କୋଭିଡ୍ ନୂଆ ଷ୍ଟ୍ରେନ୍: ଏହି ରାଜ୍ୟରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲାଣି କୋଭିଡ୍ର ନୂଆ ଷ୍ଟ୍ରେନ୍। ବ୍ରିଟେନରୁ ଆରମ୍ଭ ହୋଇଥିବା ଏହି ନୂଆ ସଂକ୍ରମଣ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି। ଭାରତରେ ନୂଆ ଷ୍ଟ୍ରେନ୍ ଦ୍ବାରା ଆକ୍ରାନ୍ତ କରୋନା ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଏବେ ସରକାର ସତର୍କ ହେବା ଆରମ୍ଭ କରିଛନ୍ତି।
ମହାରାଷ୍ଟ୍ର ସରକାର ପୂର୍ବରୁ ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି କରିଥିବା ବେଳେ ଏବେ କର୍ଣ୍ଣାଟକ ସରକାର ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି କରିଛନ୍ତି। ଏଥିସହ ରାତି ୧୦ଟା ପରେ କୌଣସି ପ୍ରକାରର କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ। ଏହି ନିୟମ ଜାନୁଆରି ୨ତାରିଖ ପର୍ଯ୍ୟନ୍ତ ଲାଗୁ ହେବ। ଏହା ସହ ରାଜ୍ୟକୁ ଆସୁଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ କୋଭିଡ୍ ନେଗେଟିଭ ରିପୋର୍ଟ ନେଇ ଆସିବାକୁ ପଡିବ।
ବ୍ରିଟେନରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ୭୨ଘଣ୍ଟା ମଧ୍ୟରେ କୋଭିଡ-୧୯ ଆରଟି-ପିସିଆର ପରୀକ୍ଷା କରିବାକୁ ପଡିବ ବୋଲି ରାଜ୍ୟ ସରକାର କହିଛନ୍ତି। ଅନ୍ତଃରାଜ୍ୟ ଗାଡ଼ି ଚଳାଚଳ ଉପରେ କୌଣସି ପ୍ରତିବନ୍ଧକ ଲଗାନଯିବା ସହ ଜାନୁୟାରୀ ୧ରୁ ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ବିଦ୍ୟାଳୟ ଖୋଲିବ ବୋଲି କର୍ଣ୍ଣାଟକର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ଭାରତରେ ନୂଆ ଷ୍ଟ୍ରେନ୍ ଦ୍ବାରା ଆକ୍ରାନ୍ତ କରୋନା ରୋଗୀ ଚିହ୍ନଟ ହେବା ପରେ ବିଭିନ୍ନ ରାଜ୍ୟର ସରକାର ଏ ନେଇ ସତର୍କ ହୋଇଛନ୍ତି। ଏହି ୭୦ପ୍ରତିଶତ ଅଧିକ ସଂକ୍ରାମକ ହୋଇଥିବାରୁ ବ୍ରିଟେନ୍ରୁ ଓଡ଼ିଶା ଫେରିଥିବା ଯାତ୍ରୀଙ୍କ ଲାଗି ୧୪ଦିନ ସଙ୍ଗରୋଧରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି। ଏଥି ସହିତ ରାପିଡ୍ ରେସପନ୍ସ ଟିମ୍ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିବେ। ସଙ୍ଗରୋଧ ରହିବା ସମୟରେ କୌଣସି ବ୍ୟକ୍ତିଙ୍କ ଶରୀରରେ କୌଣସି ଲକ୍ଷଣ ପ୍ରକାଶ ପାଏ, ତାହାଲେ ତାଙ୍କର ଆରଟି-ପିସିଆର ପରୀକ୍ଷା କରାଯିବ। ଯଦି ସଂପୃକ୍ତ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୁଅନ୍ତି, ତାହାଲେ ସରକାରୀ ସଙ୍ଗରୋଧ ବ୍ୟବସ୍ଥାରେ ରଖାଯିବା ସହ ପ୍ରୋଟୋକଲ ଅନୁସାରେ ଚିକିତ୍ସା କରାଯିବ। ସଂପୃକ୍ତ ବ୍ୟକ୍ତିଙ୍କ ଜିନ୍ ଅନୁଶୀଳନ କରାଯିବ।