାମୂଳକ ଦର୍ଶନ ଚାଲିବ। ସ୍ଥିତି ଭଲ ରହିଲେ, ଦ୍ବିତୀୟ ସପ୍ତାହରୁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଜଣାଯାଇଛି।

Comments are closed.